ଆରମ୍ଭ ହେଲା ‘ଗାନ୍ଧୀ ଶିଳ୍ପ ବଜାର’

ଭୁବନେଶ୍ୱର, ୧୬।୩ (ବ୍ୟୁରୋ): ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ (ଉତ୍କଳିକା) ପକ୍ଷରୁ ‘ଗାନ୍ଧୀ ଶିଳ୍ପ ବଜାର’ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି। ସୋମବାର ଏହି ମେଳାକୁ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦ୍‌ଘାଟନ କରିଥିଲେ। ଏହି ଜାତୀୟ ପ୍ରଦର୍ଶନୀରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ଗୋଆ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ୧୪ ରାଜ୍ୟରୁ ୧୦୦ଜଣ ହସ୍ତଶିଳ୍ପ କାରିଗର ଭାଗ ନେଇଛନ୍ତି। ଓଡ଼ିଶାର ଡୋକ୍ରା, ପିପିଲିର ଚାନ୍ଦୁଆ କାମ, ତାରକସୀ, କାଠଶିଳ୍ପ, ଶିଙ୍ଗ ଶିଳ୍ପ, ଟସର ପେଣ୍ଟିଂ, ତାଳପତ୍ର ଖୋଦେଇ, ଜନଜାତି ଅଳଙ୍କାର, ସବାଇଘାସ ଆଦି ହସ୍ତଶିଳ୍ପ ସାମଗ୍ରୀ ମେଳାରେ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ସେହିପରି ପଶ୍ଚିମବଙ୍ଗର ଟେରାକୋଟା, କନ୍ଥା ସିଲେଇ, ଝାଡ଼ଖଣ୍ଡର ଲୌହଶିଳ୍ପ, ଆସାମର ବାଉଁଶ ଶିଳ୍ପ, ଗୋଆର ଏମ୍ବ୍ରୋଡୋରି, ମହାରାଷ୍ଟ୍ରର କୋହ୍ଲାପୁରୀ, ଦିଲ୍ଲୀର ଅଳଙ୍କାର ଭଳି ବହୁ ହସ୍ତଶିଳ୍ପ ସାମଗ୍ରୀ ଏଠାରେ ଉପଲବ୍ଧ ହେଉଛି। ଉଦ୍‌ଘାଟନୀ ଉତ୍ସବରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ, ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ସାହୁ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ସ୍ବୟଂପ୍ରଭା ମୁଦୁଲି, ଭାରତ ସରକାରଙ୍କ ବିକାଶ ଆୟୁକ୍ତ (ହସ୍ତଶିଳ୍ପ)ର ସହକାରୀ ନିର୍ଦ୍ଦେଶିକା କୁମାରୀ ଶୈଳଜା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ।