ମାଟ୍ରିକ ପରୀକ୍ଷାଫଳ: ଚଳିତ ଶିକ୍ଷା ବର୍ଷରେ ବି ଗଜପତି ଜିଲା ରାଜ୍ୟରେ ପ୍ରଥମ, ୯୯.୩୧ ପ୍ରତିଶତ ସହ…

ପାରଳାଖେମୁଣ୍ଡି,୨।୫ (ଗିରିଧାରୀ ପରିଚ୍ଛା): ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଫଳାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି । ସମଗ୍ର ରାଜ୍ୟରେ ମାଟ୍ରିକ ଫଳାଫଳ ହାର ୯୫.୩୩ ପ୍ରତିଶତ ରହିଥିବା ବେଳେ ଗଜପତି ଜିଲା ୯୯.୩୧ ପ୍ରତିଶତ ରଖି ଚଳିତ  ଶିକ୍ଷା ବର୍ଷରେ ପୁଣିଥରେ ରାଜ୍ୟରେ ପ୍ରଥମ ସ୍ଥାନ  ହାସଲ କରିଛି ।
ବିଗତ ଶିକ୍ଷାବର୍ଷରେ ଜିଲା ପାସ ହାର ୯୪.୯୩ ପ୍ରତିଶତ ସହ ଶୀର୍ଷରେ ରହିଥିଲା। ଜିଲାରେ ୧୬୧ ବିଦ୍ୟାଳୟରେ ୮୧୧୬ ଜଣ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିଲେ। ସେଥି ମଧ୍ୟରୁ ୧୩୪ ଜଣ ପରୀକ୍ଷା ଦେଇ ନ ଥିବା ବେଳେ ୫୫ ଜଣ ପାସ କରିନାହାନ୍ତି । ଏପରି ଭାବେ ସର୍ବ ମୋଟ ୭୯୨୭ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୯୩୯ ଜଣ ଛାତ୍ର ଓ ୩୯୮୮ ଜଣ ଛାତ୍ରୀ କୃତ କାର୍ଯ୍ୟ ହୋଇଛନ୍ତି । ଏ-୧ରେ ୬ ଜଣ, ଏ-୨ ରେ ୭୪ ଜଣ, ବି୧-ରେ ୧୭୯୫, ବି୨-ରେ ୨୩୭୩, ସି ରେ ୨୦୪୬, ଡି ରେ ୧୧୩୨, ଇରେ ୧୮୦ ଏବଂ ଏଫ ଗ୍ରେଡ ରେ ୫୫ ଜଣ ରହିଛନ୍ତି ।
ଚଳିତ ବର୍ଷ ଏ-୧ ଗ୍ରେଡରେ ସରକାରୀ ବିଦ୍ୟାଳୟ ଗୁଡିକର ଦବଦବା ଦେଖିବାକୁ ମିଳିଛି । ଜିଲାରେ ମୋଟ ଏ-୧ ରେ ୬ ଜଣ ସଫଳତା ହାସଲ କରିଥିବା ବେଳେ ସେଥି ମଧ୍ୟରୁ ସମସ୍ତେ ସରକାରୀ ବିଦ୍ୟାଳୟ ଗୁଡିକର ବୋଲି ଜଣାପଡିଛି ।  ମୋହନା ବ୍ଲକର ଗୋଠକେଳି ହାଇସ୍କୁଲର ଛାତ୍ରୀ ଅଦ୍ୟସା ରାଣୀ ପ୍ରଧାନ ୫୫୯ ମାର୍କ ରଖି ୯୩ ପ୍ରତିଶତ ମାର୍କ ରଖି ରଖି ଜିଲାରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । ସେହିପରି ଅନ୍ୟ ଚାରିଜଣ ସମାନ ୯୦ ପ୍ରତିଶତ(୫୪୦ ମାର୍କ) ରଖି ଆଣି ଜିଲାରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ସେମାନେ ହେଲେ ଆର୍‌.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ ହାଇସ୍କୁଲର ଲଷ୍ମୀରାଣୀ ପାଣି, ଆର ଉଦୟଗିରି ବ୍ଲକ ରଣ୍ଡିବା ହାଇସ୍କୁଲର ରୁଦ୍ର ପ୍ରସାଦ ପରିଛା,ଆର୍‌ ଉଦୟଗିରି ବ୍ଲକ ଶୁଣ୍ଡ୍ରବା ହାଇସ୍କୁଲର ଲୁଧିଅlନି ରଇତ, ଆର୍‌ ଉଦୟଗିରି ବ୍ଲକ ସମ୍ବଲପୁର ହାଇସ୍କୁଲର ମାର୍ଥ ଗମାଙ୍ଗ,ସେହିପରି ଗୋସାଣି ବ୍ଲକ ଭୁସକୁଡି  ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଜଣେ ଏ-୧ ରେ ଏପରି ଭାବେ ୬ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଅନ୍ୟପକ୍ଷେ ରାଜ୍ୟରେ ଜିଲାର ପାସ ହାର ସର୍ବାଧିକ ରହିଥିବାକୁ ନେଇ ଜିଲା ଶିକ୍ଷାବିଭାଗ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଚଳିତ ବର୍ଷ ମଧ୍ୟ ଗଜପତି ଜିଲା ପାସ ହାରରେ ଆଗେ ଥିବା ଯୋଗୁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କେକ କାଟି ଅଭିନନ୍ଦନ ଜଣାଇଥିବା ଜଣାପଡିଛି।
Dharitri – Odisha’s No.1 Odia Daily

Share