ଭୁବନେଶ୍ୱର,୧୪।୬(ସୁନିତ୍ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍ ଅଫିସରଙ୍କ ତାଲିକା ୧୨ ଜୁନ୍ ୨୦୨୬ରେ ପ୍ରକାଶ ପାଇଛି। ଆପଏଣ୍ଟମେଣ୍ଟ କମିଟି ଅଫ କ୍ୟାବିନେଟ୍ ଦ୍ୱାରା ଏହି ତାଲିକାକୁ ଅନୁମୋଦନ ମିଳିଛି। ତାଲିକାରେ ଓଡିଶାରୁ ୧୯୯୦ ବ୍ୟାଚ୍ ଆଇପିଏଏସ୍ ଅଫିସର ସୁଧାଂଶୁ ଷଡଙ୍ଗୀଙ୍କ ନାମ ଏକ ନମ୍ୱରରେ ରହିଛି। ସେହିପରି ରାଜ୍ୟର ୧୯୯୫ ବ୍ୟାଚ୍ର ଆଇପିଏସ୍ ଅଫିସର ପଦ୍ମାକର ଏସ୍. ରଣପିସେଙ୍କ ନାମ ମଧ୍ୟ ଡିଜି ପାହ୍ୟାକୁ ଯାଇଛି। ପ୍ରକାଶିତ ତାଲିକା ଅନୁଯାୟୀ ସୁଧାଂଶୁ ଷଡଙ୍ଗୀ ବରିଷ୍ଠତା ଦୃଷ୍ଟିରୁ ତାଲିକାର ସବୁଠାରୁ ଆଗରେ ରହିଛନ୍ତି। ଏଣିକି କେନ୍ଦ୍ରରେ ଡିଜି ପାହ୍ୟା କିମ୍ୱା ସେହି ପାହ୍ୟାରେ ସୁଧାଂଶୁ ଷଡଙ୍ଗୀ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ହେଇଛନ୍ତି। ନିୟମ ଅନୁଯାୟୀ, ଯେଉଁ ଆଇପିଏସ୍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବେ ସେମାନଙ୍କୁ କେନ୍ଦ୍ରରେ ଡିଜି ପାହ୍ୟାରେ ନିଯୁକ୍ତି ମିଳିପାରିବ। ରାଜ୍ୟରେ ଆଇଜି ପାହ୍ୟାର ଅଫିସର ହେବା ପୂର୍ୱରୁ ଡେପୁଟେସନ ଯାଇଥିବା ଦରକାର। ହେଲେ ଓଡିଶାରୁ ବହୁ ଆଇପିଏସ୍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଇନାହାନ୍ତି। ଯେଉଁଥିଲାଗି ସେମାନଙ୍କୁ କେନ୍ଦ୍ରରେ ଡିଜି ପାହ୍ୟାର ନିଯୁକ୍ତି ମିଳିପାରିବ ନାହିଁ। ପ୍ରକାଶ ପାଇଥିବା ୩୩ ଜଣିଆ ତାଲିକାରେ ବିଭିନ୍ନ ରାଜ୍ୟର ୧୯୯୫ ବ୍ୟାଚ୍ର ସର୍ୱାଧିକ ଆଇପିଏଏସ୍ ଅଫିସରଙ୍କ ନାମ ରହିଛି। ମାତ୍ର ଓଡିଶାର ୧୯୯୫ ବ୍ୟାଚ୍ର ରଣପିସେଙ୍କୁ ଛାଡିଦେଲେ ଅନ୍ୟ କାହାରି ନାମ କେନ୍ଦ୍ରୀୟ ଡେପୁଟେସନରେ ଯାଇ ନ ଥିବାରୁ ସେମାନଙ୍କୁ ଏହି ତାଲିକାରେ ସୁଯୋଗ ମିଳିନାହିଁ। ଆଗକୁ ଏଭଳି ତାଲିକା ଆସିଲେ ମଧ୍ୟ ସେହି ବ୍ୟାଚ୍ର ବହୁ ଅଫିସର ଉକ୍ତ ସୁଯୋଗ ପାଇବାରୁ ବଞ୍ଚିତ ହେବେ।
ଆସନ୍ତା ଅଗଷ୍ଟ ୧୬ ତାରିଖ ବେଳକୁ ଓଡିଶାର ଡିଜି ଓ୍ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବ। ମାତ୍ର ସେ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଡିଜି ଦାୟିତ୍ୱରେ ରହିବେ। ନିୟମାନୁଯାୟୀ, ରାଜ୍ୟର ପରବର୍ତ୍ତୀ ଡିଜିପିଙ୍କୁ ନିଯୁକ୍ତି ଦେବା ପାଇଁ ଓଡିଶାର ସବୁ ଡିଜି ପାହ୍ୟାର ଆଇପିଏସ୍ ଅଫିସରଙ୍କ ତାଲିକା ରାଜ୍ୟ ସରକାର ପ୍ରଥମେ ୟୁନିୟନ ପବ୍ଲିକ ସର୍ଭିସ୍ କମିଶନ(ୟୁପିଏସ୍ସି)କୁ ପଠାଇବେ। ଯେଉଁମାନଙ୍କ ନାଁ ଡିଜିପି ପଦ ଲାଗି ଯିବ ସେମାନଙ୍କ ଚାକିରୀ କାର୍ଯ୍ୟକାଳ ଅଗଷ୍ଟ ୧୬ରୁ ସର୍ୱନିମ୍ନ ୬ ମାସ ରହିଥିବା ଦରକାର। ରାଜ୍ୟ ସରକାରଙ୍କ ପଠାଇଥିବା ତାଲିକାରୁ ଚୁଡାନ୍ତ ୩ ଜଣଙ୍କ ନାମ ୟୁପିଏସ୍ସି ବାଛିକି ରାଜ୍ୟକୁ ପଠାଇବ। ଏହାପରେ ସେହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ଭାବେ ନିଯୁକ୍ତି ମିଳିବ। ମିଳିଥିବା ସୂଚନା ମୁତାବକ, ଓଡିଶାର ନୂଆ ଡିଜିପି ପଦ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ୧୦ ଜଣ ଆଇପିଏଏସ୍ ଅଫିସରଙ୍କ ନାମ ୟୁପିଏସ୍ସିକୁ ପଠାଯାଇସାରିଛି। ବରିଷ୍ଠତା ଦୃଷ୍ଟିରୁ ସୁଧାଂଶୁ ଷଡଙ୍ଗୀ ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି। ତାଙ୍କ ପରେ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ସୁଶାନ୍ତ ନାଥ ଏବଂ ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ଆର୍.ପି କୋଚେଙ୍କ ନାମ ରହିଛି। ଏହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟର ପରବର୍ତ୍ତୀ ଡିଜିପି ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ଅଧିକ। ଏବେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅଣଓଡିଆ ଅଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଭାଜପା ସରକାର ଡିଜିପି ପାହ୍ୟାରେ କୌଣସି ଅଣଓଡିଆଙ୍କୁ ନିଯୁକ୍ତି ଦେବାକୁ ଚାହିଁ ନ ପାରନ୍ତି। କାରଣ ବର୍ତ୍ତମାନ ରାଜ୍ୟରେ ଉଭୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ଅଣଓଡିଆ ଅଛନ୍ତି।