ପେଟରୁ ୫୭ କେଜି ଟ୍ୟୁମର ବାହାରିବା ଘଟଣା: ସୁସ୍ଥ ହୋଇ ଫେରିଗଲେ ଫୁଲମତି

ଖୋର୍ଦ୍ଧା ଅଫିସ,୧୩ା୧୧: ଦୀର୍ଘ ୧୦ ବର୍ଷ ପେଟରେ ୫୭ କେଜି ଟ୍ୟୁମର ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ନବରଙ୍ଗପୁର ଜିଲା ପାଣ୍ଡ୍ରିପାଖନା କଚରପଡ଼ା ଗ୍ରାମର ଫୁଲମତି ଗଣ୍ଡ। ଖୋର୍ଦ୍ଧା ଜିଲା କୁହୁଡ଼ିସ୍ଥିତ ସାଇସେବା ସଦନ ମେଡିକାଲରେ ସଫଳ ଅପରେଶନ ପରେ ଏହି ଟ୍ୟୁମର ବାହାରିଥିଲା। ଏବେ ଫୁଲମତି ସୁସ୍ଥ ହୋଇଛନ୍ତି। ମଙ୍ଗଳବାର ସେ ତାଙ୍କ ମା’ ଓ ଭାଇଙ୍କ ସହ ନିଜ ଗ୍ରାମକୁ ଫେରିଯାଇଛନ୍ତି। ଫେରିବାବେଳେ ପରିବାର ଲୋକେ ଆନନ୍ଦାଶ୍ରୁ ଝରାଇ ମେଡିକାଲ ଟିମ୍‌, ସାଇସେବା ସଦନ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଓ ସମସ୍ତଙ୍କ ସହଯୋଗ ଯୋଗୁ ଫୁଲମତି ନୂତନ ଜୀବନ ପାଇଛନ୍ତି ବୋଲି ତାଙ୍କ ମା’ ହାଲୁରୀ ଗଣ୍ଡ ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟ, ଧନୀରାମ ଗଣ୍ଡ ଓ ହାଲୁରୀଙ୍କ ଝିଅ ଫୁଲମତିଙ୍କ ବୟସ ବଢିବା ସହିତ ତାଙ୍କ ପେଟରେ ଏକ ଟ୍ୟୁମର ବଢିଚାଲିଥିଲା। ଆର୍ଥତ୍କ ଅନଟନ ଯୋଗୁ ସେ ଏହାର ଚିକିତ୍ସା କରାଇପାରୁ ନ ଥିଲେ। ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ିଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ କୋରାପୁଟ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ସୋସିଆଲ ମିଡିଆରୁ ତାଙ୍କ ସମ୍ପର୍କରେ ସାଇସେବା ସଦନ ମୁଖ୍ୟ ପରିଚାଳକ ଜଗନ୍ନାଥ ସାହୁ ଜାଣିବାକୁ ପାଇଲେ। ସେ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ନିଜ ମେଡିକାଲକୁ ଆଣିଲେ। ପବିତ୍ର ଦଶହରା ଅକ୍ଟୋବର ୨୬ରେ ଅପରେଶନ କରାଇଲେ। କୋରାପୁଟ ସଦର ଚିକିତ୍ସାଳୟର ଆସିଷ୍ଟାଣ୍ଟ ସର୍ଜନ ଡା. ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସାଇସେବା ସଦନ ମେଡିକାଲର ୫ଜଣିଆ ଟିମ୍‌ ଏହି ଅପରେଶନ କରିଥିଲେ।