ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଗଜପତି

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଗଜପତି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜନଜୀବନ। ଗ୍ରୀଷ୍ମ ପ୍ରବାହ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଗଜପତି ଜିଲା ଏମିତି ଏକ ଭୌଗୋଳିକ ସ୍ଥିତିରେ ଅବସ୍ଥିତ, ଯଦ୍ଦ୍ବାରା ସମସ୍ତ ଋତୁର ପ୍ରଭାବ ଏଠି ସମାନ ଭାବରେ ପଡେ। ତେଣୁ ଏଠି ପ୍ରତ୍ୟେକ ବର୍ଷ ମୁଣ୍ତଫଟା ଖରା ଅନୁଭୂତ ହୁଏ।
ଗତ ଏକ ସପ୍ତାହ ହେଲା ପାରଳାଖେମୁଣ୍ଡି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧୁଛି ତ ଆଉ କିଏ କଳା ଚଷମା ବ୍ୟବହାର କରୁଛି। କିଏ ଆଖୁ ରସ, ତରଭୁଜ ଓ ଲସି ପିଇ ଖରାର ସାମ୍ନା କରୁଛନ୍ତି। ଗରମ ଯୋଗୁ ଏଠାରେ ଥଣ୍ଡା ପାନୀୟର ବ୍ୟବହାର ବୃଦ୍ଧି ପାଇଛି। ଥଣ୍ଡା ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। ଅତ୍ୟଧିକ ଗରମ ଲୋକଙ୍କୁ କଲବଲ କରୁଥିବା ବେଳେ ଅଘୋଷିତ ବିଜୁଳି କାଟ୍‌ ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି। ଏଭଳି ମୁଣ୍ଡଫଟା ଗରମରେ ଜିଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର ଯାତ୍ରୀଙ୍କ ତଣ୍ଟି ଓଦା କରୁଛି ବୋଲି କହିଛନ୍ତି ସାଧାରଣ ଲୋକ । ଦିନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜିଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଶୂନ୍‌ଶାନ ରହୁଛି। ତେବେ ଅଂଶୁଘାତର ମୁକାବିଲା ପାଇଁ ଜିଲା ପ୍ରଶାସନ ସଜାଗ ରହିଥିବା ବେଳେ ଜିଲା ଚିକିତ୍ସାଳୟରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପି କେ ପାତ୍ର କହିଛନ୍ତି।