ଭୁବନେଶ୍ୱର, ୩୦ା୭ (ସୁଚିସ୍ମିତା ସାହୁ): ଓଡ଼ିଶାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଆର୍ଥିକ ସାକ୍ଷରତା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବାଣିଜ୍ୟ, ମ୍ୟାନେଜମେଣ୍ଟ ଏବଂ ଅର୍ଥନୀତି ପ୍ରଭୃତି ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମ୍ୟୁଚୁଆଲ୍ ଫଣ୍ଡ୍ ସମ୍ପର୍କିତ ଏକ ସାର୍ଟିଫିକେଟ ପ୍ରୋଗ୍ରାମ୍ ଆରମ୍ଭ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହି ସାର୍ଟିଫିକେଟ ପ୍ରୋଗ୍ରାମଟି ମୋଟ ୩୦ ଘଣ୍ଟାର ହେବ। ବିକମ୍, ବିବିଏ, ବ୍ୟାଚ୍ଲର ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ (ବିଏମ୍ଏସ୍), ବିଏ (ଅର୍ଥନୀତି ଓ ବାଣିଜ୍ୟ), ଏମ୍ବିଏ ଏବଂ ଏମ୍କମ୍ କୋର୍ସରେ ନାମଲେଖାଇଥିବା ଛାତ୍ରୀଛାତ୍ରମାନେ ଏଥିପାଇଁ ଯୋଗ୍ୟ ହେବେ। ଏହି ତାଲିମ ଦ୍ୱାରା ଛାତ୍ରୀଛାତ୍ରମାନେ ‘ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସିକ୍ୟୁରିଟିଜ୍ ମାର୍କେଟ୍ସ’ (ଏନ୍ଆଇଏସ୍ଏମ୍) ସିରିଜ ଭି-ଏ ମ୍ୟୁଚୁଆଲ ଫଣ୍ଡ୍ ଡିଷ୍ଟ୍ରିବ୍ୟୁଟର୍ସ ସାର୍ଟିଫିକେଶନ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଏବଂ ସମ୍ବଲପୁର ଭଳି ପ୍ରମୁଖ ସହରାଞ୍ଚଳର ୧୦୦ କିଲୋମିଟର ପରିଧି ମଧ୍ୟରେ ଥିବା ୯୭ଟି ଚୟନକୃତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହା ଆରମ୍ଭ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ପ୍ରାୟ ୬୦ ଜଣ ଛାତ୍ରୀଛାତ୍ରଙ୍କୁ ଏହି କୋର୍ସ ପାଇଁ ମନୋନୀତ କରାଯିବ ଏବଂ ତାଲିମ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଚଳିତ ବର୍ଷ ମେ’ ମାସରେ ଉଚ୍ଚଶିକ୍ଷା ବିଭାଗ ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିପତ୍ର (ଏମ୍ଓୟୁ) ଆଧାରରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଏହି ସାର୍ଟିଫିକେଟ ପାଠ୍ୟକ୍ରମ ଦ୍ୱାରା ଛାତ୍ରୀଛାତ୍ରମାନେ ଆର୍ଥିକ ସେବା କ୍ଷେତ୍ରରେ ଆବଶ୍ୟକ ଜ୍ଞାନ ଆହରଣ କରିବା ସହ ମ୍ୟୁଚୁଆଲ ଫଣ୍ଡ୍ ଡିଷ୍ଟ୍ରିବ୍ୟୁଟର୍, ଫାଇନାନ୍ସିଆଲ ଆଡଭାଇଜର୍, ଇନ୍ସୁରାନ୍ସ ଆଡଭାଇଜର୍ ଏବଂ ଷ୍ଟକ ବ୍ରୋକର୍ ଭାବେ ନିଜର କ୍ୟାରିୟର ଗଢ଼ିବାରେ ସଫଳ ହୋଇପାରିବେ ବୋଲି ଆଶା କରାଯାଉଛି।