ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର

କେନ୍ଦ୍ରାପଡ଼ା ଅଫିସ,୨ା୪: କେନ୍ଦ୍ରାପଡ଼ା ଜିଲା ରାଜନଗର ପେଣ୍ଠ ବେଳାଭୂମିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର ହୋଇଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡ଼ିରହିଥିବା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 

ମିଳିଥିବା ସୂଚନାନୁଯାୟୀ, ଆଳି ଅଞ୍ଚଳର ଭାଗବତଙ୍କ ବନ୍ଧୁ ଅକ୍ଷୟ ରାଉତ ଆଜି ପୂର୍ବାହ୍ନରେ ଏକ ଅଟୋ ଯୋଗେ ଭାଗବତଙ୍କ ପାଖରେ ପହଞ୍ଚି ପେଣ୍ଠ ବେଳାଭୂମି ବୁଲି ଯିବାକୁ ଡାକି ନେଇଥିଲେ। ପେଣ୍ଠରେ ପହଞ୍ଚିବା ପରେ ଦୁଇ ଜଣ ସାଙ୍ଗ ହୋଇ ବୁଲାବୁଲି କରିବା ସହ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇ ଭାଗବତ ବିଶ୍ରାମ ନେଉଥିବା ସମୟରେ ଅକ୍ଷୟ ପୂର୍ବ ଯୋଜନା ମୁତାବକ ଭୁଜାଲି ସାହାଯ୍ୟରେ ଭାଗବତଙ୍କ ଯୌନାଙ୍ଗକୁ ହାଣି ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାଗବତ ତାଙ୍କ ଘରକୁ ଫୋନ କରିଥିଲେ। ପରିବାର ଲୋକଙ୍କ ସହ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଭାଗବତଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଥିବା ବେଳେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡ଼ିଛି।