ସ୍ମାର୍ଟ ସିଟିରେ ଫ୍ରେଞ୍ଚ ପ୍ରତିନିଧି

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କୋଲକାତାର ଫ୍ରାନ୍ସ କନ୍‌ସୁଲେଟ୍‌ ଜେନେରାଲ୍‌, ଫ୍ରେଞ୍ଚ ଡେଭଲପମେଣ୍ଟ ଏଜେନ୍ସି (ଏଏଫ୍‌ଡି) ଏବଂ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଅର୍ବାନ ଆଫାୟାର୍ସ (ଏନ୍‌ଆଇୟୁଏ)ର ଦିଦିଅର୍‌ ତାଲପେନ୍‌ଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଫ୍ରେଞ୍ଚ ପ୍ରତିନିଧି ଭୁବନେଶ୍ୱର ସ୍ମାର୍ଟ ସିଟି ପରିଦର୍ଶନ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସସିଏଲ୍‌)ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହଙ୍କ ସହ ସହରରେ ଇନୋଭେଟ୍‌ ଇଣ୍ଟିଗ୍ରେଟ୍‌ ଆଣ୍ଡ ସଷ୍ଟେନ (ସିଆଇଟିଆଇଆଇଏସ୍‌) କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ଦୁଇ ଦିନିଆ ଓଡ଼ିିଶା ଗସ୍ତରେ ଆସିଥିବା ଏହି ପ୍ରତିନିଧୀ ସହରରେ ଥିବା ବିଭିନ୍ନ ପ୍ରକଳ୍ପ ସ୍ଥାନ ଯଥା ବିଡିଏ ସିଟି ସେଣ୍ଟର୍‌ (ନିକ୍କୋ ପାର୍କ) ଭିତରେ ସହରୀ କୃଷିର କୁଇକ୍‌ ୱିନ୍‌ ପ୍ରୋଜେକ୍ଟ ସାଇଟ୍‌ ପରିଦର୍ଶନ କରିଥିଲେ। ସେହିପରି ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ୍‌ ମାର୍ଗଠାରେ କାର୍ଯ୍ୟକାରୀ ହେଉଥିବା ଏନ୍‌ଏମ୍‌ଟି ପ୍ରୟୋରିଟି ନେଟ୍‌ୱାର୍କ ସ୍ଥାନ ଦେଖିଥିଲେ। ପ୍ରସ୍ତାବିତ ସ୍ମାର୍ଟ ପାର୍କ ଅନ୍‌ ଡିମାଣ୍ଡ (ପିଓଡି) ପାଇଁ ସୁର୍ଯ୍ୟନଗରର ମମତାଜ ଅଲି ପାର୍କ, ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ଏତିହ୍ୟ କ୍ଷେତ୍ର, ସିଆଇଟିଆଇଆଇଏସ୍‌ ଅଧିନରେ ଥିବା ୫ଟି ଏତିହ୍ୟ ପୋଖରୀ ଯଥା ଦେବୀ ପାଦହରା, ଗଙ୍ଗା ଯମୁନା, କୋଟୀତୀର୍ଥେଶ୍ୱର, ଗୋଦାବରୀ କୁଣ୍ଡ ଏବଂ ଗୋଡିପୋଖରୀ, ଲିଙ୍ଗରାଜ ମନ୍ଦିର ଆଦି ପରିଦର୍ଶନ କରିଥିଲେ। କନ୍‌ସୁଲେଟ୍‌ ଜେନେରାଲ୍‌ ଦିଦିଅର୍‌ ତାଲ୍‌ପେନ୍‌, (ଦକ୍ଷିଣ ଏସିଆ) ଏଏଫ୍‌ଡି ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟାକି ଆମ୍ପ୍ରୋ, ଦେଶ ନିର୍ଦ୍ଦେଶକ ବୃନୋ ବୋସ୍‌ଲେ, ପୋର୍ଟଫୋଲିଓ ମ୍ୟାନେଜର ଫନି ରାଗୋଟ ସେକ୍ଟର, ଫ୍ରାନ୍ସ ଦୂତାବାସ (କୋଲକାତା) ଏବଂ ପ୍ରୋଗ୍ରାମ ନିର୍ଦ୍ଦେଶକ ସିଆଇଟିଆଇଆଇଏସ, ଏନ୍‌ଆଇୟୁଏ ନାଏମ୍‌ କେରୁଓ୍ବାଲା ପ୍ରମୁଖ ସହର ପରିଦର୍ଶନ କରିଥିଲେ। ବିଏସ୍‌ସିଏଲ୍‌ ଜେନେରାଲ ମ୍ୟାନେଜର କମଲଜିତ୍‌ ଦାସ ପରିଦର୍ଶନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସୂଚନାଯୋଗ୍ୟ, ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟ ଭାରତ ସରକାର, ଏଏଫ୍‌ଡି ୟୁରୋପିୟ ସଂଘ (ଇୟୁ), ଏନ୍‌ଆଇୟୁଏ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ସରକାର ଏବଂ ବିଏସ୍‌ସିଏଲ୍‌ ମିଳିତ ଭାବେ ଭୁବନେଶ୍ୱରରେ ସିଆଇଟିଆଇଆଇଏସ୍‌ କାର୍ଯ୍ୟକ୍ରମ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଷ୍ଟ୍ରିଟ୍‌ ଓ୍ବାଟର, ପାର୍କ, ଓପନ୍‌ ସ୍ପେସ୍‌, କ୍ରୀଡ଼ା ଏବଂ ଖେଳ ପଡ଼ିଆ ସମେତ ସହରର ବିଭିନ୍ନ ଉପାଦାନ ପାଇଁ ଖୋଲା ସ୍ଥାନଗୁଡିକର ବ୍ୟବହାରକୁ ସର୍ବାଧିକ କରିବା ପାଇଁ ଏକ ସ୍ମାର୍ଟ ଆକ୍ଟିଭ୍‌ ଲିଭିଂ ଷ୍ଟ୍ରାଟେଜୀ ଏବଂ ଏତିହାସିକ ପୁଷ୍କରିଣୀଗୁଡିକର ରକ୍ଷଣାବେକ୍ଷଣ କରାଯିବ। ସହର ପାଇଁ ଏହି ପ୍ରସ୍ତାବ ବି-ଆକ୍ଟିଭ୍‌ ନାମରେ ନାମିତ ହୋଇଛି।