ଗାନ୍ଧୀଙ୍କ ଉପାସିକା

ମହାମାନବ ମହାତ୍ମା ଗାନ୍ଧୀ ୧୯୪୨ରେ ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ସେତେବେଳେ ତାଙ୍କୁ ୧୨ ବର୍ଷ ବୟସ ହୋଇଥିଲା। କମ୍‌ ବୟସରେ ବର୍ଦୋଳି ସ୍ବରାଜ ଆଶ୍ରମ ସହ ସଂଶ୍ଳିଷ୍ଟ ହୋଇଥିବା ପ୍ରଭାବେନ୍‌ ଶାହା ଆସନ୍ତା ଫେବୃୟାରୀ ୨୦ରେ ୯୩ ବର୍ଷ ବୟସରେ ପଦାର୍ପଣ କରିବେ। ସ୍ବାଧୀନତା ସଂଗ୍ରାମରେ ଯୋଗଦେବା ଲାଗି ପ୍ରତିଜ୍ଞା କରି ସେ ଏକ ଝୋଟ ଅଖାକୁ ବିଛଣା ଭାବେ ବ୍ୟବହାର କରିଥିଲେ। ବ୍ରିଟିଶ ସାମଗ୍ରୀ ବର୍ଜନ ଲକ୍ଷ୍ୟରେ ସେ ସ୍କୁଲରେ ଚରଖା ମାଧ୍ୟମରେ ଖଦି ମଧ୍ୟ ତିଆରି କରିଥିଲେ। ଗାନ୍ଧିଜୀଙ୍କ ସହିତ ମିଶି କାମ କରିବା ବେଳେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ। ଭାରତ ସ୍ବାଧୀନ ହେବା ପରେ ସେ ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ରିଲିଫ୍‌ ଦେବା ଏବଂ ପଡ଼ୋଶୀ ଦେଶ ସହ ଯୁଦ୍ଧ ବେଳେ ଆବଶ୍ୟକ ହେଉଥିବା ସେବାରେ ନିଜକୁ ନିୟୋଜିତ କରିଥିଲେ। ନିଃସ୍ବାର୍ଥପର ସେବା ଯୋଗୁ ସେ ୨୦୨୨ ମସିହା ସକାଶେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପାଇବେ ବୋଲି ଘୋଷଣା ହେବା ପରେ ଏହି ବୟସ୍କା ମହିଳାଙ୍କ ସେବା ବିଷୟରେ ବହୁ କଥା ଜଣାପଡ଼ିଛି।
ପ୍ରଭାବେନ୍‌ ସପ୍ତମରେ ପଢ଼ୁଥିବା ବେଳେ ତାଙ୍କ ପାଠରେ ଡୋରି ବନ୍ଧା ଯାଇଥିଲା। ସେତେବେଳେ ଗୁଜରାଟ ବିଦ୍ୟୁତ୍‌ ବୋର୍ଡରେ କାର୍ଯ୍ୟରତ ଥିବା ସୁବାସଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ବଦଳି ହେଲା ବେଳକୁ ତାଙ୍କ ବଡ଼ ଝିଅ ମାତ୍ର ଦେଢ଼ ବର୍ଷର। ୧୯୬୦ରେ ବର୍ଦୋଳିର ସେହି ଅଞ୍ଚଳରେ ପଢ଼ିବା ପାଇଁ ସ୍କୁଲ ନ ଥିଲା। ଶିକ୍ଷାର ବିକାଶ ଲାଗି ସେ ଗୁଜରାଟୀ ଭାଷାର ‘ବାଲ୍‌ ମନ୍ଦିର’ ଖୋଲିଥିଲେ। ପ୍ରଥମେ ସେ ସେଠାରେ ତାଙ୍କ ଝିଅ ଓ ପଡ଼ୋଶୀଙ୍କ ପିଲାଙ୍କୁ ନିଜେ ପଢ଼ାଇଥିଲେ। ସମୟକ୍ରମେ ଶିକ୍ଷା ପ୍ରତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ପରେ ସେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ ଦରମା ଦେବା ଲାଗି ପ୍ରଭାବେନ୍‌ ଏକ ଖଦି ଆଶ୍ରମରେ କିରାଣି ଭାବେ କାର୍ଯ୍ୟ କରିଥିଲେ। ସ୍କୁଲ ଠିକ୍‌ ଭାବେ ଚାଲିବାର ଦୁଇ ବର୍ଷ ପରେ ତାଙ୍କ ସ୍ବାମୀଙ୍କ ବଦଳି ଡାମନ୍‌କୁ ହୋଇଯାଇଥିଲା। ସେଠାରେ ମଧ୍ୟ ସେ କୌଣସି ସ୍କୁଲ ପାଇ ନ ଥିଲେ। ସିଧାସଳଖ ବିଦ୍ୟାଳୟ ନ ଖୋଲି ସେ ଡାମନ ମହିଳା ମଣ୍ଡଳ ଗଠନ କରିଥିଲେ ଓ ତାହାରି ମାଧ୍ୟମରେ ଏକ ସ୍କୁଲ ଖୋଲିଥିଲେ। ୧୯୬୩ରେ ଡାମନ ମହିଳା ମଣ୍ଡଳ ସରକାରୀ ଭାବେ ସ୍ବୀକୃତ ହୋଇଥିଲା। ସେତେବେଳେ ମହିଳାଙ୍କୁ ଏକତ୍ରିତ କରି ଏକ ନାରୀ ସଙ୍ଗଠନ ଗଢ଼ିବା ସାହସର କଥା ଥିଲା। କାରଣ ପରଦା ପଛରେ ମହିଳାଙ୍କୁ ରଖାଯାଉଥିଲା ଓ ସେମାନେ ବାହାରକୁ ବାହାରିବାକୁ ଡରୁଥିଲେ। କାଳେ କେଉଁଠି ଅସୁବିଧା ହେବ ପ୍ରଭାବେନ୍‌ ନିଜ ଘରେ ମହିଳାଙ୍କୁ ଡାକି ବୈଠକ କରୁଥିଲେ। ସେଠାରେ ବିଭିନ୍ନ ପ୍ରସଙ୍ଗରେ ଖୋଲାରେ ଆଲୋଚନା କରାଯାଇପାରୁଥିଲା। ପ୍ରଭାବେନ୍‌ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଦୁଇଟି ଇଂଲିଶ୍‌ ମାଧ୍ୟମ ସ୍କୁଲ ସହ ଆଉ ଏକ ଗୁଜରାଟୀ ଭାଷାର ସ୍କୁଲ ଖୋଲିଥିଲେ। ଏପରି କି ନାରୀଙ୍କୁ ସାକ୍ଷର କରିବା ଲାଗି ରାତିରେ ସେମାନେ ଘରକାମ ସାରିଲା ପରେ ସମସ୍ତଙ୍କୁ ଏକାଠି କରି ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଉଥିଲେ। ଅଧିକାଂଶ ସମୟରେ ବିଦ୍ୟୁତ୍‌ ସେବା ମିଳିପାରୁ ନ ଥିବାରୁ ମହମବତି ମାଧ୍ୟମରେ ପଢ଼ାକାର୍ଯ୍ୟ ଚାଲୁଥିଲା। ଏସବୁଥିରେ ସଫଳତା ପାଇବା ପରେ ସେ ଅନ୍ୟ ମହିଳାଙ୍କୁ ନେଇ ମହିଳା ଋଣ ପ୍ରଦାନକାରୀ ସମିତି ଗଠନ କରିଥିଲେ। ତାହାରି ମାଧ୍ୟମରେ ସ୍ଥାନୀୟ ମହିଳାମାନେ ପାପଡ଼ ତିଆରି, ସିଲେଇ କରିବା, ତେଜରାତି ଦୋକାନ ସକାଶେ ସେହିଠାରୁ ଋଣ ନେଇପାରୁଥିଲେ। ଶିକ୍ଷା, ନାରୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ପରେ ସେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢ଼ିଥିଲେ। ଏପରି କି ସରକାରୀ ଡାକ୍ତରଖାନା ପରିସରରେ ସେ ଏକ ନିରାମିଶ କ୍ୟାଣ୍ଟିନ୍‌ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭୋଜନର ସୁବିଧା କରିଥିଲେ। ଏହା ପରେ ତାଙ୍କ ଚିନ୍ତାଧାରା ଆହୁରି ବ୍ୟାପକ ହୋଇଥିଲା। ୧୯୬୫ ଓ ୧୯୭୧ ଯୁଦ୍ଧରେ ଶହୀଦ ହୋଇଥିବା ପରିବାରବର୍ଗଙ୍କୁ ଆର୍ଥିକ ସାହାଯ୍ୟ କରିବା ଦିଗରେ ମହିଳା ମଣ୍ଡଳ ମଧ୍ୟ ସକ୍ରିୟ ହୋଇଥିଲା। ସୈନିକମାନେ ସୀମାନ୍ତରେ ଲଢ଼ୁଥିବାରୁ ସେମାନଙ୍କ ପାଇଁ ମହିଳା ମଣ୍ଡଳର ସଦସ୍ୟମାନେ ସ୍ବେଟର ବୁଣି ପଠାଉଥିଲେ। ୧୯୮୪ ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ଦୁର୍ଗତଙ୍କ ପାଇଁ କ୍ଲଥ୍‌ ବ୍ୟାଙ୍କ୍‌ ଜରିଆରେ ସେମାନଙ୍କ ନିକଟକୁ ଲୁଗା ମଧ୍ୟ ପଠାଇବାର ବନ୍ଦୋବସ୍ତ କରାଯାଇଥିଲା।
ଶିଶୁଙ୍କଠାରୁ ମହିଳା ଓ ବୟସ୍କଙ୍କ ଉତ୍‌ଥାନ ପାଇଁ ସେ ଯେତେସବୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ସେଥିରେ ତାଙ୍କ ସ୍ବାମୀଙ୍କ ଦରମାର ଭାଗ ବହୁତ ଥିଲା। ନିଜ ପରିବାର ପାଇଁ ଅଳ୍ପ ଖର୍ଚ୍ଚ କରି ସ୍ବାମୀଙ୍କ ମାସିକ ଦରମା ୨୫୦ ଟଙ୍କାରୁ କିଛି କିଛି ସଞ୍ଚୟ କରି ସେ ଏଭଳି ଜନହିତକର କାର୍ଯ୍ୟ କରୁଥିଲେ। ବାସ୍ତବରେ ଗାନ୍ଧିଜୀଙ୍କ ଆଦର୍ଶ ଓ କାର୍ଯ୍ୟର ଯଥାର୍ଥ ଉପାସିକା ଭାବେ ପ୍ରଭାବେନ୍‌ ଜୀବନବ୍ୟାପୀ ନେଇଥିବା ପଦକ୍ଷେପ ତାଙ୍କୁ ଆଜି ପଦ୍ମଶ୍ରୀ ସ୍ତରରେ ପହଞ୍ଚାଇଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri