ବଞ୍ଚୋ,୫।୧୦(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ପୋଲିସ ଡିଜେ ଗାଡ଼ିକୁ ଜବତ କରିଛି । ପୋଡ଼ାଖମଣ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଅନୁମତିର ସର୍ତ୍ତ ଉଲ୍ଲଂଘନ କରି ଅତ୍ୟଧିକ ଉଚ୍ଚଶବ୍ଦରେ ଡିଜେ ବଜାଇବା ଅଭିଯୋଗରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏଥିସହ ଡିଜେ ସାଉଣ୍ଡ ସିଷ୍ଟମ ଓ ଏହା ପରିବହନ କରୁଥିବା ଗାଡ଼ିକୁ ପୋଲିସ ଜବତ କରିଛି ।
ସୂଚନା ଅନୁଯାୟୀ, ଗତ ୪ ତାରିଖ ସନ୍ଧ୍ୟାରେ ପୋଡ଼ାଖମଣ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ପାଇଁ ଆୟୋଜକମାନେ ଆନନ୍ଦପୁର ଉପଜିଲାପାଳଙ୍କ ନିକଟରୁ ଆବଶ୍ୟକ ଅନୁମତି ନେଇଥିଲେ । ତେବେ ଶୋଭାଯାତ୍ରା ଚାଲିଥିବା ସମୟରେ ଅନୁମତିପତ୍ରରେ ଉଲ୍ଲେଖିତ ସର୍ତ୍ତକୁ ଉଲ୍ଲଂଘନ କରି ଅତ୍ୟଧିକ ଉଚ୍ଚଶବ୍ଦରେ ଡିଜେ ବଜାଯାଉଥିବା ପୋଲିସ ନଜରକୁ ଆସିଥିଲା।
ଉଚ୍ଚଶବ୍ଦରେ ଡିଜେ ବଜାଇବା ଯୋଗୁଁ ଗ୍ରାମରେ ଅସୁବିଧା ସୃଷ୍ଟି ହେବା ସହ ହୃଦ୍ରୋଗୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ପେଲିସ ଘଟଣାସ୍ଥଳରେ ପହଞ୍ଚି ଡିଜେ ସାଉଣ୍ଡ ସିଷ୍ଟମ ଯାଞ୍ଚ କରିବା ସହ ଅନୁମତିର ସର୍ତ୍ତ ଉଲ୍ଲଂଘନ ହୋଇଥିବା ଜଣାପଡ଼ିବାରୁ ସାଉଣ୍ଡ ସିଷ୍ଟମ ଲାଗିଥିବା ଗାଡ଼ିକୁ ଜବତ କରିଥିଲା।
ଏହି ଘଟଣାକୁ ନେଇ ଘଷିପୁରା ଥାନାରେ କେସ୍ ନଂ ୪୧୮, ତାରିଖ ୦୪.୧୦.୨୦୨୬ରେ ବିଏନ୍ଏସ୍ର ଧାରା ୨୨୩(ଏ)(ବି)/୨୯୨ ସହ ଓଡ଼ିଶା ଫାୟାରୱାର୍କ୍ସ ଆଣ୍ଡ ଲାଉଡସ୍ପିକର (ରେଗୁଲେସନ) ଆଇନ, ୧୯୫୮ର ଧାରା ୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ପାର୍ବଣ ସମୟରେ ଆଇନଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୋଲିସ ପକ୍ଷରୁ ଡିଜେ ଓ ଉଚ୍ଚଶବ୍ଦ ନିୟନ୍ତ୍ରଣ ଉପରେ ନଜର ରଖାଯାଉଛି। ଅନୁମତିର ସର୍ତ୍ତ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।