Categories: ଖେଳ

ଆମାଜନ ଡେଲିଭରି ବୟରୁ ଷ୍ଟାର ଅଲ୍‌ରାଉଣ୍ଡର

ମୁସ୍କଟ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆରମ୍ଭରୁ ବାଂଲାଦେଶକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍କଟଲାଣ୍ଡ। ଅଲରାଉଣ୍ଡର କ୍ରିସ ଗ୍ରେଭେସଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଏହା ସମ୍ଭବ ହୋଇପାରିଛି। କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବା ପୂର୍ବରୁ ସେ ଆମାଜନ ପାଇଁ ପାର୍ସଲ ଡେଲିଭରି କରୁଥିଲେ।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଏକଦା ସ୍କଟଲାଣ୍ଡ ୫୩ ରନ୍‌ରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ୨୮ ବଲରେ ୪୫ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ ୩୧ ବର୍ଷୀୟ ଗ୍ରେଭେସ। ଫଳରେ ବାଂଲାଦେଶ ଆଗରେ ୧୪୧ ରନ୍‌ର ଟାର୍ଗେଟ ଛିଡ଼ା କରିବାକୁ ସକ୍ଷମ ହୋଇଥିଲା ସ୍କଟଲାଣ୍ଡ। ଏହାପରେ ତାଙ୍କ ଲେଗ୍‌ ସ୍ପିନର ଶିକାର ହୋଇଥିଲେ ଶାକିବ ଅଲ ହାସନ ଓ ମୁଶଫିକର ରହିମଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନ।

ଗ୍ରେଭେସଙ୍କୁ ପ୍ରଶଂସା କରି ସ୍କଟଲାଣ୍ଡ ଅଧିନାୟକ କାଇଲ କୋଏଟର କହିଥିଲେ, ଏହା ଗ୍ରେଭେସଙ୍କ ପାଇଁ ଅବିଶ୍ୱସନୀୟ ଦିନ। କିନ୍ତୁ ଏହା ଆମକୁ ଚକିତ କରି ନାହିଁ। କାରଣ ତାଙ୍କ ଦକ୍ଷତା ଆମକୁ ଜଣାଅଛି। ମୁଁ ତାଙ୍କ ପାଇଁ ଗର୍ବିତ, ସେ କ୍ରିକେଟର ହେବା ପାଇଁ ଅନେକ ବଳିଦାନ ଦେଇଛନ୍ତି। ସେ କିଛି ଦିନ ତଳେ ଆମଜନ ପାଇଁ ପାର୍ସଲ ଡେଲିଭର କରୁଥିଲେ। ଆଉ ଏବେ ବାଂଲାଦେଶ ଭଳି ଦଳ ବିପକ୍ଷରେ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଉଲ୍ଲେଖଯୋଗ୍ୟ, ଏହା ଗ୍ରେଭେସଙ୍କ ପାଇଁ ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌।

Share