ରାଜିନାମାର ଜୁଆ

ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ଭାରତ ଓ ଆମେରିକା ମଧ୍ୟରେ ୨୭ ଅକ୍ଟୋବର ୨୦୨୦ରେ ବେସିକ୍‌ ଏକ୍ସଚେଞ୍ଜ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ (ବିଇସିଏ) ସ୍ବାକ୍ଷର ହୋଇଛି। ଏହାଦ୍ୱାରା ପ୍ରତିରକ୍ଷା ସଂକ୍ରାନ୍ତ ଉଦ୍ଦେଶ୍ୟ ପୂରଣ ଲାଗି ଉପଗ୍ରହ ଚିତ୍ର, ମ୍ୟାପ୍‌, ନଟିକାଲ ଓ ଏରୋନଟିକାଲ୍‌ ଚାର୍ଟସ୍‌ରୁ ଦୁଇ ଦେଶ ଗୋଇନ୍ଦା ସୂଚନା ଆଦାନପ୍ରଦାନ କରିପାରିବେ। ସମଗ୍ର ବିଶ୍ୱ ଯେତେବେଳେ କୋଭିଡ୍‌-୧୯ ଦ୍ୱାରା କବଳିତ ଓ ବୈଠକଗୁଡ଼ିକରେ ଶାରୀରିକ ଉପସ୍ଥିତି ଦେଖିବାକୁ ମିଳୁନାହିଁ, ସେହି ସମୟରେ ଦୁଇ ଦେଶର ନେତା ପରସ୍ପରକୁ ଭେଟିବା ଅସ୍ବାଭାବିକ ମନେହେଉଛି। ପୁଣି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ସପ୍ତାହେ ଥିବା ବେଳେ ଏଭଳି ଏକ ବୈଠକ ଅନୁଷ୍ଠିତ ହେବା ସନ୍ଦେହ ସୃଷ୍ଟି କରୁଛି। କୁହାଗଲାଣି ଆମେରିକାରେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ସପକ୍ଷରେ ଅଧିକ ଜନମତ ରହୁଥିବାରୁ ଡୋନାଲ୍ଡ ଟ୍ରମ୍ପ୍‌ ସେଠାରେ ଥିବା ଭାରତୀୟଙ୍କୁ ତୁଷ୍ଟ କରିବା ଲାଗି ଏଭଳି ତରବରିଆ ଯୋଜନା କରିଛନ୍ତି। ଇତିମଧ୍ୟରେ ଭାରତ ଓ ଚାଇନା ସେନା ଲଦାଖଠାରେ ମୁହଁ।ମୁହିଁ ସ୍ଥିତିରେ ଅଛନ୍ତି। ତେଣୁ ବେଜିଂକୁ ବିରୋଧ କରି ଆମେରିକା ନୂଆଦିଲ୍ଲୀକୁ ସମର୍ଥନ କରୁଛି ବୋଲି ଭାରତ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପର ଓ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ପ୍ରକାଶ କରିଛନ୍ତି।
ଏହି ରାଜିନାମା ହେବା ପୂର୍ବରୁ ସାମରିକ ତଥ୍ୟ ଆଦାନପ୍ରଦାନ ନେଇ ଭାରତ ଓ ଆମେରିକା ମଧ୍ୟରେ ୩ଟି ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଜେନେରାଲ ସିକ୍ୟୁରିଟି ଅଫ୍‌ ମିଲିଟାରୀ ଇନ୍‌ଫର୍ମେଶନ ଏଗ୍ରିମେଣ୍ଟ୍‌ (ଜିଏସ୍‌ଓଏମ୍‌ଆଇଏ), ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ମେମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ (ଏଲ୍‌ଏମ୍‌ଓଏ) ଏବଂ କମ୍ୟୁନିକେଶନ୍ସ କମ୍ପାଟିବିଲିଟି ଆଣ୍ଡ୍‌ ସିକ୍ୟୁରିଟି ଏଗ୍ରିମେଣ୍ଟ (ସିଓଏମ୍‌ସିଏଏସ୍‌ଏ) ନାମରେ ସ୍ବାକ୍ଷରିତ ହୋଇଥିବା ରାଜିନାମା ଭାରତ ଓ ଆମେରିକା ପ୍ରତିରକ୍ଷା ସୂଚନା ବିକାଶ କ୍ଷେତ୍ରରେ ସେଭଳି ଉନ୍ନତି ଆଣିପାରିନାହିଁ। ତେବେ ବିଇସିଏ ଦ୍ୱାରା ଆମେରିକା ଅଧିକ ଲାଭବାନ ହେବା ଆଲୋଚନା ହେଉଛି। ଆମେରିକାଠାରୁ ଭାରତ ଆଣିଥିବା ସି-୧୭ ଗ୍ଲୋବମାଷ୍ଟର ୩, ସି-୧୩୦ଜେ ସୁପର ହର୍କ୍ୟୁଲିସ୍‌ ଏବଂ ପି୮-ଓ୍ବାନ୍‌ ପୋସାଇଡନ୍‌ ଭଳି ବିଭିନ୍ନ ପ୍ରକାର ଉଡ଼ାଜାହାଜ ଲାଗି ଆବଶ୍ୟକ ଅତ୍ୟାଧୁନିକ ନାଭିଗେଶନ ସହାୟତା ଓ ଫ୍ଲାଇଟ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ଯୋଗାଇବାରେ ଆମେରିକା ସହାୟତା ଦେବ। ତେଣୁ ଭାରତ କେବଳ ବ୍ୟବହାରକାରୀ ରାଷ୍ଟ୍ର ଭାବେ ଅର୍ଥ ଗଣିବାକୁ ବାଧ୍ୟ ହେବ।
ଆମେରିକା ପଛରେ ଗୋଡ଼ାଇ ଭାରତ ଅତୀତରେ ଅନେକ କ୍ଷତିର ସମ୍ମୁଖୀନ ହୋଇଛି। ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ବେଳେ ତତ୍‌କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ସମୟରେ ୧୯୯୧ରେ ଭାରତରେ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ (ଏଲ୍‌ପିଜି) ନାମରେ ନୂଆ ଅର୍ଥନୈତିକ ବ୍ୟବସ୍ଥା ସୃଷ୍ଟି କରାଯାଇଥିଲା। ଏହା ଦ୍ୱାରା ଦେଶର ଅର୍ଥନୀତି ବିଶ୍ୱସ୍ତରର ହେବ ବୋଲି ଲୋକଙ୍କୁ ସ୍ବପ୍ନ ଦେଖାଯାଇଥିଲା। କିନ୍ତୁ ସେଥିରୁ ଚାଇନା ଲାଭବାନ ହେଲା। କାରଣ ଭାରତ ଏକ ଖାଉଟି ଦେଶ ହୋଇଥିବାରୁ ଚାଇନାରୁ ସାମଗ୍ରୀ ଆମଦାନୀ କରିଚାଲିଲା। ମୁକ୍ତ ଅର୍ଥନୀତିରେ କୌଣସି ବାଡ଼ବତା ନ ଥିବାରୁ ଚାଇନାର ସପ୍ଲାଇ ଚେନ୍‌ ବା ଯୋଗାଣ ଶୃଙ୍ଖଳକୁ ଭାଙ୍ଗିବା ଭାରତୀୟ ମଧ୍ୟମ ଓ କ୍ଷୁଦ୍ର କମ୍ପାନୀଙ୍କ କ୍ଷେତ୍ରରେ ସମ୍ଭବ ହେଲା ନାହିଁ। ଆଜିର ସ୍ଥିତିରେ ଚାଇନା ଜିନିଷ ବର୍ଜନ ପାଇଁ ଯେତେ ସ୍ଲୋଗାନ ଦିଆଗଲେ ମଧ୍ୟ ବାଣଠାରୁ ଗଣେଶ ମୂର୍ତ୍ତି ସବୁ ଅବାଧରେ ଆସୁଛି।
ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ମଧ୍ୟ ଅର୍ଥନୀତିକୁ ସଜଡ଼ା ଯାଇପାରିଲା ନାହିଁ। ପୁଣି ମନମୋହନ ସିଂ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସେହି ସମୟରେ ଆମେରିକା ପ୍ରୀତି ପୁଣି ବଢ଼ିଗଲା। ଭାରତ-ଆମେରିକା ବେସାମରିକ ଚୁକ୍ତି ୨୦୦୮ରେ ସ୍ବାକ୍ଷରିତ ହୋଇଥିଲା। ସେତେବେଳେ କୁହାଯାଇଥିଲା ଯେ, ଶକ୍ତି କ୍ଷେତ୍ରକୁ ଏହା ସୁଦୃଢ଼ କରିବ। ଇତିମଧ୍ୟରେ ୧୨ ବର୍ଷ ବିତିଗଲାଣି, କିନ୍ତୁ ବିଜୁଳି ଚାହିଦା ବଢ଼ିବଢ଼ି ଚାଲିଛି। ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ବିଶ୍ୱାସ କରାଯାଉଥିଲା ଯେ ବୈଦେଶିକ ନୀତିରେ ପରିବର୍ତ୍ତନ ଆସିବ। ସମସ୍ତେ ଗୋଟେ ଲାଉର ମଞ୍ଜି ଭଳି କୂଟନୈତିକ, ବାଣିଜି୍ୟକ ଓ ସାମରିକ କ୍ଷେତ୍ରରେ କୌଣସି ଉନ୍ନତି ଆଣିପାରି ନାହାନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭୂୟସୀ ପ୍ରଶଂସା କରୁଥିବା ମୋଦିଙ୍କ ସମୟରେ ଭାରତର ଅଧିକ କ୍ଷତି ଘଟିଛି। ଟ୍ରମ୍ପ୍‌ କ୍ଷମତାସୀନ ହେବା ପରେ ପ୍ରଥମେ ଏଚ୍‌-୧ବି ଭିଜା ନିୟମକୁ କଡ଼ାକଡ଼ି କରିଦେଇଥିଲେ। ସେହିପରି ଭାରତୀୟ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇ ଆମ ବଜାର ବ୍ୟବସ୍ଥାକୁ ସେ ଦୋହଲାଇ ଦେଇଛନ୍ତି। ନିକଟ କଥା ଦେଖିଲେ ନିର୍ବାଚନୀ ଭାଷଣ ଦେବା ବେଳେ ଭାରତକୁ ସେ ଏକ ଅପରିଷ୍କାର ଓ ଅପରିଚ୍ଛନ୍ନ ଦେଶ ଭାବେ ଅଭିହିତ କରିଥିଲେ। ଏତେ ନୂ୍ୟନ ଦୃଷ୍ଟିରେ ଭାରତକୁ ଦେଖୁଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କୁ ମୋଦି ସମର୍ଥନ କରିଚାଲିଛନ୍ତି। ମାତ୍ର ଏବର ସ୍ଥିତି ଦେଖିଲେ ଆମେରିକୀୟମାନେ ଟ୍ରମ୍ପ୍‌ଙ୍କ ଆଡ଼ୁ ମୁହଁ ମୋଡ଼ିଥାଇପାରନ୍ତି। ବିଶେଷକରି ସେଠାରେ ଥିବା ଅଧିକାଂଶ ଭାରତୀୟ ଭାବିନେଲେଣି ଯେ ସେମାନଙ୍କୁ ସେହି ସମାଜରେ ବଞ୍ଚିବାକୁ ପଡ଼ିବ। ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ପ୍ରତି ନିର୍ବାଚନୀ ପବନ ବୋହୁଥିବା ରାଜନୈତିକ ସମୀକ୍ଷକମାନେ କହିଲେଣି। ଦେଖିବାକୁ ଗଲେ ଆମେରିକା ନିର୍ବାଚନକୁ ଲକ୍ଷ୍ୟ କରାଯାଇ ‘ହାଉଡି ମୋଦି’ ଓ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ କରାଯାଇଥିଲା। କିନ୍ତୁ ତାହାର ପ୍ରଭାବ ଆମେରିକୀୟ ଭାରତୀୟଙ୍କ ଉପରେ ପଡ଼ି ନ ଥିବା ପରିଲକ୍ଷିତ ହୋଇଛି। ସମ୍ଭବତଃ ନୂଆ ଚାଲ୍‌ ଖେଳାଯାଇ ବିଇସିଏ ରାଜିନାମା କରାଯାଇଛି। ଏହାର ପ୍ରଭାବ ଭାରତର ସାମରିକ ବ୍ୟବସ୍ଥା ଉପରେ କିପରି ରହିବ ତାହା ଏବେ କହିବା କଷ୍ଟକର। କାରଣ ଯଦି ଟ୍ରମ୍ପ ହାରିଯାଆନ୍ତି, ତେବେ ଭାରତ ଅଧିକ କ୍ଷତିଗ୍ରସ୍ତ ହେବ। ଏହା ଏକ ସାମରିକ ଚୁକ୍ତି ହୋଇଥିବା ହେତୁ ଚାଇନାର ବିରୋଧ ବୃଦ୍ଧି ପାଇବା ସ୍ବାଭାବିକ। ଅନ୍ୟପଟେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଯଦି ସୁନିଶ୍ଚିତ ଜାଣିଛନ୍ତି ଯେ ଟ୍ରମ୍ପ ଜିତିବେ, ତେବେ ଏହି ଜୁଆଖେଳ ଏବେ ଟ୍ରମ୍ପ୍‌ଙ୍କୁ ସୁବିଧା ଦେବ। କିନ୍ତୁ ଏହା ଭାରତକୁ କେଉଁ ଭାବେ ସହାୟକ ହେବ ତାହା ଦେଖିବା ବାକି ଅଛି। କାରଣ ଗତ ୪ ବର୍ଷରେ ଭାରତ ପ୍ରତି ଟ୍ରମ୍ପ୍‌ଙ୍କ ଆଭିମୁଖ୍ୟ ସକାରାତ୍ମକ ନ ଥିଲା। ଯଦି ଜିତନ୍ତି, ତେବେ ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆସିବ ବୋଲି କହିବା ଅବାସ୍ତବ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri