ଗାନ୍ଧିଜୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ

ପୁରୀ ଅଫିସ୍‌, ୧୫।୩:ଏକ ଐତିହାସିକ ବିଶ୍ୱାସ ରହିଆସିଛି ଯେ, ମହାତ୍ମା ଗାନ୍ଧୀ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ନ ଥିଲେ। ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ ଥିବାରୁ ସେ ଏହାର ପ୍ରତିବାଦରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଚାହୁଁ ନ ଥିଲେ ବୋଲି କୁହାଯାଉଥିଲା। ହେଲେ ଏବେ ଗାନ୍ଧିଜୀଙ୍କ ପରିଦର୍ଶନ ନେଇ ପ୍ରମାଣ ମିଳିଛି। ଶ୍ରୀମନ୍ଦିର କୌଳିକ ପଣ୍ଡା ତଥା ଗୁଜରାଟୀ ଯାତ୍ରୀପଣ୍ଡା ରଘୁନାଥ ଗୋଚ୍ଛିକାରଙ୍କ ନିକଟରେ ଥିବା ଶହେ ବର୍ଷ ପୁରୁଣା ନଥିରୁ ଜଣାପଡ଼ିଛି ଯେ, ବାପୁଜୀ କେବଳ ଯେ ମନ୍ଦିର ପରିଦର୍ଶନ କରିଥିଲେ ତାହା ନୁହେଁ, ଦସ୍ତଖତି (ପାରିବାରିକ ଡାଏରୀ)ରେ ନିଜ ଦର୍ଶନ ଅନୁଭୂତି ଗୁଜରାଟୀ ଭାଷାରେ ଲେଖିଥିଲେ।
ଅସ୍ପୃଶ୍ୟତା ବିରୋଧରେ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ଲଢ଼େଇ କରିଥିବା ଗାନ୍ଧିଜୀ ୮ଥର ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ ଏହି ସମୟ ମଧ୍ୟରେ ସେ ଶ୍ରୀମନ୍ଦିରକୁ ଯାଇଥିଲେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା। ମାତ୍ର ଏହି ଦ୍ୱନ୍ଦ୍ୱକୁ ଦୂର କରି ରଘୁନାଥ ରବିବାର ଗଣମାଧ୍ୟମକୁ କହିଛନ୍ତି, ମହାତ୍ମା ଗାନ୍ଧୀ ୧୯୨୧ ମାର୍ଚ୍ଚ ୨୭ରେ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ସେତେବେଳେ ତାଙ୍କ ସହିତ ସହଧର୍ମିଣୀ କସ୍ତୁରବା ଓ ପୁତ୍ର ଦେବଦାସ ଥିଲେ। ସେମାନେ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଖୁସିମନରେ ଫେରିଥିଲେ। ଏହାର ପ୍ରମାଣକୁ ସେ ସାଇତି ରଖିଛନ୍ତି ବୋଲି ରଘୁନାଥ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି, ତାଙ୍କ ପାଖରେ ଥିବା ନଥିରେ ଗାନ୍ଧିଜୀଙ୍କ ଦସ୍ତଖତ ରହିଛି। ଶ୍ରୀମନ୍ଦିରରେ ଦର୍ଶନ ସାରି ଗାନ୍ଧିଜୀ ଏହି ନଥିରେ ନିଜ ଅନୁଭୂତି ଲେଖି ଦସ୍ତଖତ କରିଥିଲେ। ‘ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରି ଅତ୍ୟନ୍ତ ପ୍ରୀତ ହେଲି’ ବୋଲି ଗୁଜରାଟୀ ଦର୍ଶନାର୍ଥୀଙ୍କ ଖାତାରେ ଗାନ୍ଧିଜୀ ଲେଖିଥିଲେ। ତେବେ ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ବୋଲି ରଘୁନାଥ କହିଛନ୍ତି। ସେହିପରି ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ପରିଡ଼ା କହିଛନ୍ତି, ୧୯୨୧ ମାର୍ଚ୍ଚ ୨୩ରେ ଗାନ୍ଧିଜୀ ଓଡ଼ିଶା ଆସି ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିଥିଲେ। ଏହି ସମୟରେ ବଡ଼ଦାଣ୍ଡରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ତତ୍‌କାଳୀନ ଗଜପତି ମହାରାଜା ଏଥିଲାଗି ଭବ୍ୟ ଆୟୋଜନ କରିଥିଲେ। ଶ୍ରୀକ୍ଷେତ୍ର ରହଣିର ଦ୍ୱିତୀୟ ଦିନରେ ମହାତ୍ମା ଗାନ୍ଧୀ ଶ୍ରୀଜୀଉଙ୍କ ଦର୍ଶନ କରିଥିବା ନଥିରେ ଉଲ୍ଲେଖ ରହିଥିବାରୁ ସେ ଶ୍ରୀମନ୍ଦିର ଯାଇ ନ ଥିବା ନେଇ ହେଉଥିବା ପ୍ରଚାର ପ୍ରସାର ମିଥ୍ୟା। ଉଲ୍ଲେଖଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶତତମ ପୂର୍ତ୍ତି ଉତ୍ସବ ରାଜ୍ୟସ୍ତରରେ ପାଳନ ହେଉଥିବା ବେଳେ ପୁରୀରେ ମଧ୍ୟ ନିଆରା ଢଙ୍ଗରେ ଏହାକୁ ପାଳନ କରାଯିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି।