ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଆଡ଼େ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଆକର୍ଷଣୀୟ ଗଣେଶ ମୂର୍ତ୍ତି ସାଙ୍ଗକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ପୂଜାମଣ୍ଡପଗୁଡ଼ିକ ଝଲସି ଉଠୁଛି।
ପୁଇଁତୋଳା ବଡ଼ସାହି ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ମଙ୍ଗଳବାର ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି। ସେହିପରି ପୁଇଁତୋଳା ବାରିକି ସାହି ପକ୍ଷରୁ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ପୋଲିସର କଡ଼ା ତାଗିଦ ଯୋଗୁ ବିଭିନ୍ନ ପୂଜା ପରିଚାଳନା କମିଟି ପକ୍ଷରୁ କମ୍ ସାଉଣ୍ଡ ବ୍ୟବହାର କରାଯାଉଛି। ଶାନ୍ତିଶୃଙ୍ଖଳାର ସହ ଗଣେଶ ପୂଜା ପାଳନ ପାଇଁ ପୂଜା କମିଟିଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି। ଗଣେଶ ପୂଜାକୁ ନେଇ ସମଗ୍ର ସହର ଏବେ ଉତ୍ସବମୁଖର ହୋଇଉଠିଛି।

