ବିଦ୍ୟାଳୟ, ଅଙ୍ଗନଓ୍ବାଡି, ପାର୍କ ପାଇଁ ଅର୍ଥ ବ୍ୟବସ୍ଥା

ବିରିଡି, ୨୩।୧୨(ଡି.ଏନ.ଏ.): ବିରିଡି ପଞ୍ଚାୟତ ସମିତିର ଅନ୍ତିମ ସାଧାରଣ ବୈଠକ ବୁଧବାର ସମିତି ସଭା ଗୃହରେ ସମିତି ଅଧ୍ୟକ୍ଷ ପଦ୍ମନାଭ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ସାହୁ, ଜିଲାପରିଷଦ ସଭ୍ୟା ଲତା ଦାସ, ସଭ୍ୟ ପ୍ରତାପ ବେହେରା, ବିଡିଓ ହେମନ୍ତ କୁମାର ମହାନ୍ତ, ଏବିଡିଓ ସନ୍ତୋଷ ଶତପଥୀ, ଜିପିଇଓ ପାୟଲ ମହାପାତ୍ର, ସହକାରୀ ନିର୍ବାହୀଯନ୍ତ୍ରୀ କୃଷ୍ଣଚନ୍ଦ୍ର ସେଠୀ ଯୋଗଦେବା ସହ ବ୍ଲକ ନଂ. ୨୧ ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟାସଭ୍ୟ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଞ୍ଚାୟତକୁ ପଞ୍ଚଦଶ କେନ୍ଦ୍ରୀୟ ଅନୁଦାନର ଆବଦ୍ଧ ଅର୍ଥ ବାବଦକୁ ୩ ଲକ୍ଷ ୫ ହଜାର ୩୦ ଟଙ୍କା, ଅନାବଦ୍ଧ ବାବଦକୁ ୨ ଲକ୍ଷ ୩,୩୫୨ ଟଙ୍କା ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅର୍ଥ ବାବଦକୁ ୪ ଲକ୍ଷ ୩,୮୩୯ ଟଙ୍କାର ପ୍ରକଳ୍ପ ତାଲିକା ଅନୁମୋଦିତ ହୋଇଥିଲା। ଏହି ଅର୍ଥରେ ଉଚ୍ଚ ବିଦ୍ୟାଳୟ ନିର୍ମାଣ ଓ ମରାମତି, ନୂତନ ଅଙ୍ଗନୱାଡି ଗୃହ ନିର୍ମାଣ ଓ ମରାମତି, ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ନିର୍ମାଣ ଓ ମରାମତି, ଗ୍ରାମ୍ୟ ପାର୍କ, ଖେଳ ପଡିଆ ଆଦି କାର୍ଯ୍ୟ ହୋଇପାରିବ ଏବଂ ପ୍ରକଳ୍ପଗୁଡିକର ତାଲିକା ସମିତି ସଭ୍ୟାସଭ୍ୟମାନେ ଦେବେ ବୋଲି ଜିପିଇଓ ମହାପାତ୍ର କହିଥିଲେ। ଏହି ଅବସରରେ ସମସ୍ତ ଜନ ପ୍ରତିନିଧିମାନଙ୍କୁ ବ୍ଲକ ଅଧ୍ୟକ୍ଷ ଭୋଇ ତାଙ୍କ ପକ୍ଷରୁ ଉପଢୌକନ ଓ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଉପାଧ୍ୟକ୍ଷା ସାହୁ ଧନ୍ୟବାଦ ଦେଇଥିଲେ।