Categories: ବାଣିଜ୍ୟ

ରେକର୍ଡ ଭାଙ୍ଗି ଚାଲିଛି ତେଲ ଦର

ଭୁବନେଶ୍ୱର: ତେଲ ଦରରେ ଲଗାତର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଚାଲିଛି। ପେଟ୍ରୋଲ ଏବଂ ଡିଜେଲ ଦର କମିବା ଦେଖାଯାଉନାହିଁ। ଗତ ସପ୍ତାହରେ ଇନ୍ଧନ ଦର ୪ଥର ବଢ଼ିଥିଲା। ସେହିଭଳି ଜାନୁୟାରୀରେ ତେଲ ଦର ମୋଟ ୯ଥର ବୃଦ୍ଧି ପାଇବା ଅସହ୍ୟ ହେଲାଣି। ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ଶନିବାର ଲଗାତର ଦ୍ୱିତୀୟ ଦିନ ଲାଗି ତେଲ ଦର ବଢ଼ାଇଥିଲେ। ଶନିବାର ପରେ ବୁଧବାର ପୁଣି ଥରେ ଦର ବଢ଼ିବା ଯୋଗୁ ତେଲ ଦର ଲଗାତର ରେକର୍ଡ ଭାଙ୍ଗି ଚାଲିଛି। ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଲାଗି ଖାଉଟିଙ୍କୁ ଦିଲ୍ଲୀ ତୁଳନାରେ ଅଧିକ ଦାମ୍‌ ଦେବାକୁ ପଡୁଛି। ବୁଧବାର ଏଠାରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢି ୮୬.୯୮ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ୨୮ ପଇସା ବଢ଼ି ୮୩.୩୪ ଟଙ୍କା ହୋଇଛି।
ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବୁଧବାର ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ ବ୍ରାଣ୍ଡେଡ ବା ପ୍ରିମିୟମ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ଟପିଛି। ସେହିଭଳି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ପେଟ୍ରୋଲ ଦର ୨୫ ପଇସା ବଢ଼ି ୮୬.୩୦ଟଙ୍କା ରହିଛି। ଡିଜେଲ ମଧ୍ୟ ୨୫ ପଇସା ବୃଦ୍ଧି ହେବା ଫଳରେ ୭୬.୪୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୯୨.୮୬ ଟଙ୍କା ଓ ୮୩.୦୩ ଟଙ୍କାରେ ବିକ୍ରି ହେଉଛି। ଜାନୁୟାରୀରେ ପେଟ୍ରୋଲ ନୂଆଦିଲ୍ଲୀରେ ୨.୫୯ ଟଙ୍କା ଏବଂ ଡିଜେଲ ୨.୬୧ ଟଙ୍କା ବଢିଛି। ଜାନୁୟାରୀ ୬ ପରଠାରୁ ତେଲ ଦର ଲଗାତର ବଢ଼ିବା ଯୋଗୁ ଦର ରେକର୍ଡ ଭାଙ୍ଗି ଚାଲିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଫଳରେ ଭାରତରେ ବଢ଼ିଚାଲିଛି। ବିଦେଶୀ ବିନିମୟ ମୂଲ୍ୟ ପରେ ତେଲ କମ୍ପାନୀ ଦର ନିର୍ଦ୍ଧାରଣ କରିଥାନ୍ତି। ଅପରପକ୍ଷରେ କେନ୍ଦ୍ର ଏବଂ ରାଜ୍ୟ ସରକାର ତେଲ ଉପରେ ବର୍ଦ୍ଧିତ ଟିକସ ଲଗାଇବା ଯୋଗୁ ଇନ୍ଧନ ଦର ହ୍ରାସ ହେଉନାହିଁ। ତେଲ ଟିକସ କମାଇବା ଲାଗି ଦାବି ହୋଇ ଆସୁଥିବା ବେଳେ ସରକାର ଏ ନେଇ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଖାଉଟିଙ୍କୁ ଦର ବୃଦ୍ଧିଜନିତ ସମସ୍ୟା ଦେଇ ଗତି କରିବାକୁ ପଡ଼ିଛି।

Share