Categories: ଖେଳ

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ ଜଡ଼ିତ କିଛି ମଜାଦାର କଥା ସୌରଭ ଏକାଧିକ ଥର ଅନ୍ୟକୁ ଜଣାଇଛନ୍ତି। ଉପରକୁ ସରଳ ଏବଂ ସଭ୍ୟ ଜଣାପଡ଼ୁଥିବା ସଚିନ ବାସ୍ତବରେ କେତେ ଦୁଷ୍ଟ ଥିଲେ ତାହା ଏକ ସାକ୍ଷାତକାରରେ ସେ କହିଥିଲେ। ଏକଦା ସଚିନ ତାଙ୍କ କୋଠରୀରେ ପାଣି ଭର୍ତ୍ତି କରିଦେଇଥିଲେ। ଏପରିକି ମ୍ୟାଚ୍‌ ହାରିବା ପରେ କାନ୍ଦିଥିବା ସୌରଭ କହିଥିଲେ।

ସାମ୍ବାଦିକ ସୌରଭ କପୁର ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଗାଙ୍ଗୁଲୀଙ୍କ ସାକ୍ଷାତକାରର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଗାଙ୍ଗୁଲୀ କହିଥିଲେ, ସେତେବେଳେ ମୁଁ ୧୪ ବର୍ଷର ଥିଲି। ଇନ୍ଦୋରରେ ଜାତୀୟସ୍ତରର କ୍ୟାମ୍ପ ଥିଲା। ବାସୁ ସାର୍‌ ସମସ୍ତଙ୍କୁ ବହୁତ ଦୌଡ଼ାନ୍ତି। ଆମେ ଥକି ଯାଇଥିଲୁ। ମୁଁ ଅପରାହ୍ନରେ ଶୋଇଯାଇଥିଲି। ରବିବାର ଛୁଟି ଥିଲା। ମୁଁ ଓ ମୋ ବନ୍ଧୁ ଶୋଇଥିଲୁ। ୫ଟାରେ ନିଦ ଖୋଲିବା ପରେ ପୁରା କୋଠରୀରେ ପାଣି ଭର୍ତ୍ତି ହୋଇଯାଇଥିବା ଦେଖିବାକୁ ପାଇଥିଲୁ। ସୁଟ୍‌କେସ୍‌ ଓ ଚପଲ ଆଦି ପାଣିରେ ଭାସୁଥିଲେ। ଆମକୁ ପାଇପ୍‌ ଫାଟିଯାଇଥିବା ଭଳି ଲାଗିଥିଲା। ହେଲେ ବାଥରୁମ୍‌ ଶୁଖିଲା ଥିଲା। କବାଟ ଖୋଲିବା ପରେ ସଚିନ ଏବଂ ବିନୋଦ କାମ୍ପଲୀ ଫାଟକ ପାଖରେ ଛିଡ଼ା ହୋଇଥିବା ଦେଖିଥିଲି। ଟେନିସ ଖେଳିବାକୁ ଚାଲ ବୋଲି ସେମାନେ କହିଥିଲେ। କବାଟ କାହିଁକି ଠକ୍‌ଠକ୍‌ କଲନାହିଁ ବୋଲି ମୁଁ ପଚାରିଥିଲି। ପରେ ସାରା ଘଟଣା ସ୍ପଷ୍ଟ ହୋଇଥିଲା।

୧୯୯୬-୯୭ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଭାରତ ହାରି ଯାଇଥିଲା। ୧୨୦ ରନ୍‌ ଆମେ କରିପାରି ନ ଥିଲୁ। ହାରିବା ପରେ ସଚିନ ରାଗିଯାଇଥିଲେ। ମୁଁ ପ୍ରଥମ ଥର ସଚିନଙ୍କୁ ଡ୍ରେସିଂ ରୁମ୍‌ରେ କାନ୍ଦିବା ଦେଖିଥିଲି। ପରେ ସବୁତକ ରାଗ ସେ ମୋ ଉପରେ ଶୁଝାଇଥିଲେ। ରନ୍‌ କରିବାକୁ ଚାହୁଁଛ ଯଦି କାଲିଠାରୁ ମୋ ସହ ଦୌଡ଼। ମୋ ସହ ଟିମ୍‌ରେ ରହିବାକୁ ଚାହୁଁଥିଲେ ଏପରି କରିବାକୁ ପଡ଼ିବ। ଅଧିନାୟକଙ୍କୁ ରାଗ ଲାଗିବା ଠିକ୍‌ ବୋଲି ଗାଙ୍ଗୁଲିଙ୍କୁ ସଚିନ କହିଥିଲେ।

Share