ଭଞ୍ଜନଗର,୧୬।୩(ବାବୁଲା ପ୍ରଧାନ): ହାତୀ ସହ ଲୋକଙ୍କ ଫସଲ ସୁରକ୍ଷା ପାଇଁ ଗଜସାଥି ରାଜ୍ୟରେ ନିଯୁକ୍ତି ହୋଇଛନ୍ତି। ସରକାର ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେଉଛନ୍ତି। ଧାନ ଅମଳ ସମୟରେ ହିଁ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି। ଅନ୍ୟ ସମୟରେ ସେମାନଙ୍କୁ ବାହାର କରିଦିଆଯାଉଛି । ତେଣୁ ସେମାନେ ଅକ୍ଟୋବର ମାସରୁ ଫେବୃଆରୀ ମାସ ମଧ୍ୟରେ ହିଁ କାମ କରୁଛନ୍ତି। ତେଣୁ ସମସ୍ତ ଗଜସାଥିଙ୍କୁ ଗତ ଫେବୃୟାରୀ ମାସ ୨୮ ତାରିଖରୁ ଛଟେଇ କରି ଦିଆଯାଇଛି।
ଅନ୍ୟପଟେ ସ୍କ୍ବାର୍ଡ କର୍ମଚାରୀମାନେ ମଧ୍ୟ ନିଜର ଏକାଧିକ ଦାବିନେଇ ଭୁବନେଶ୍ୱରରେ ଆଜକୁ କିଛିଦିନ ହେବ ସାମୂହିକ ଛୁଟି ନେଇ ଆନ୍ଦୋଳନ ଚଳାଇଛନ୍ତି। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାରେ ଉକ୍ତ ଦୁଇ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ସେମାନେ ବର୍ତ୍ତମାନ ସମସ୍ତେ କାର୍ଯ୍ୟରେ ନ ଥିବାବେଳେ ଜଙ୍ଗଲ ଓ ବନ୍ୟପ୍ରାଣୀ ବର୍ତ୍ତମାନ ବିପଦରେ ଥିବା ଜଣାପଡିଛି । ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି।
ଏହିଭଳି ପରିସ୍ଥିତିରେ ବିଗତ ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଦୁଇଟି ବଡ ଅଘଟଣ ଘଟିଛି। ଯାହାକୁ ନେଇ ଜଙ୍ଗଲ, ବନ୍ୟପ୍ରାଣୀ ଓ ଲୋକଙ୍କ ଜୀନ ସୁରକ୍ଷା ନେଇ ସମସ୍ତଙ୍କୁ ଚିନ୍ତା ଘାରୀଲାଣି। ରବିବାର ଏହି ବନଖଣ୍ଡର ତାରସିଂ ରେଞ୍ଜ କଦଳୀ ଗଡ଼ ନିକଟରେ ଏକ ହାତୀ ମୃତ୍ୟୁବରଣ କରିଥିବା ଲୋକ ଲୋଚନକୁ ଆସିଥିଲା। ହାତୀ ୫ ଦିନ ଆଗରୁ ମୃତ୍ୟୁବରଣ କରିଥିବା ବେଳେ ବିଭାଗୀୟ କର୍ମଚାରୀ ଗତକାଲି ଜାଣିଥିଲେ। ସେହିଭଳି ଗତକାଲି ସଂନ୍ଧ୍ୟାରେ ବାଇବାଲୀ ନୂଆଁସାହିର ଜଣେ ବୃଦ୍ଧ କୃପାସିନ୍ଧୁ ସ୍ବାଇଁ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ହାତୀ ଆକ୍ରମଣରେ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଥାନାରେ ସୋମବାର ଅଭିଯୋଗ କରିଛନ୍ତି।
କୃପାସିନ୍ଧୁଙ୍କ ଡାହାଣ ଗୋଡ଼ରେ ପ୍ରବଳ ଆଘାତ ଚିହ୍ନ ଅଛି। ଏଥିସହ ଯେଉଁଠି କୃପାସିନ୍ଧୁ ମୃତ୍ୟୁବରଣ କରିଛନ୍ତି। ସେହି ନିକଟରେ ହାତୀର ପାଦ ଚିହ୍ନ ଅଛି ବୋଲି କୃପାସିନ୍ଧୁଙ୍କ ଜ୍ବାଇଁପୁଅ ପିଣ୍ଟୁ ଏଠାରେ ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତକାଲି ସେହି ଅଞ୍ଚଳରେ ହାତୀ ନ ଥିଲା। ବୃଦ୍ଧ ଜଣଙ୍କ କେମିତି ମୃତ୍ୟୁବରଣ କଲେ ଆମେ ଜାଣିନାହୁଁ। ଏନେଇ ଥାନା ଅଧିକାରୀ ଜୀବନା ନନ୍ଦ ଜେନା କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ । ସମନ୍ବୟ ଅଭାବ ଏବଂ କର୍ମଚାରୀ ଛଟେଇ ଓ ଆନ୍ଦୋଳନ ଯୋଗୁ ଏହି ସମସ୍ୟା ଦେଖାଦେଇଛି। ସରକାର ଏନେଇ ତୁରନ୍ତ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ନଚେତ୍ ଜଙ୍ଗଲ ଓ ବନ୍ୟପ୍ରାଣୀ ବିପଦରେ ପଡ଼ିବା ସମ୍ଭାବନା ରହିଛି। ଖବରପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି।
Dharitri – Odisha’s No.1 Odia Daily

