ଗାନ୍ଧୀ ଓ ଗୋପବନ୍ଧୁ

ପ୍ରଫୁଲ୍ଲ କୁମାର ସାହୁ

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସ- ଦୁହେଁ ସମଭାବାପନ୍ନ ମଣିଷ। ବିଧି ପ୍ରେରିତ ମହାପୁରୁଷ। ଜଣେ ସାବରମତୀର ସନ୍ଥ ଓ ଅନ୍ୟ ଜଣେ ସତ୍ୟବାଦୀ ବକୁଳ ବନର ବୈରାଗୀ। ଜଣେ ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ଓ ଅନ୍ୟ ଜଣେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ସାରଥି। ଉଭୟ ଥିଲେ ସତ୍ୟନିଷ୍ଠ ମୁକ୍ତିଯୋଦ୍ଧା, ସମାଜ ସଂସ୍କାରକ, ମାନବବାଦୀ ଚିନ୍ତା ନାୟକ ଓ ଧର୍ମ ନିରପେକ୍ଷ ତଥା ଧର୍ମପ୍ରାଣ ସନ୍ଥ।
ଗାନ୍ଧିଜୀଙ୍କ ତାରୁଣ୍ୟର ଆବେଗିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ସଚେତନତା ନିର୍ମାଣ ଅନ୍ତରାଳରେ ରହିଛି ତାଙ୍କ ମାତା ପୁତୁଲି ବାଈ(ଯିଏ ଥିଲେ ଅତ୍ୟନ୍ତ ଧର୍ମପ୍ରାଣା)ଙ୍କ ଜୀବନାଦର୍ଶ ତଥା ଭକ୍ତି ଭାବଧାରା ଅନୁପ୍ରେରିତ ଅନେକ ଭାରତୀୟ ସନ୍ଥ ସନ୍ନ୍ୟାସୀଙ୍କ ପ୍ରଭାବ। ଅନ୍ୟ ପକ୍ଷରେ ଶୈଶବରୁ ମାତୃହରା ଗୋପବନ୍ଧୁ ନିଜ ଗାଁ ଦେଇ ବହିଯାଇଥିବା ପୁଣ୍ୟତୋୟା ଭାର୍ଗବୀକୁ ମାତୃଜ୍ଞାନ କରି ପାଇଥିଲେ କରୁଣାର ଝର ଭଳି ଝରି ଝରି କରୁଣା ବିତରି ଯିବାର ପ୍ରେରଣା। ପିଲାଟିଦିନରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ି ଲଭିଥିଲେ ଶୁଦ୍ଧପୂତ ଭାବ ଓ ଉତ୍ସର୍ଗୀକୃତ କର୍ମଯୋଗର ଉଦ୍ଦୀପନା। ଉପନିଷଦ ତାଙ୍କୁ ଶିଖାଇଥିଲା ନିଃସ୍ବାର୍ଥ ସେବା, ସାଧନା ଓ ସଂକଳ୍ପର ମହାମନ୍ତ୍ର।
ଅସହଯୋଗ ଆନ୍ଦୋଳନର ମୁଖ୍ୟ ବିଷୟ ଥିଲା ସ୍ବଦେଶୀ ଗ୍ରହଣ ଓ ବିଦେଶୀ ବର୍ଜନ। ବିଦେଶୀ ବସ୍ତ୍ରକୁ ଗଣିକା ଓ ସ୍ବଦେଶୀ ବସ୍ତ୍ରକୁ ଧର୍ମପତ୍ନୀ କୁଳବଧୂ ସହିତ ତୁଳନା କରିବାସହ ଦେଶବାସୀଙ୍କୁ ଆହ୍ବାନ ଜଣାଇ ଗୋପବନ୍ଧୁ କହିଛନ୍ତି, ବିଦେଶୀକୁ ଛାଡ଼ି ସ୍ବଦେଶୀ ଗ୍ରହଣ କଲେ ଲାଘବ ହେବ ଗାନ୍ଧିଜୀଙ୍କ ଦୁଃଖ। ସାମ୍ପ୍ରଦାୟିକ ସଦ୍ଭାବନା ପ୍ରତିଷ୍ଠା କରିବା ପାଇଁ ଗାନ୍ଧିଜୀ ସାରା ଜୀବନ ସଂଗ୍ରାମ କରିଛନ୍ତି ଏବଂ ତାଙ୍କ ପରିକଳ୍ପିତ ସ୍ବରାଜ୍ୟ ଥିଲା ସର୍ବଧର୍ମ ସମନ୍ବୟର ମଞ୍ଚ। ହିନ୍ଦୁ ପରମ୍ପରାକୁ ସେ ଗଣ୍ଠିଧନ କରିଥିଲେ ସତ, କିନ୍ତୁ ସବୁ ଧର୍ମ ପ୍ରତି ଥିଲା ତାଙ୍କର ଶ୍ରଦ୍ଧା ଓ ସମ୍ମାନ। ତେଣୁ ପ୍ରାର୍ଥନା ସଭାରେ ସେ ଉଦ୍ଧାର କରୁଥିଲେ ଭିନ୍ନ ଭିନ୍ନ ଧର୍ମର ଶାସ୍ତ୍ରବାଣୀ। ଅର୍ଥାତ୍‌ ତାଙ୍କର ଧର୍ମ ଥିଲା ମାନବ ଧର୍ମ। ସେ ଆଦର୍ଶକୁ ଆଦରି ନେଇଥିବାରୁ ଉତ୍କଳମଣି ଗୋପବନ୍ଧୁଙ୍କ ଆଖିରେ ନ ଥିଲା ମନ୍ଦିର, ମସଜିଦ୍‌ ଓ ଗିର୍ଜା ଭିତରେ ଫରକ। ସେ ହିନ୍ଦୁଧର୍ମକୁ ଭଲ ପାଉଥିଲେ ସତ, କିନ୍ତୁ ତାଙ୍କ ମନରେ ସଦା ଜାଗ୍ରତ ଥିଲା ସର୍ବଧର୍ମ ସମନ୍ବୟ ଭାବ। ୧୯୩୪ ମସିହାରେ ଗାନ୍ଧିଜୀ ଓଡ଼ିଶାରେ ଆରମ୍ଭ କରିଥିଲେ ତାଙ୍କର ବହୁ ଚର୍ଚ୍ଚିତ ହରିଜନ ପଦଯାତ୍ରା। ତା’ର ବହୁ ପୂର୍ବରୁ ଗୋପବନ୍ଧୁ ଏଠି ଜାତି ପ୍ରଥାକୁ ବିରୋଧ କରି ଆରମ୍ଭ କରିଥିଲେ ବିଭିନ୍ନ କାର୍ଯ୍ୟକ୍ରମ। ସତ୍ୟବାଦୀ ବନବିଦ୍ୟାଳୟର ପଂକ୍ତି ଭୋଜନ ତା’ର ସବୁଠାରୁ ବଡ଼ ଉଦାହରଣ।
ଗାନ୍ଧିଜୀ କେବଳ ଭାରତର ସ୍ବାଧୀନତା ପାଇଁ ନୁହେଁ, ଏଥି ସହିତ ସେ ଲଢୁଥିଲେ ସାମାଜିକ ଅନ୍ୟାୟ ତଥା ଦେଶର କୋଟି କୋଟି ମୂକ ନିର୍ବାକ ଜନତାଙ୍କ ମୁହଁରେ ଟିକେ ହସ ଭରିଦେବା ପାଇଁ। ସରଳ ସତ୍ୟଶୀଳ ଓ ନିରାଡ଼ମ୍ବର ଜୀବନ ଜିଇବାରେ ଗାନ୍ଧିଜୀ ଥିଲେ ଭାରତୀୟତାର ପ୍ରତୀକ। ଅନୁରୂପ ଭାବରେ ଓଡ଼ିଶାରେ ଗୋପବନ୍ଧୁ ଥିଲେ ସେହି ସରଳତାର ପ୍ରତୀକ। ପ୍ରାଚୀନ ଭାରତର ମୁନି ଋଷିଙ୍କ ଭଳି ସତ୍ୟବାଦୀର ସନ୍ଥ ଆଦରି ନେଇଥିଲେ ସରଳ ଓ ନିରାଡ଼ମ୍ବର ଜୀବନ। ଲାଲା ଲଜପତ୍‌ ରୟଙ୍କ ଭାଷାରେ ‘ମୋ ଜାଣିବାରେ ୧୯୨୦ଠାରୁ ଗାନ୍ଧିଜୀଙ୍କୁ ଛାଡ଼ିଦେଲେ ଗୋପବନ୍ଧୁଙ୍କ ଭଳି ସରଳ ଅମାୟିକ ବ୍ୟକ୍ତିତ୍ୱ ଅନ୍ୟ କେହି ନାହିଁ। ସେ କେବଳ ଦୁଇଟି ଲୁଗା ବ୍ୟବହାର କରୁଥିଲେ। ଗୋଟିଏ ହାତବୁଣା ଧୋତି ଓ ଚାଦରଟିଏ ଥିଲା ତାଙ୍କର ନିତିଦିନିଆ ପୋଷାକ। ଏହି ଗୋଟିଏ ପୋଷାକକୁ ସେ ଘରେ, ବାହାରେ ସଭାରେ, କୋର୍ଟରେ, ସ୍କୁଲରେ ଓ କଂଗ୍ରେସ ଦରବାରରେ ସବୁଠି ପିନ୍ଧିବାର ଦେଖାଯାଉଥିଲା। ସେ ସତ୍ୟ, ସାଧୁତା ଓ ସରଳ ଭାବେ ଜୀବନ ବିତାଇବାକୁ ନିଜର ବ୍ରତ କରି ନେଇଥିଲେ।’ ସତ୍ୟ, ଅହିଂସା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଗାନ୍ଧୀ ଗୋପବନ୍ଧୁ ଥିଲେ ଗୋଟିଏ ମୁଦ୍ରାର ଦୁଇଟି ପାଶର୍‌ବ। ଅହିଂସାର ଏହି ଶକ୍ତ ଡୋରିରେ ବନ୍ଧା ଥିଲା ଗୋପବନ୍ଧୁଙ୍କ ଜୀବନ। ସ୍ବରାଜ୍ୟ ପଥରେ ସତ୍ୟର ଉପାସନା ଏକ ଅନନ୍ୟ ସାଧନା। ଗୋପବନ୍ଧୁ ଥିଲେ ସେହି ଆଦର୍ଶର ଏକନିଷ୍ଠ ପୂଜାରୀ।
ଗୋପବନ୍ଧୁଙ୍କ ଦୃଷ୍ଟିରେ ଗାନ୍ଧୀ ଥିଲେ ଏକ ମହତ୍ତର ଚେତନା। ଗାନ୍ଧିଜୀଙ୍କୁ ସେ କେତେବେଳେ ସତ୍ୟ, ନ୍ୟାୟ ଓ ନିର୍ଭୀକତାର ପ୍ରତୀକ ଭାବରେ ଗ୍ରହଣ କରିଛନ୍ତି ତ କେତେବେଳେ ତୁଳନା କରିଛନ୍ତି ସକ୍ରେଟିସ୍‌ଙ୍କ ସହିତ। ଗାନ୍ଧିଜୀ ମଧ୍ୟ ‘ୟଙ୍ଗ ଇଣ୍ଡିଆ’ରେ ଗୋପବନ୍ଧୁଙ୍କୁ ତପସ୍ବୀ ବୋଲି ଲେଖିଛନ୍ତି ଏବଂ ତାଙ୍କର ସମର୍ପଣ ଭାବ ଓ କର୍ମଯୋଗକୁ ପ୍ରଶଂସା କରିଛନ୍ତି ଖୋଲା ମଞ୍ଚରେ। ଗାନ୍ଧିଜୀଙ୍କ ଚିନ୍ତନ ଓ ଆଦର୍ଶ ଗୋପବନ୍ଧୁଙ୍କୁ ଯେତିକି ପ୍ରଭାବିତ କରିଛି, ଗାନ୍ଧିଜୀଙ୍କୁ ମଧ୍ୟ ସମପରିମାଣରେ ପ୍ରଭାବିତ କରିଛି ଗୋପବନ୍ଧୁଙ୍କ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ । ଗୋପବନ୍ଧୁଙ୍କ ନିଃସ୍ବାର୍ଥପରତା, ନିର୍ମଳ ଭାବମୂର୍ତ୍ତି ଓ ଅକୁଣ୍ଠିତ ଜନସେବାରେ ଗାନ୍ଧିଜୀ ମୁଗ୍ଧ ହୋଇ କହିଛନ୍ତି, ତାଙ୍କ ଭଳି ନେତା ଓ କର୍ମୀ ଜାତିର ଗୌରବ। ପୁଣ୍ୟପ୍ରାଣ ଗୋପବନ୍ଧୁଙ୍କ ମହାପ୍ରୟାଣ(୧୯୨୮) ପରେ ୧୯୩୪ ମେ ୮ ତାରିଖ ପୁରୀରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଗାନ୍ଧିଜୀ କହିଥିଲେ- ‘ଗୋପବନ୍ଧୁଙ୍କ ଧର୍ମନିଷ୍ଠା, ସତ୍ୟନିଷ୍ଠା, ସାଧୁତା, ସରଳତା ଓ ବୀର ପ୍ରଭାବ ମୋ ଉପରେ ମଧ୍ୟ ପଡ଼ିଥିଲା। ଆଜି ଏହି ପୁଣ୍ୟ ଭୂମିରେ ମୁଁ ତାଙ୍କ ଅଭାବ ବେଶି ଅନୁଭବ କରୁଛି। ଅହିଂସା ଲଢ଼େଇରେ ଗାନ୍ଧିଜୀଙ୍କ ଆଦର୍ଶର ଜୟ ହେବ ବୋଲି ଅନୁଭବ କରି ଗୋପବନ୍ଧୁ ‘ବନ୍ଦୀର ଆତ୍ମକଥା’ରେ ଲେଖିଥିଲେ-
‘ମହାତ୍ମା ସାଧନା ମହାତ୍ମା କଷଣ,
ନ ଯାଏ ଜଗତେ କେବେ ଅକାରଣ।’
ଗାନ୍ଧିଜୀ ସେହି କଥାକୁ ଦୋହରାଇଛନ୍ତି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ। ତାଙ୍କ ବକ୍ତବ୍ୟ ଅନୁସାରେ ”ମୁଁ ବିଶ୍ବାସ କରୁଛି ଓ ଆପଣମାନେ ବିଶ୍ବାସ କରନ୍ତୁ ଯେ ତାଙ୍କ ମହତ୍ତ୍ବ ଆତ୍ମା ପରି ଅମର ହୋଇ ରହିଛି ଓ ଚିରକାଳ ରହିବ। ମୋର ଆଶା ଯେ କେବଳ ଉତ୍କଳ କାହିଁକି, ସମଗ୍ର ଭାରତ ସେହି ସ୍ବର୍ଗୀୟ ପଣ୍ଡିତ ଗୋପବନ୍ଧୁଙ୍କର ତ୍ୟାଗମାର୍ଗ ଅନୁସରଣ କରିବ ଏବଂ ତାଙ୍କ ସ୍ମୃତିର ପ୍ରଭାବରେ ନିଜକୁ ଧନ୍ୟ ମନେକରିବ।“ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଲକ୍ଷ୍ୟ ଥିଲା ସମାନ। ଉଭୟେ ନିଜ ନିଜ କ୍ଷେତ୍ରରେ ଅନନ୍ୟ ଓ ଅତୁଳନୀୟ।
ମୋ-୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri