ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଓଡ଼ିଶା–ଛତିଶଗଡ଼ ରାଜ୍ୟ ସୀମାନ୍ତର ଟପରିଆ-ଜାମଝରିଆ ଜଙ୍ଗଲ ମଧ୍ୟରେ ଚାଲିଥିବା ଏକ ବଡ଼ ଜୁଆଆଡ୍ଡା ଉପରେ ପୋଲିସ ରବିବାର ରାତିରେ ଚଢ଼ାଉ କରି ୨୬ ଜଣ ଜୁଆଡିଙ୍କୁ ଗିରଫ କରିଛି।
ପୋଲିସ ଏହି ଚଢ଼ାଉ ସମୟରେ ଜୁଆ ଆଡ୍ଡାରୁ ନଗଦ ୧୧ ଲକ୍ଷ ୧୬ ହଜାର ୯୦୦ ଟଙ୍କା ସହ ୩ଟି କାର୍, ୯ଟି ବାଇକ୍ ଏବଂ ୩୧ଟି ମୋବାଇଲ ଜବତ କରିଥିବା ସୂଚନା ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ କୌର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦେଇଛନ୍ତି।
ଏସପି କୌରଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ଜୁଆଆଡ୍ଡା ଚାଲୁଥିବା ବିଷୟରେ ପୋଲିସ ପାଖରେ ଗୁପ୍ତ ସୂଚନା ପହଞ୍ଚିଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ହେମଗିରି ଥାନା ଓ ବଲିଙ୍ଗା ଫାଣ୍ଡି ପୋଲିସକୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ରବିବାର ସନ୍ଧ୍ୟାରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା।
ଏନେଇ ହେମଗିରି ଥାନା କେସ୍ ନମ୍ବର ୨୫୯/୨୦୨୬ ଅନୁଯାୟୀ ଧାରା ୧୧୨(୨)/୩(୫) ବିଏନଏସ ଓ ଓଡିଶା ପ୍ରିଭେନ୍ସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟ ଅନୁସାରେ ଅଭିଯୁକ୍ତମାନଙ୍କ ବିରୋଧ ମାମଲା ରୁଜୁ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ଓଡିଶା ଓ ଛତିଶଗଡ଼ ଦୁଇଟି ରାଜ୍ୟର ଥିବା ବେଳେ ଜବତ ହୋଇଥିବା ଅଧିକାଂଶ ଗାଡ଼ି ଓ ବାଇକ୍ର ନମ୍ବର ଛତିଶଗଡ଼ର ବୋଲି ଜଣାପଡ଼ିଛି।
ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ଶାନ୍ତା ନୁତନ ସାମାଦ ଓ ସଦର ଏସଡିପିଓ ନିର୍ମଳ କୁମାର ମହାପାତ୍ର ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily