ଭଉଣୀ ଘରେ ଛାଡ଼ି ଦେବାକୁ କହି ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ୨ ଅଭିଯୁକ୍ତଙ୍କୁ ଗିରଫ କରି…

ମାର୍ଶାଘାଇ,୧ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମାନସିକ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ,  ଶୁକ୍ରବାର ଅପରାହ୍ନରେ ଉକ୍ତ ଯୁବତୀ ଜଣକ ନିଜ ଭଉଣୀ ଘରକୁ ଯିବା ପାଇଁ  ଏକୁଟିଆ ଚାଲିଚାଲି ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଦ୍ୱୟ ଏକ ବାଇକ୍‌ ଯୋଗେ ଆସି ‘ଆମ ସାଙ୍ଗରେ ଆସ, ଆମେ ତମ ଭଉଣୀ ଘରେ ଛାଡ଼ିଦେବୁ’ ବୋଲି କହି ତାଙ୍କୁ ପ୍ରଲୋଭନ ଦେଖାଇ ବାଇକ୍‌ରେ ବସାଇ ନେଇଥିଲେ। କିନ୍ତୁ ଭଉଣୀ ଘରେ ପହଞ୍ଚାଇବା ପରିବର୍ତ୍ତେ ସେମାନେ ନିକଟସ୍ଥ ଭୂତମୁଣ୍ଡାଇ ପୋଲ ତଳକୁ ନେଇ ଯୁବତୀଙ୍କୁ ଜୋର୍‌ ଜବରଦସ୍ତି ବଳାତ୍କାର କରିବା ପରେ ସେଠାରେ ଛାଡ଼ି ପଳାଇଥିଲେ।

ବଳାତ୍କାର ଶିକାର ହେବା ପରେ ଯୁବତୀ ଜଣକ କୌଣସିମତେ ସେଠାରୁ ଆସି ସ୍ଥାନୀୟ ଓସ୍ତର ବଜାରରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପରିବାରବର୍ଗ ତାଙ୍କୁ ଘରକୁ ନେଇଥିଲେ। ସେଠାରେ ଯୁବତୀ ଜଣକ ସମସ୍ତ ଘଟଣା ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ସଙ୍ଗେସଙ୍ଗେ ଚଢ଼ାଉ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଧନ ଓରଫ ଧନେଶ୍ୱର ନାଥ (୨୭), ସାନଗାଁ। ସୁବ୍ରତ ବେହେରା(୪୦) ଯଦୁପୁର ଗାଁର ଅଟନ୍ତି। ଏନେଇ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ତପନ ନାୟକ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share