ଓଡ଼ିଆ ଜୀବନ ଚିତ୍ରର ଫୁଙ୍ଗୁଳା ଫର୍ଦ୍ଦ

ଡ. ପ୍ରଫୁଲ୍ଲ କୁମାର ସାହୁ

ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ଫକୀରମୋହନ ସେନାପତି। ସାମାଜିକ ବାସ୍ତବତାର ଜଣେ ପ୍ରଚଣ୍ଡ ପ୍ରବକ୍ତା। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଯେତେବେଳେ ସାହେବମାନଙ୍କ ହୁକୁମ ଓ ପଡ଼ୋଶୀ ବଙ୍ଗାଳୀମାନଙ୍କ ତାଚ୍ଛଲ୍ୟ ମଝିରେ ବନ୍ଧା ପଡ଼ିଥିଲା ସ୍ବାଭିମାନୀ ଓଡ଼ିଆମାନଙ୍କ ଭାଗ୍ୟ, ସେତିକିବେଳେ ଦାଉ ସାଧିଥିଲା ପ୍ରକୃତି। ନଅଙ୍କ ଦୁର୍ଭିକ୍ଷର (୧୮୬୬)ର କରାଳ ଗ୍ରାସରେ ଭାଙ୍ଗିପଡ଼ିଥିଲା ଓଡ଼ିଆ ଜାତିର ମେରୁଦଣ୍ଡ। ଏଭଳି ଦାରୁଣ ବିପର୍ଯ୍ୟୟରୁ ମୁକୁଳିବା ଆଗରୁ ପଡ଼ୋଶୀ ବଙ୍ଗାଳୀମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଓଡ଼ିଆ ଭାଷା ବିରୋଧୀ ଚକ୍ରାନ୍ତ। ଏହି କରୁଣ କାଳଖଣ୍ଡରେ ଓଡ଼ିଆମାନଙ୍କ ଭିତରେ ଯେଉଁ ସାଂସ୍କୃତିକ ଜାଗରଣ ସୃଷ୍ଟିହେଲା, ତା’ର କର୍ଣ୍ଣଧାର ଥିଲେ ରିଙ୍ଗ୍‌ ଲିଡର ଫକୀରମୋହନ।
କେନ୍ଦ୍ରାପଡ଼ା କୁଶିଳାରୁ ଆସି ବାଲେଶ୍ୱରର ମଲ୍ଲିକାଶପୁରରେ ବସତି ସ୍ଥାପନ କରିଥିବା ବୀର ହନୁମଲ୍ଲଙ୍କ ପଞ୍ଚମ ପିଢ଼ିର ଦାୟାଦ ଫକୀର ମୋହନଙ୍କ ହାତରେ ଶତ୍ରୁଜୟୀ ଶାଣିତ ଅସ୍ତ୍ର ନ ଥିଲା ସତ, କିନ୍ତୁ ଅସ୍ତ୍ର ପରବର୍ତ୍ତେ ତାଙ୍କ ହାତରେ ଥିଲା କାଳଜୟୀ କଲମ। ଜଣେ ଶିକ୍ଷକ, ସଂପାଦକ, ସଂଗଠକ ଓ ପ୍ରଶାସକ ଭାବରେ ଅର୍ଜନ କରିଥିବା ବିପୁଳ ଅଭିଜ୍ଞତାକୁ ପୁଞ୍ଜି କରି ସେ ଲେଖନୀ ଚାଳନା କରିବା ଯୋଗୁ ସାହିତ୍ୟ କଳ୍ପଲୋକ ଛାଡ଼ି ଅବତରଣ କଲା ମଞ୍ଚଲୋକରେ। ଆଖିଦେଖା ମଣିଷ, ଅଙ୍ଗେ ଲିଭା ଅନୁଭୂତି ଓ ପ୍ରାଣଛୁଆଁ ସୁଖଦୁଃଖର କାହାଣୀକୁ ନେଇ ଗଢ଼ିଉଠିଲା ସେନାପତି ସାହିତ୍ୟ। ସେଥିରେ ବାରିହୋଇ ପଡ଼ିଲା ମାଟିର ବାସ୍ନା ଓ ନିଃଶ୍ୱାସର ସ୍ବର। ଯୁଗଯୁଗ ଧରି ଯେଉଁମାନେ ସାହିତ୍ୟରେ ଥିଲେ ଅଲୋଡ଼ା ଓ ଅଖୋଜା, ଫକୀରମୋହନ ସେମାନଙ୍କୁ ଏଠୁ ସେଠୁ ସାଉଁଟି ଆଣି ଶିଖାଇଲେ କାଳାଘାତ ସହିବାର କଳା। ଅନୁକରଣର ବୈଚିତ୍ରହୀନ ଭାଷା ପରିବର୍ତ୍ତେ ଫକୀରମୋହନ ଖୋଜିଲେ ପ୍ରାଣ ପ୍ରାଚୁର୍ଯ୍ୟପୂର୍ଣ୍ଣ ଗାଁ ଦାଣ୍ଡର ଭାଷା, ଯେଉଁ ଭାଷାରେ କଥା ହୁଅନ୍ତି ରେବତୀ, ଅନନ୍ତା, ସାରିଆ, ଭଗିଆ ଭଳି ଗାଁଗଣ୍ଡାର ମଣିଷମାନେ। ଉକତ୍ଳୀୟ ସମାଜ ଜୀବନକୁ ଖିନ୍‌ଭିନ୍‌ ଭାବେ ଅନୁଧ୍ୟାନ କରି ତା’ର ନଗ୍ନ ବାସ୍ତବତା ଓ ସମ୍ଭାବନାପୂର୍ଣ୍ଣ ସ୍ବପ୍ନମୟତାକୁ ଶବ୍ଦରେ ସାକାର କରିବାକୁ ଯାଇ ରେବତୀ, ଡାକମୁନ୍‌ସୀ, ପେଟେଣ୍ଟ ମେଡିସିନ୍‌, ଧୂଳିଆ ବାବା ଆଦି ଗଳ୍ପ ଓ ଛ’ମାଣ ଆଠଗୁଣ୍ଠ, ମାମୁଁ, ଲଛମା, ପ୍ରାୟଶ୍ଚିତ୍ତ ଆଦି ଉପନ୍ୟାସ ଆଦିକୁ ନେଇ ସେ ଯେଉଁ ଭିନ୍ନ ଉଚ୍ଚତାର କଥା କୋଣାର୍କ ଗଢ଼ିଦେଲେ, ବିଷୟ ବିନ୍ୟାସ ଓ ଶିଳ୍ପ ଚାତୁର୍ଯ୍ୟ ଦୃଷ୍ଟିରୁ ତାହା ଅନତିକ୍ରମଣୀୟ ହୋଇ ରହିଛି ଆଜି ପର୍ଯ୍ୟନ୍ତ। ସତ୍ୟକୁ ମୁଖବନ୍ଧ କରି ଗଢ଼ିଉଠିଛି ସେନାପତି ସାହିତ୍ୟ। ସେଥିପାଇଁ ସେଥିରେ ବାରି ହୁଏନି କଳ୍ପନା ଓ ବାସ୍ତବତା ମଧ୍ୟରେ ଫରକ। ଜନ୍ମର ଶହଶହ ବର୍ଷ ପରେ ବି ଲାଗେ ସତେ ଯେମିତି ଏବେ ଏବେ ଲେଖାଯାଇଛି ଫକୀରମୋହନଙ୍କ ଗଳ୍ପ ଓ ଉପନ୍ୟାସ। ସେହି ଚିରାୟତପଣର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ ‘ରେବତୀ’ ଓ ପ୍ରଥମ କ୍ଲାସିକ୍‌ ଉପନ୍ୟାସ ‘ଛ ମାଣ ଆଠଗୁଣ୍ଠ’।
ରେବତୀ ନାଁ ଶୁଣିବା ମାତ୍ରେ ଆଖି ଆଗରେ ନାଚିଯାଏ ବାର/ତେର ବର୍ଷର ସରଳ ଗ୍ରାମ୍ୟ କିଶୋରୀଟିଏ, ଯିଏ ସ୍ରଷ୍ଟା ହୃଦୟର ନିଷ୍ଠୁରତା ଯୋଗୁ ସେହି କଅଁଳ ବୟସରେ ପାଲଟିଗଲା ଆକାଶର ତାରା। ଅପୂର୍ଣ୍ଣତାର ହାହାକାର ମଧ୍ୟରେ କରୁଣ ମହାକାବ୍ୟରେ ପରିଣତ ହୋଇଗଲା ଶ୍ୟାମବନ୍ଧୁ ମହାନ୍ତିଙ୍କ ଏକମାତ୍ର କନ୍ୟା ରେବତୀର ଜୀବନ। ନାରୀ ଶିକ୍ଷା ନିମନ୍ତେ ଏକ ସୁଚିନ୍ତିତ ପ୍ରୟାସରୁ ଜନ୍ମ ନେଇଥିବା ରେବତୀ ପ୍ରତି ଏଭଳି ଲେଖକୀୟ ନିଷ୍ଠୁରତା ପ୍ରତିବାଦରେ ସୃଷ୍ଟି ହେଲା ଅଜସ୍ର ପାଠକୀୟ ସମ୍ବେଦନା। ସେହି ସମ୍ବେଦନା ନେଇ ରେବତୀ ପାଲଟିଗଲା ଓଡ଼ିଆ କ୍ଷୁଦ୍ରଗଳ୍ପ ଇତିହାସର ମାଇଲ୍‌ ସ୍ତମ୍ଭ। ତା’ର ସଂସ୍କାରସ୍ନାତ ଆଭିମୁଖ୍ୟରେ ଉଦ୍‌ବୋଧିତ ହୋଇ ନୂଆ ପିଢ଼ିର ଫକୀରମୋହନମାନଙ୍କ କଲମରୁ ଜନ୍ମନେଲେ କେତେ କେତେ ରେବତୀ। ସବୁଠାରୁ କୌତୂହଳର ବିଷୟ ହେଉଛି ବୈଦଗ୍ଧ ଆଧାରରେ ରେବତୀ ଆଜି ଅତିକ୍ରମ କରିଯାଇଛି ଭାଷା ଓ ଭୂମିର ସୀମା। ଆଜକୁ ୧୨୪ ବର୍ଷ ତଳେ (୧୮୯୮) ପାଟପୁର ଭଳି ଏକ ନିପଟ ମଫସଲ ଗାଁରେ ଜନ୍ମନେଇଥିବା ଫକୀର ମୋହନଙ୍କ ସାହିତ୍ୟ ପୁତ୍ରୀ ରେବତୀ ଏବେ ୨୪ଟି ଭାରତୀୟ ଭାଷା ଓ ୧୨ ବିଦେଶୀ ଭାଷାର ପୋଷାକ ପିନ୍ଧି ବାହାରିଛି ବିଶ୍ୱ ପରିଭ୍ରମଣରେ।
ଓଡ଼ିଆ ଜୀବନ ଚିତ୍ରର ଛିନ୍ନ ଚୌପଦୀ ଛ’ମାଣ ଆଠଗୁଣ୍ଠ। ଓଡ଼ିଆ ଚଷାର ଏକ ବିସ୍ଥାପନ କାହାଣୀ। ଶୋଷଣ କଷଣର ଏକ ଜୀବନ୍ତ ଇତିହାସ। ଛ’ମାଣ ଆଠଗୁଣ୍ଠ କେବଳ ଏକ ଜମି ନୁହେଁ, ଓଡ଼ିଆ ପରିଚୟର ବିସ୍ତୃତ ଭୂମି। ଇତିହାସ କହେ, ସଭ୍ୟତା ଆରମ୍ଭରେ ଜମି ନ ଥିଲା, ଥିଲା କେବଳ ଭୂମି। ତା’ ବିଖଣ୍ଡିତ ଓ ମାପ ନିର୍ଦ୍ଧାରିତ ଜମିରେ ପରିଣତ ହେଲା ବ୍ୟକ୍ତିଗତ ମାଲିକାନାର ପ୍ରଶ୍ନ ଆସିବା ପରେ। ଜମି ସହ ଯୋଡ଼ିହୋଇଗଲେ ଚାଷୀ, ମୂଲିଆ, ଭାଗଚାଷୀ, ଜମିଦାର ଓ ରାଜସ୍ବ ପ୍ରଶାସକ ଇତ୍ୟାଦି। ଆରମ୍ଭ ହେଲା ଜମିର କାଗଜପତ୍ର ଜାଲିଆତି କରି ଚାଷୀର ଜମିକୁ ହଡ଼ପ୍‌ କରିବାର ପ୍ରକ୍ରିୟା। ଏ ଦିଗରେ ଶୋଷକ ଶ୍ରେଣୀର ଜମିଦାରମାନଙ୍କୁ ସହାୟତା କଲା ଉପନିବେଶୀ ଶାସନ ବ୍ୟବସ୍ଥାର ସୂର୍ଯ୍ୟାସ୍ତ ଆଇନ। ଏହି ଚକ୍ରାନ୍ତମୂଳକ ଆଇନର ସୁଯୋଗ ନେଇ ଯେଉଁ ନବ୍ୟ ଜମିଦାର ଗୋଷ୍ଠୀର ଆବିର୍ଭାବ ଘଟିଲା, ତା’ର ଜଣେ ସଫଳ ପ୍ରତିନିଧି ହେଉଛନ୍ତି ରାମ ଚନ୍ଦ୍ର ମଙ୍ଗରାଜ। ଧୂର୍ତ୍ତତା, ଶଠତା ଓ ପ୍ରତାରଣାର ଭିତ୍ତି ଉପରେ ଗଢ଼ା ଏମାନଙ୍କ ସାମ୍ରାଜ୍ୟ। ବଂଶ ବୁନିଆଦି ଓ ଆଭିଜାତ୍ୟ ନୁହେଁ, ଖଳ ବୁଦ୍ଧି ବଳରେ ସେମାନେ ଆପଣେଇ ନେଇପାରନ୍ତି ଫତେପୁର ସରଷଣ୍ଢର ଜମିଦାରି। ସାମାଜିକ ପ୍ରଥା ପରମ୍ପରା ଓ ଧାର୍ମିକ ଭାବାବେଗକୁ ଆୟୁଧ କରି ସେ ଅପହରଣ କରନ୍ତିି ଗରିବ ଗୁରୁବାଙ୍କ ସମ୍ପତ୍ତି। ମଙ୍ଗରାଜ ଭଳି ଶୋଷକ ଜମିଦାରଙ୍କ ମନ୍ଦ ଅଭିପ୍ରାୟକୁ ସଫଳ କରିବା ପାଇଁ ପାଖେ ପାଖେ ଥାଏ ଚମ୍ପା ଭଳି ଜଣେ ଜଣେ ବଂଶ ପରିଚୟହୀନା ଚାକରାଣୀ। ଲୋକକାହାଣୀରେ ବର୍ଣ୍ଣିତ କୁହୁକିନୀ ମାଲ୍ୟାଣୀର ସାମ୍ପ୍ରତିକ ସଂସ୍କରଣ ପରି ପ୍ରତୀୟମାନ ହେଉଥିବା ଏହି ଚମ୍ପାମାନେ ନିଜର ବାକ୍‌ଚାତୁରି ଓ ଅଭିନୟ କଳା ବଳରେ କେତେବେଳେ ବାଘସିଂହ ବଂଶକୁ ଜାଳିଦେଇପାରନ୍ତି ତ କେତେବେଳେ ରଚନ୍ତି ସାରିଆ ଭଗିଆର ସମ୍ପତ୍ତି ଅପହରଣ କରିବାର ଷଡ଼ଯନ୍ତ୍ର। ନିଜେ ସନ୍ତାନହୀନା ହୋଇ ବି ସେମାନଙ୍କୁ ଜଣା ବନ୍ଧ୍ୟାତ୍ୱ ନିରାକରଣ ମନ୍ତ୍ର। ସେହି ବଶୀକରଣ ମନ୍ତ୍ର ପ୍ରୟୋଗ ଦ୍ୱାରା କକ୍ଷଚ୍ୟୁତ ହୁଏ କେତେକେତେ ସାରିଆ ଭଗିଆଙ୍କ ନିରୀହ ସାଧୁତା।
ଛ’ମାଣ ଆଠଗୁଣ୍ଠ ବିମର୍ଷର କେନ୍ଦ୍ରବିନ୍ଦୁ ଅସୁରଦୀଘି। ଏଠି ସବୁବର୍ଗର ଲୋକ ଏକାଠି ହୁଅନ୍ତି ଏବଂ ସେମାନଙ୍କୁ ଅସ୍ବଚ୍ଛ ଚିନ୍ତା ଓ ଆଚରଣ କାରଣରୁ କେବଳ ଅସୁରଦୀଘିର ଜଳ ପ୍ରଦୂଷିତ ହୁଏନି, ବରଂ ରାତି ପାହିବା ମାତ୍ରେ ପୋଖରୀ ତୁଠରେ ଆରମ୍ଭ ହୋଇଯାଏ ପରଚର୍ଚ୍ଚା ଓ ପରନିନ୍ଦା। ଯେଉଁଠି ଗାଁର ଜମିଦାର ଭଣ୍ଡ ଓ ପ୍ରତାରକ ଏବଂ ଚୌକିଦାର ଚୋର। ସେଠାରେ ସାମାଜିକ ବ୍ୟଭିଚାରକୁ ରୋକିବ କିଏ ? ସେନାପତି ସାହିତ୍ୟରେ ଖଳ ଚରିତ୍ରଙ୍କ ଏକାଧିପତ୍ୟ ଯୋଗୁ ଶଠତା ପାଖରେ ନୈତିକତା ବାରମ୍ବାର ହାରିଯାଏ ସତ, କିନ୍ତୁ ପରିଣତିରେ ପାପାଚାରୀକୁ ଭୋଗିବାକୁ ପଡ଼େ ଅପକର୍ମର ଫଳ। ତା’ର ଦୃଷ୍ଟାନ୍ତ ହେଉଛି, ଜେଲ ଭିତରେ ପାଗଳ ଭଗିଆର କାମୁଡ଼ାରେ ସଂକ୍ରମିତ ମଙ୍ଗରାଜର ମୃତ୍ୟୁ ଏବଂ କୃତକର୍ମର ପ୍ରାୟଶ୍ଚିତ୍ତ ସ୍ବରୂପ ଗୋବିନ୍ଦା ଭଣ୍ଡାରି ହାତରେ ଖଳନାୟିକା ଚମ୍ପାର ପ୍ରାଣହାନି। ଅର୍ଥାତ୍‌ ଅପରାଧ ଓ ଶାସ୍ତିର ବଳୟ ଭିତରେ ଉଭୟ ଶୋଷକ ଓ ଶୋଷିତଙ୍କୁ ସମାନ ନ୍ୟାୟ ପ୍ରଦାନ କରେ ଓଡ଼ିଆ ଜାତିର ମହାପାଠ ଛ’ମାଣ ଆଠଗୁଣ୍ଠ।
ଫକୀରମୋହନ ଯେତିକି ସଂସ୍କାରପ୍ରୟାସୀ, ସେତିକି ସଂସ୍କୃତିପ୍ରବଣ। ଏକ ସଂସ୍କାରସ୍ନାତ ଦୃଷ୍ଟିଭଙ୍ଗୀ ନେଇ ସାରିଆ ଭଗିଆର ସର୍ବସ୍ବ ଅପହରଣ ପଛରେ ଥିବା ଅଶିକ୍ଷା ଓ ଅନ୍ଧବିଶ୍ୱାସ ଆଡ଼କୁ ଯେମିତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ଭାରତୀୟ ସଂସ୍କୃତି ଓ ପରମ୍ପରାର ପଟ୍ଟଭୂମିରେ ସେମିତି ପନତ୍ୀର ତ୍ୟାଗ, ପ୍ରେମ, କର୍ତ୍ତବ୍ୟବୋଧ ଓ ଧର୍ମପ୍ରାଣତା ନିକଟରେ ନିବେଦନ କରିଛନ୍ତି ଆନ୍ତରିକ ଶ୍ରଦ୍ଧା ଓ ସମ୍ବେଦନା। ସମାଜର ଅସାମାଜିକ କ୍ରିୟା ପ୍ରତି ଆଘାତ ହିଁ ତା’ର ଅଭିପ୍ରାୟ ନେଇ ସେ ସଂସ୍କାରକ ଓ ସମାଲୋଚକ ଆସନରେ ବସିଛନ୍ତି ଏବଂ ଶିକ୍ଷା ଓ ଶୋଧନ ନିମନ୍ତେ ପରିବେଷଣ କରିଛନ୍ତି ଚଟୁଳ ହାସ୍ୟରସ। ଅର୍ଥାତ୍‌ ସେନାପତି ସାହିତ୍ୟର ହାସ୍ୟରସ ହେଉଛି ସମାଜର ଦୋଷତ୍ରୁଟି ବିରୋଧରେ ଏକ ସାଂସ୍କୃତିକ ଆକ୍ରମଣ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ୍‌ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପରୀକ୍ଷାର ଖେଳ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ ଥିଲେ ଜଣେ ପ୍ରେମିକ ପ୍ରବର। ପ୍ରେମ ହିଁ ଥିଲା ତାଙ୍କ ପୁରୁଷାର୍ଥର ପ୍ରମୁଖ ପରିଚୟ। ସେ ସବୁବେଳେ କହୁଥିଲେ, ପ୍ରେମରେ ମୋ...

ସତ୍ୟାଗ୍ରହର ଶକ୍ତି

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାନବ ମହାତ୍ମା ଗାନ୍ଧୀ । ବିଶ୍ୱ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଜଣେ ସତ୍ୟନିଷ୍ଠ ମୁକ୍ତିଯୋଦ୍ଧା, ଜଣେ ସମାଜ ସଂସ୍କାରକ,...

ନ୍ୟାୟପାଳିକା ଉପରୁ ତୁଟୁଛି ଭରସା

ବିଚିତ୍ର ବିଶ୍ୱାଳ ହାଇଦ୍ରାବାଦର ଭେଟେରିନାରି ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ସାରା ଦେଶ ଯେପରି ଦୁଃଖିତ ଓ କ୍ରୋଧିତ ହୋଇଥିଲା, ଠିକ୍‌...

ପ୍ରାଣୀ ଓ ପରିବେଶ ଉପଯୋଗୀ ନିବେଶ

ମାନେକା ଗାନ୍ଧୀ ଭାରତର ସବୁଠୁ ସମୃଦ୍ଧ ସମୁଦାୟ (ଜୈନମାନେ) ଏବଂ ଅମ୍ବାନୀ, ବିର୍ଲା, ଜିନ୍ଦଲ, ଓସ୍‌ଓ୍ବାଲ, ମୁଞ୍ଜାଲ, ହିନ୍ଦୁଜା, ଅଦାନୀ ଭଳି ପ୍ରତିଷ୍ଠିତ ବିଜ୍‌ନେସ ପରିବାରଗୁଡ଼ିକ...

ସରକାରଙ୍କ ପାଇଁ ଆହୁତି

ସହଦେବ ସାହୁ   ନିଜର ଭଲ ପାଇଁ ଠାକୁରଙ୍କୁ ସକ୍ରିୟ କରିବା ଅର୍ଥରେ ଯଜ୍ଞରେ ଘିଅ ଆହୁତି ଦିଆଯାଏ। ସେହି ନଜିରରେ ନିଜର ଦାବିକୁ ଭଲଭାବେ...

ଜଳବୁଡ଼ି ମୃତ୍ୟୁ ଚିନ୍ତାର କାରଣ

ଶେଖ୍‌ ଫରିଦଉଦ୍ଦିନ ଏକ ସରକାରୀ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ, ରାଜ୍ୟରେ ବର୍ଷକୁ ହାରାହାରି ୪୩୧ ଜଣ ପାଣିରେ ବୁଡ଼ି ମରୁଛନ୍ତି। ଗତ ତିନିବର୍ଷ ମଧ୍ୟରେ ୧୨୯୨...

ମହୋତ୍ସବର ଅମୃତ

ଉପେନ୍ଦ୍ର ବିଶ୍ୱାଳ ଏଇମାତ୍ର ପୂରିଛି ୭୫ବର୍ଷ। ଆରମ୍ଭ ହୋଇଯାଇଛି ସ୍ବାଧୀନତାର ଅମୃତ ମହୋତ୍ସବ। ଅର୍ଥାତ ବର୍ଷତମାମ ମହୋତ୍ସବ ମାଧ୍ୟମରେ ଅମୃତ ସନ୍ଧାନରେ ବ୍ରତୀ ରହିବ ଭାରତ।...

ମାନିବାକୁ ପଡ଼ିବ

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ହରିୟାଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ନିକଟରେ ସେ ପ୍ରଧାନମନ୍ତ୍ରୀଙ୍କୁ...

Advertisement
Archives

Model This Week