ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ, ଶୁଦ୍ଧ ପେଟ୍ରୋଲ କିଣ: ନିତିନ ଗଡ଼କରୀ

ନୂଆଦିଲ୍ଲୀ,୧୫।୭: ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ବଡ଼ ବୟାନ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ଗାଡ଼ିରେ ଏଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର କରିବାକୁ ଚାହୁଁନାହାନ୍ତି, ସେମାନେ ୧୦୦% ଶୁଦ୍ଧ ପେଟ୍ରୋଲ କିଣିପାରିବେ। ହେଲେ ଏଥିପାଇଁ ସେମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଏହାସହ E୨୦ ଇନ୍ଧନ ଯୋଗୁ ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସରକାର ଓ ତାଙ୍କ ବିରୋଧରେ ଚାଲିଥିବା ଏକ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅପପ୍ରଚାର’ ବୋଲି ଗଡ଼କରୀ କହିଛନ୍ତି।
ଟାଇମ୍ସ ଅଫ ଇଣ୍ଡିଆ (TOI) କୁ ଦେଇଥିବା ଇଣ୍ଟରଭ୍ୟୁରେ ଗଡ଼କରୀ କହିଛନ୍ତି ଯେ, ସାରା ଦେଶରେ ୨୦% ଏଥାନଲ ବ୍ଲେଣ୍ଡିଂ (E୨୦) ଲକ୍ଷ୍ୟ ସଫଳତାର ସହ ହାସଲ ହୋଇସାରିଛି। ତେଣୁ ପେଟ୍ରୋଲ ପମ୍ପଗୁଡ଼ିକରେ ପୁଣିଥରେ E୧୦ (୧୦% ଏଥାନଲ ମିଶ୍ରଣ) ବିକଳ୍ପ ଦେଇ ପଛକୁ ହଟିବା ସମ୍ଭବ ନୁହେଁ। ଭବିଷ୍ୟତରେ ପେଟ୍ରୋଲ ପମ୍ପରେ ଅଲଗା ଅଲଗା ଏଥାନଲ ବ୍ଲେଣ୍ଡ ପାଇଁ ଏକାଧିକ ନୋଜଲ ରହିବ କି ନାହିଁ, ସେ ନିଷ୍ପତ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ ନେବ।

ଇଞ୍ଜିନରେ କଳଙ୍କି ଲାଗିବା ବା ଖରାପ ହେବା ଖବରକୁ ମିଛ ଦର୍ଶାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, “E୧୦ ଅନୁକୂଳ ଥିବା ସବୁ ଗାଡ଼ି E୨୦ ଇନ୍ଧନରେ ମଧ୍ୟ ସୁରକ୍ଷିତ ଭାବେ ଚାଲିପାରିବ। ମାରୁତି ସୁଜୁକି ଭଳି ବଡ଼ କମ୍ପାନୀଗୁଡ଼ିକ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଆଜି ପର୍ଯ୍ୟନ୍ତ ସରକାରଙ୍କ ପାଖରେ ଇଞ୍ଜିନ ଖରାପ ହେବାର ଗୋଟିଏ ହେଲେ ଆଧିକାରିକ ଅଭିଯୋଗ ଆସିନାହିଁ।”

ବୈଜ୍ଞାନିକ ତଥ୍ୟକୁ ସ୍ବୀକାର କରି ଗଡ଼କରୀ କହିଛନ୍ତି ଯେ ପେଟ୍ରୋଲ ତୁଳନାରେ ଏଥାନଲର କ୍ୟାଲୋରିଫିକ ଭାଲ୍ୟୁ କମ, ଯାହା ଯୋଗୁ ମାଇଲେଜ ସାମାନ୍ୟ କମିପାରେ। ସହରର ଭିଡ଼ ଟ୍ରାଫିକରେ ଏହାର ପ୍ରଭାବ ଜଣାପଡ଼ିବ ନାହିଁ, କିନ୍ତୁ ଏକ୍ସପ୍ରେସୱେରେ ଅଧିକ ସ୍ପିଡ୍‌ରେ ଗାଡ଼ି ଚଲାଇଲେ ମାଇଲେଜ୍‌ରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିପାରେ।

ସେହିଭଳି ତାଙ୍କ ପୁଅମାନଙ୍କ ଏଥାନଲ ବ୍ୟବସାୟକୁ ନେଇ ଉଠୁଥିବା ଅଭିଯୋଗ ଉପରେ ସେ କହିଛନ୍ତି ଯେ ଏହି ବ୍ୟବସାୟ ତାଙ୍କ ପୁଅମାନେ ସମ୍ଭାଳୁଛନ୍ତି। ପୂରା ଏଥାନଲ ପ୍ରୋଗ୍ରାମ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଆସେ ଏବଂ ଏହାର ମୂଲ୍ୟ କେନ୍ଦ୍ର କ୍ୟାବିନେଟ ସ୍ଥିର କରେ। ଦେଶର ମୋଟ ଏଥାନଲ କାରବାରରେ ତାଙ୍କ ପୁଅଙ୍କ କମ୍ପାନୀର ଅଂଶଧନ ୦.୫% ରୁ ମଧ୍ୟ କମ ଏବଂ କମ୍ପାନୀଗୁଡ଼ିକ ଉପରେ ୧,୬୦୦ କୋଟି ଟଙ୍କାର ଋଣ ରହିଛି।

ଏଥାନଲ ବ୍ଲେଣ୍ଡିଂ ଦ୍ୱାରା ଦେଶର ପ୍ରଦୂଷଣ କମିବ ଏବଂ ବିଦେଶୀ କ୍ରୁଡ ଅଏଲ (କଚ୍ଚା ତେଲ) ଉପରେ ଭାରତର ର୍ନିଭରଶୀଳତା ହ୍ରାସ ପାଇବ, ଯାହାଦ୍ୱାରା କୋଟି କୋଟି ଟଙ୍କାର ବିଦେଶୀ ମୁଦ୍ରା ସଞ୍ଚୟ ହେବ। ବର୍ତ୍ତମାନ କେବଳ ଆଖୁ ନୁହେଁ, ବରଂ ମକା, ଚାଉଳ, ନଡ଼ା ଏବଂ ବାଉଁଶରୁ ମଧ୍ୟ ଏଥାନଲ ପ୍ରସ୍ତୁତ କରାଯାଉଥିବାରୁ ଏହା ଦେଶର ଚାଷୀମାନଙ୍କ ଆୟ ବଢ଼ାଇବାରେ ସହାୟକ ହେଉଛି ବୋଲି ସେ ଦୋହରାଇଛନ୍ତି।

Dharitri – Odisha’s No.1 Odia Daily

Share