ଭୁବନେଶ୍ୱର/ ବାଲିପାଟଣା, ୯।୫(ତ୍ରିନାଥ ମହାନ୍ତି/ ଅଭିମନ୍ୟୁ ନାୟକ): ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ। ମୃତ ଯୁବକ ହେଲେ ରାକେଶ ମହାନ୍ତି। ଖବରପାଇ ବାଲିପାଟଣା ଥାନା ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ ମୃତଦେହ ଜବତ କରି ଛାନ୍ଭିନ କରୁଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ବେଙ୍ଗବତୀ ଗ୍ରାମର ଅଭିଯୁକ୍ତ ଜାକିର୍ ସାହୁଙ୍କୁ ଗିରଫ କରିଛି। ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଛାନ୍ଭିନ୍ କରୁଛି। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।
ସୂଚନାନୁସାରେ, ଜାକିର୍ ବେଙ୍ଗବତୀ ଗଁାରେ ନିଶା କାରବାର କରନ୍ତି। ତେଣୁ ଲୋକଙ୍କୁ ମାଗଣା ନିଶା ଦେଇ ହାତରେ ରଖି ଟଙ୍କା ରୋଜଗାର କରୁଛନ୍ତି। ସ୍ଥାନୀୟ ଅଠାନ୍ତର ଗ୍ରାମରେ ଏକ ପୂଜାମଣ୍ଡପ ନିକଟରେ ରାକେଶ ବସାଉଠା କରନ୍ତି। ସେଠାରେ ଜାକିର୍ଙ୍କ ସହ ତାଙ୍କର ପରିଚୟ ହୋଇ ବନ୍ଧୁତା ସୃଷ୍ଟି ହୋଇଥିଲା। ଜାକିରଙ୍କ ଠାରୁ ରାକେଶ ୨୦ ହଜାର ଟଙ୍କା ଧାର ଆକାରରେ ଆଣିଥିଲେ। ହେଲେ ଅର୍ଥ ଅଭାବରୁ ସେ ଟଙ୍କା ଦେଇ ପାରି ନ ଥିଲେ। ଶୁକ୍ରବାର ଅପରାହ୍ନ ୨ଟାରେ ରାକେଶଙ୍କୁ ଜାକିର୍ ଅଠାନ୍ତର ଛକକୁ ଆସିବାକୁ କହିଥିଲେ। ସେ ଯିବା ପରେ ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିଛି ନିଶାଗ୍ରସ୍ତ ଯୁବକଙ୍କ ସହ ମିଶି ଜାକିର୍ ତାଙ୍କୁ ଲୁହାରଡ଼ରେ ମୁଣ୍ଡକୁ ପିଟି ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଲିପାଟଣା ଥାନାଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି, ଏହି ଘଟଣାରେ ଏତଲାକ୍ରମେ ଏକ ହତ୍ୟା ମାମଲା ପଞ୍ଜୀକୃତ କରାଯାଇଛି। ଦୁଇ ସାଙ୍ଗଙ୍କ ମଧ୍ୟରେ ଟଙ୍କାକୁ ନେଇ ବଚସା ହେବା ପରେ ଘଟଣା ଘଟିଛି । ମୃତକଙ୍କ ମା’ ପ୍ରଭାସିନୀ ଦାସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଏହାପରେ ଆମେ ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ଅଟକ ରଖିଛୁ। ଏଭଳି ଘଟଣା କାହିଁକି ଘଟିଲା, ତା’ର ପ୍ରକୃତ କାରଣ ଜାଣିବାକୁ ଅଧିକ ତଦନ୍ତ ଚାଲିଛି। ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପରେ ଶନିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ରହୁଥିବା ବାପା କୈଳାସ ମହାନ୍ତି କହିଛନ୍ତି ଯେ, ଅଭିଯୁକ୍ତ ଫୋନ୍ କରି ତୁମ ପୁଅ ଆମ ପାଖରୁ ୨୫ ହଜାର ଟଙ୍କା ନେଇଯାଇଛି। ଯଦି ପଠେଇଦେବ ଆମେ ଛାଡ଼ିଦେବୁ। ନ ହେଲେ ପିଟି ହତ୍ୟା କରିବୁ ବୋଲି ଧମକ୍ ଦେଇଥିବା କୈଳାସ କହିଛନ୍ତି ।