ଆଜିଠୁ ସହରବାସୀଙ୍କ ଜଗା ଦର୍ଶନ

ପୁରୀ ଅଫିସ,୨୬ା୧୨: ପୁରୀବାସୀଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି ଶୁକ୍ରବାର ଶେଷ ହୋଇଛି। ବ୍ୟାରିକେଡ୍‌ ଓ କରିଡର କାର୍ଯ୍ୟ ସରିଛି। ମୁଖ୍ୟ ବ୍ୟାରିକେଡ୍‌ ପାଖରେ ୮ଟି କିଓସ୍କୋ ରଖାଯାଇଛି। ପ୍ରତି କିଓସ୍କୋରେ କ୍ୟାମେରା ସଂଯୋଗ ହୋଇଛି। ପରିଚୟପତ୍ର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ଉଠାଇବା ପାଇଁ କ୍ୟାମେରା ବ୍ୟବସ୍ଥା କରାଯାଇଛି। ୯ ଲେନ୍‌ ବିଶିଷ୍ଟ ବ୍ୟାରିକେଡ୍‌ ପାଖକୁ ଲାଗି ବଡି ସାନିଟାଇଜର ମେଶିିନ ରହିଛି। ସ୍ଥାନୀୟ ଲୋକେ ଏହା ମଧ୍ୟଦେଇ ଯାଇ ବ୍ୟାରିକେଡ୍‌ ପାଖରେ ପହଞ୍ଚିବେ। ସେଠାରେ ମେଟାଲ୍‌ ଡିଟେକ୍ଟରରେ ଯାଞ୍ଚ କରାଯିବ। ତେବେ କିଓସ୍କୋ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ପ୍ରାୟ ୫ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ଏହାଠୁ ଅଧିକ ଲୋକଙ୍କୁ ଦର୍ଶନ ଅନୁମତି ଦେଲେ ସାମାଜିକ ଦୂରତା ରକ୍ଷା କରିବା ଓ ଶୃଙ୍ଖଳିତ ଦର୍ଶନ କରାଇବା କଷ୍ଟ ହୋଇପଡ଼ିବ ବୋଲି ପ୍ରଶାସନ କହିଛି। ଅନ୍ୟ ପକ୍ଷରେ ପ୍ରସ୍ତୁତି ୫ ହଜାର ଭଳି ହୋଇଥିବା ମନେ ହେଉନାହିଁ। କିଓସ୍କୋ ଦେଇ ଯିବାକୁ ଜଣେ ବ୍ୟକ୍ତିଙ୍କୁ ଅତିକମ୍‌ରେ ୩ରୁ ୪ ମିନିଟ ସମୟ ଲାଗିବ। ପ୍ରଶାସନ ୮ଟି କିଓସ୍କୋ ବ୍ୟବସ୍ଥା କରିଛି। ଦର୍ଶନ ୮ରୁ ୧୦ ଘଣ୍ଟା ହେବ। ହିସାବ କଲେ ଏଇ ସମୟ ଭିତରେ ସର୍ବାଧିକ ୨ରୁ ଅଢ଼େଇ ହଜାର ଲୋକେ ଦର୍ଶନ କରିପାରିବେ। ଯଦି ୫ ହଜାର ଲୋକେ ନିର୍ଦ୍ଧାରିତ ସମୟରେ ଆସନ୍ତି, ତା’ହାଲେ ସେମାନେ କିଭଳି ଭାବେ ଦର୍ଶନ କରିବେ ସେନେଇ ପ୍ରଶ୍ନ ଉଠୁଛି।