ଝାରପଡ଼ା ଜେଲରେ ଗ୍ୟାଙ୍ଗ୍‌ଷ୍ଟର ରାଜ୍‌

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଜେଲରେ ଚାଲୁଛି ଗ୍ୟାଙ୍ଗଷ୍ଟର୍‌ଙ୍କ ରାଜୁତି। ବାହାରେ ଯେପରି ରାଜ୍‌ କରୁଥିଲେ, ଜେଲ ଭିତରେ ବି ସେମିତି ଚାଲିଛି। ବଡ଼ ବଡ଼ ଅପରାଧୀମାନେ ଗୋଷ୍ଠୀ କରି ସେଥିରେ କଏଦୀଙ୍କୁ ସାମିଲ କରୁଛନ୍ତି। ଗୋଷ୍ଠୀ କରି ଖଟି କରୁଛନ୍ତି, ଆଉ ନିଜର ଦବ୍‌ଦବା ପାଇଁ ମୁହାଁମୁହିଁ ହେଉଛନ୍ତି। ଶୁକ୍ରବାର ଭାଇରାଲ ହୋଇଥିବା ଏକ ଭିଡିଓ ଏକଥା କହୁଛି। ଉକ୍ତ ଭିଡିଓରେ ଗ୍ୟାଙ୍ଗଷ୍ଟର ଟିଟୋଙ୍କ ଗୋଷ୍ଠୀ ଖଟି କରୁଥିବା ଦେଖିବାକୁ ମିଳୁଛି। ଜେଲ ପରିସର ଏକ ଗଛ ମୂଳ ମଣ୍ଡପରେ ଧଳା ରଙ୍ଗର ଧୋତି ପିନ୍ଧି ଟିଟୋ ଅନ୍ୟ ସାଥୀଙ୍କ ସହ ବସି ଖଟି କରୁଛନ୍ତି। ଅପରାଧର ତରିକା ବିଷୟରେ ଆଲୋଚନା କରୁଛନ୍ତି। ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିବାବେଳେ କେହି ବି ମାସ୍କ ପିନ୍ଧିନାହାନ୍ତି। କେହି ଅତି ନିକଟରୁ ଏଭଳି ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ଛାଡ଼ି ଦେବା ପରେ ଝାରପଡ଼ା ଜେଲର ଗୁମର ପଦାକୁ ଆସିଛି। ତେବେ କଟକଣା ସତ୍ତ୍ୱେ ଜେଲ ଭିତରକୁ ମୋବାଇଲ୍‌ ଫୋନ୍‌ କିପରି ଗଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏହି ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିବା ଜଣାପଡିଛି।
ମିଳିଥିବା ସୂତ୍ର ଅନୁସାରେ, ଟିଟୋ ଓ ତାଙ୍କ ସହଯୋଗୀମାନେ ଏଭଳି ସବୁଦିନ ସେଠାରେ ଖଟି କରିବା ସହ ବାହାରେ ଅପରାଧ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରନ୍ତି। ଲୁଚାଇ ରଖିଥିବା ମୋବାଇଲ୍‌ ଫୋନ୍‌ ସାହାଯ୍ୟରେ ଅପରାଧ ଘଟାଉଛନ୍ତି। କେତେଜଣ କର୍ମଚାରୀ ଅର୍ଥ ଲୋଭ ଓ ଭୟରେ ମୋବାଇଲ୍‌ ଫୋନ୍‌ ସହ ନିଶା ସାମଗ୍ରୀ ଯୋଗାଇ ଦେଉଛନ୍ତି। ଜେଲ ଭିତରେ ମଧ୍ୟ ଲୁଚାଛପାରେ ଗ୍ୟାଙ୍ଗଷ୍ଟର୍‌ମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ତାହାକୁ ଅପ୍‌ଡେଟ୍‌ ମଧ୍ୟ କରୁଛନ୍ତି। ତେବେ କେଉଁ ଏକ ଗୋଷ୍ଠୀର ମୋବାଇଲ୍‌ ଫୋନ୍‌ରେ ଉକ୍ତ ଭିଡିଓ ଶୁଟ୍‌ ହୋଇଥିବା କୁହାଯାଉଛି। ଏହାସହ ଟିଟୋ ଏବଂ ତାଙ୍କ ସହ ଖଟି କରୁଥିବା ଅନ୍ୟ କଏଦୀ ନିଜ ସେଲ୍‌ରେ ନ ରହି ପଦାକୁ କିଭଳି ଗଲେ? ତାଙ୍କୁ ଖଟି କରିବା ପାଇଁ ଜେଲ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି କି? ଏଭଳି ଅନେକ ପ୍ରଶ୍ନରେ ଏବେ ଜେଲ ବିଭାଗ ଛନ୍ଦି ହୋଇପଡିଛି।
ଏନେଇ ଝାରପଡା ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ୍‌ ଧୀରେନ୍ଦ୍ର ବାରିକ କହିଛନ୍ତି, ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅଭିଯୋଗ ଦିଆଯାଇଛି। କିଭଳି ଜେଲ ଭିତରକୁ ମୋବାଇଲ ଗଲା, କିଏ ଏଭଳି ଭିଡିଓ ରେକର୍ଡିଂ କରି ବାହାରକୁ ଛାଡିଲେ ଓ ଏଥିରେ ଜେଲର କେହି କର୍ମଚାରୀ ସାମିଲି ଅଛନ୍ତି କି ନାହିଁ ତାହାର ତଦନ୍ତ ହେବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।