ନୂଆଦିଲ୍ଲୀ, ୨୯।୯: ଏଲ୍ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ଜେଲ୍ରେ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମୁମ୍ବାଇର ଯଶଲୋକ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ଗୁରୁବାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସା ସୁବିଧା ପାଇବା ବନ୍ଦୀମାନଙ୍କ ମୌଳିକ ଅଧିକାର ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ନଭଲଖାଙ୍କ ପାର୍ଟନର ସାଭା ହୁସେନ୍ ଏବଂ ଭଉଣୀ ତାଙ୍କୁ ହସ୍ପିଟାଲରେ ଭେଟିବା ଲାଗି ଜଷ୍ଟିସ୍ କେ.ଏମ୍. ଜୋସେଫ ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ଅନୁମତି ଦେଇଛନ୍ତି। ମୁମ୍ବାଇ ନିକଟ ତଲୋଜା ଜେଲରେ ଥିବା ୭୦ ବର୍ଷୀୟ ସାମାଜିକ କର୍ମୀ ନଭଲଖା ସେଠାରେ ପର୍ଯ୍ୟାପ୍ତ ମେଡିକାଲ ଓ ମୌଳିକ ସୁବିଧା ନ ଥିବା ଦର୍ଶାଇ ତାଙ୍କୁ ଗୃହବନ୍ଦୀ କରିବା ପାଇଁ ଆବେଦନ କରିଥିଲେ। ବମ୍ବେ ହାଇକୋର୍ଟ ଗତ ଏପ୍ରିଲ ୨୬ରେ ତାଙ୍କ ଆବେଦନକୁ ଖାରଜ କରିଦେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।