ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁଯାୟୀ, ଗତ ୪ ତାରିଖ ସକାଳେ ରା.ଉଦୟଗିରି ଥାନାର ଉପ-ନିରୀକ୍ଷକ ଲକ୍ଷ୍ମଣ ବେଶ୍ରା ଓ ତାଙ୍କ ଟିମ୍ ସମ୍ବଲପୁର, କିରାମା, ନିଧିଗୁଡ଼ି ଏବଂ ତବରସାହି ଅଞ୍ଚଳରେ ପାଟ୍ରୋଲିଂ ଓ ଚଢ଼ାଉ କାର୍ଯ୍ୟରେ ନିୟୋଜିତ ଥିଲେ । ଏହି ସମୟରେ ତାବରସାହି ଗ୍ରାମ ପଛପାର୍ଶ୍ୱ ଜଙ୍ଗଲରେ ବହୁ ପରିମାଣର ଗଞ୍ଜେଇ ମହଜୁଦ ରଖାଯାଇଥିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ମିଳିଥିଲା।
ସୂଚନା ଆଧାରରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ସେଠାରେ ଦୁଇ ଜଣ ବ୍ୟକ୍ତି ଜରି ବ୍ୟାଗରେ ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ପୋଲିସକୁ ଦେଖି ଜଙ୍ଗଲ ଆଡ଼କୁ ପଳାଇବାକୁ ଚେଷ୍ଟା କରିଥିଲେ । ପୋଲିସ ସେମାନଙ୍କୁ ପିଛା କରି କାବୁ କରିବାରେ ସଫଳ ହୋଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ତାବରସାହି ଗ୍ରାମର ଅବିନାଥ ରାଇକା (୪୪) ଏବଂ ଯଖ୍ୟ ଗମାଙ୍ଗ (୫୫)। ସେମାନଙ୍କ ନିକଟରୁ ୮ଟି ଜରି ବ୍ୟାଗରେ ରଖାଯାଇଥିବା ୨୫୧ କିଲୋଗ୍ରାମ ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷ ହେବବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।
ଏନେଇ ରା.ଉଦୟଗିରି ଥାନାରେ ଏନ୍‌ ଡି ପି ଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରିଣୀ କଳ୍ପଲତା ପ୍ରଧାନ ସୂଚନା ଦେଇଛନ୍ତି । ପୋଲିସର ତଥ୍ୟ ଅନୁଯାୟୀ ଏହି ଗଞ୍ଜେଇ ଓଡିଶା ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ କେଉଁ କେଉଁ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି ସେମାନଙ୍କୁ ଅତିଶୀଘ୍ର ଧରାଯିବ ବୋଲି ଥାନା ଅଧିକାରିଣୀ କଳ୍ପଲତା ପ୍ରଧାନ କହିଛନ୍ତି ।

 

Dharitri – Odisha’s No.1 Odia Daily