ରାଜନୀତିରୁ ହେଲେ ସଫଳ ଚାଷୀ: ଆକର୍ଷଣ ପାଲଟିଛି ଷ୍ଟ୍ରବେରି ଚାଷ

କୁଚିଣ୍ଡା,୨୨ା୩(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଉପାନ୍ତ ଝାରମାଲ ଗ୍ରାମର ପୂର୍ବତନ ଜିଲା ପରିଷଦ ସଭ୍ୟା ତଥା ଏସ୍‌ଏଚ୍‌ଜି ସଦସ୍ୟା ଲୀନା ମାଝିଙ୍କୁ ଷ୍ଟ୍ରବେରି ଚାଷ ସ୍ବତନ୍ତ୍ର ପରିଚୟ ଦେବା ସହ ସ୍ବାବଲମ୍ବୀ କରାଇଛି। କୁଚିଣ୍ଡା ଉପଖଣ୍ଡ ଲଙ୍କା ମରିଚ, ଆମ୍ବ ଓ ଲିଚୁ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ କିଛି ବର୍ଷ ପୂର୍ବରୁ ସେଓ ଚାଷ ଯୋଗୁ ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତର ଗମ୍ଭିରାମୁଣ୍ଡା ଓ କୁଚିଣ୍ଡା ବ୍ଲକ ସାଲେଭାଡି ପଞ୍ଚାୟତର ବଡବାହାଲ ଗ୍ରାମ ଚର୍ଚ୍ଚାରେ ରହିଛି।

ଏସବୁ ଚାଷ ପାଇଁ ଏଠାକାର ଜଳବାୟୁ ଅନୁକୂଳ ଥିବାରୁ ଏବେ କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତ ଝାରମାଲ ଗ୍ରାମର ଲୀନା ମାଝିଙ୍କ ଷ୍ଟ୍ରବେରି ଚାଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଝାରମାଲ ଗ୍ରାମର ‘ମା’ ରାଜଶ୍ରୀ ଏସ୍‌ଏଚ୍‌ଜି’ରେ ସଦସ୍ୟା ଅଛନ୍ତି ଲୀନା। ସେ ଜିଲା ପ୍ରଶାସନ, କୁଚିଣ୍ଡା ବିଡିଓ ନିରଞ୍ଜନ ସା ଓ ଓଏଲ୍‌ଏମ୍‌ (ଓଡ଼ିଶା ଜୀବିକା ମିଶନ) ବିପିଏମ୍‌ ଷ୍ଟିଫେନ ବେହେରାଙ୍କଠାରୁ ଷ୍ଟ୍ରବେରି ଚାଷ ସମ୍ପର୍କରେ ପ୍ରୋତ୍ସାହିତ ହୋଇଥିଲେ। ଘରକୁ ଆସି ସ୍ବାମୀ ଈଶ୍ବର ମାଝିଙ୍କ ସହ ଆଲୋଚନା କରି ୟୁଟ୍ୟୁବ ଦେଖି ଏ ବାବଦରେ ଅଧିକ ଜ୍ଞାନ ଆହରଣ କରି ଚାଷ ପାଇଁ ମନ ବଳାଇଥିଲେ।

ଷ୍ଟ୍ରବେରି ଏକ ଲତାଜାତୀୟ ଚାଷ। ଲୀନା ତାଙ୍କ ସ୍ବାମୀ ଈଶ୍ବରଙ୍କ ସହଯୋଗରେ ଫୁଲବାଣୀରୁ ଚାରା ଆଣି ନିଜ ବାଡିରେ ଥିବା ପ୍ରାୟ ୮୦ଡେସିମିଲ ଜମିରେ ଷ୍ଟ୍ରବେରି ଚାଷ କରିଥିଲେ। ଜୈବିକ ପଦ୍ଧତିରେ ସେ ଏହି ଚାଷ କରିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୪୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବା ସେ କହନ୍ତି।

ପରୀକ୍ଷାମୂଳକ ଭାବେ ପ୍ରଥମଥର ପାଇଁ ସେ ଏହି ଚାଷ କରିଥିବା ବେଳେ ଷ୍ଟ୍ରବେରିର ଅନୁକୂଳ ସମୟ ହେଉଛି ସେପ୍ଟେମ୍ବର/ଅକ୍ଟୋବର ମାସ। ନଭେମ୍ବର ଶେଷ ଭାଗରେ ସେ ଚାରା ଲଗାଇଥିବାରୁ ଏଥର ଉତ୍ପାଦନ କମ୍‌ ହୋଇଥିବା ସେ କହିଛନ୍ତି। ଜାନୁଆରୀରୁ ଅଦ୍ୟାବଧି ସେ ପ୍ରାୟ ୨ କୁଇଣ୍ଟାଲ ଷ୍ଟ୍ରବେରି ବିକ୍ରି କଲେଣି। କେଜି ପ୍ରତି ୪୫୦ଟଙ୍କା ରହିଥିବା ବେଳେ ୨ଶହ ଗ୍ରାମ ପ୍ୟାକେଟ ମୂଲ୍ୟ ୮୦ଟଙ୍କାରେ ବିକ୍ରି କରୁଛନ୍ତି।

ଷ୍ଟ୍ରବେରି ଚାଷରେ ଏବେ ବି ଫୁଲ ଫଳ ଧରିଛି ଓ ଏହା ଏପ୍ରିଲ ପର୍ଯ୍ୟନ୍ତ ଆମଦାନୀ ହେବ ବୋଲି ସେ କହିଛନ୍ତି। ସେ ବିଭିନ୍ନ ଏସ୍‌ଏଚ୍‌ଜି ମେଳା ପ୍ରଦର୍ଶନୀ ପାଇଁ ନେଇଥିବା ଷ୍ଟ୍ରବେରିକୁ ଲୋକେ ବହୁ ପସନ୍ଦ କରୁଥିବା ଏବଂ ଏହି ଚାଷ ଦେଖିବାକୁ ପ୍ରତିଦିନ ତାଙ୍କ ଘରେ ଗହଳି ଲାଗୁଥିବା ସ୍ବାମୀ ଈଶ୍ବର କହନ୍ତି।

ଲୀନାଙ୍କ ଠାରୁ ଅନୁପ୍ରାଣିତ ହୋଇ କେହି ଯଦି ଷ୍ଟ୍ରବେରି ଚାଷ କରିବା ପାଇଁ ଇଚ୍ଛା କରନ୍ତି ତେବେ ସେ ତାଙ୍କୁ ତାଲିମ ଦେବା ସହ ଚାରା ଯୋଗାଇଦେବେ ବୋଲି କହିଛନ୍ତି। ଷ୍ଟ୍ରବେରି ଏକ ଲାଭଜନକ ଚାଷ ହୋଇଥିବା ବେଳେ ଏଥିପାଇଁ ସେ ଖୁବ୍‌ ଆନନ୍ଦିତ ଓ ଭଲ ରୋଜଗାର କରି ସାବଲମ୍ବୀ ହୋଇଥିବା ଲୀନା କହିଛନ୍ତି।