ମାଗଣା ଲଙ୍କା

ପ୍ରଥମ ଥର ନିଜେ ନିଜେ ହାଟକୁ ଯାଉଥିବାରୁ ପରିବା କିଣା ବିଷୟରେ ପତ୍ନୀ ଦେଇଥିବା ଜ୍ଞାନକୁ ଘୋଷି ହେଉଥାଏ – ପରିବା କିଣିବା ପୂର୍ବରୁ ଆଗ ହାଟ ସାରା ବୁଲି ବିଭିନ୍ନ ଜାଗାରୁ ରେଟ୍‌ ବୁଝିବ। ଦୋକାନୀ ଯୋଉ ପରିବା ନିଜେ ବାଛିକରି ଦେଉଥିବ, ସେ ସବୁ କେବେ ବି ଭଲ ଜିନିଷ ନୁହଁ। ବୋକା ଗ୍ରାହକ ଦେଖିଲେ ସେମାନେ ସବୁ ଖରାପ ମାଲ ବିକେଇ ଦିଅନ୍ତି। ତେଣୁ ତାଙ୍କ ସାମ୍ନାରେ ନିଜ ମୂର୍ଖତା ଦେଖେଇବନି। ପରିବା ଯେତେ ତାଜା ଦିଶୁଥିଲେ ବି ଦୋକାନୀକୁ କହିବ ଯେ ଏଗୁଡ଼ାକ ବାସି, ହରମୋନ ମରା ହେଇଛି ଯେ ଫ୍ରିଜ୍‌ରେ ଦି’ଦିନ ରହିବନି। ପରିବା ଓଜନ କଲାବେଳେ ସାବଧାନ ଥିବ। ଅଧକିଲୋ ଅମୃତଭଣ୍ଡା ଆଣୁଥିଲେ ଦି’ ଚାରିଥର ଅଲଗା ଅଲଗା ଭଣ୍ଡା ଓଜନ କରିବ ଯେମିତି ସତୁରି ଅଶୀ ଗ୍ରାମ୍‌ ଅଧିକ ଓଜନ ହଉଥିବ। ଦୋକାନୀ ସେତକ ପାଇଁ ଅଧିକ ପଇସା ନେବନି, ସେତକ ଆମର ଲାଭ। ହଁ, ଲଙ୍କା ଲେମ୍ବୁ କି ଧନିଆପତ୍ର – ୟା ଭିତରୁ ଯାହା ହେଲେ ଗୋଟେ ମାଗଣା ଆଣିବା ଗରାଖଙ୍କର ଅଲିଖିତ ଅଧିକାର। କିନ୍ତୁ ଦୋକାନୀଗୁଡ଼ାକ ମହା ଲୋଭି, ନ ମାଗିଲେ ଦେବେନି। ପ୍ରେଷ୍ଟିଜ ଚାଲିଯିବ ଭାବି ନ ମାଗି ଚୁପ୍‌ଚାପ ପଳେଇଆସିବନି। ମୁଠାଏ ଲଙ୍କା ହଉ ପଛେ ଯେମିତି ହେଲେ ମାଗି ଆଣିବ। ଯଦି ଦି’ତିନି ଜାଗାରୁ କିଣୁଥାଅ ତେବେ ଜଣକଠାରୁ ଲଙ୍କା ହେଲେ ଆଉ ଜଣକଠାରୁ ଲେମ୍ବୁ ନେଇଆସିବ।
ହାଟ ଆରମ୍ଭରୁ ପିଲାଟିଏ ଉପରେ ନଜର ପଡ଼ିଗଲା। ବୟସ ଅଠର କି କୋଡ଼ିଏ ହବ। ମନେମନେ ଖୁସି ହେଲି ଯେ ଯାହାହେଉ, ମଦ ଗଞ୍ଜେଇ ଖାଇ ଲଫଙ୍ଗା ଭଳିଆ ନ ବୁଲି ପିଲାଟା ଦି’ପଇସା ପାଇଁ ପରିଶ୍ରମ କରୁଛି। ତା’ଠାରୁ କିଣି ତାକୁ କିଛି ରୋଜଗାର କରିବାକୁ ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ। ପ୍ରାୟ କୋଡିଏ ମିନିଟ ଧରି ପରିବା ବାଛି, ମୂଲଚାଲ କରି ଶହେ କୋଡିଏ ଟଙ୍କାର ଚାରି ପ୍ରକାର ପରିବା କିଣି ସାରି କିଛି ଲଙ୍କା ମାଗଣାରେ ପକେଇ ଦେବାକୁ କହିବାରୁ ପିଲାଟି ଅମଙ୍ଗ ହେଲା। ଘୋଷିଥିବା ଗାଳିରୁ ମନେପକେଇ କହିଲି, ‘ତୁ ଏଡିକିଟିଏ ପିଲା, ଆଜହୁଁ ଏତେ ଲୋଭ! ଏମିତି ବେପାର କଲେ ତ ତୁ ଦିନେ ଆଦାନୀକୁ କିଣିଦେବୁ!’ ଅରାଜି ସତ୍ତ୍ବେ ପିଲାଟି କିଛି ଲଙ୍କା ଦେଲା।
ମୋର ଆଚରଣ ଦେଖି ଆଶ୍ଚର୍ଯ୍ୟ ହେଇଯାଇ ଝିଅ କହିଲା, ”ବାପା, ବୋଧେ ତମେ ବାଛିଥିବା ପରିବା ଭଲନୁହଁ। ସେ ପିଲାକୁ ତମେ ଲୋଭି କହୁଛ, ଅଥଚ ନିଜେ ପାଞ୍ଚ ଦଶ ଟଙ୍କାର ଲଙ୍କା ନ କିଣି ତା’ଠାରୁ ମାଗିକରି ଆଣୁଛ? ଏପଟେ କହୁଛ ଯେ ଏ ଭଳିଆ ପିଲାଙ୍କୁ ରୋଜଗାର କରିବା ପାଇଁ ଆମେ ପ୍ରୋତ୍ସାହନ ଦେବା ଉଚିତ, ସେପଟେ ତା’ ଲାଭକୁ ତମେ ଖାଉଛ। କିଣି ଆଣିଥିଲେ ତମର କିଛି କ୍ଷତି ହେଉ ନ ଥିଲା, କିନ୍ତୁ ମାଗଣା ଆଣିବା ଦ୍ବାରା ତା ଲାଭ କମିଗଲା ନା ନାହିଁ?“ ଝିଅର ମଞ୍ଜ କଥାରେ ଦୋହଲି ଯାଇଥିଲେ ବି ମୁହଁ ଫୁଟାଣି ଦେଖେଇ ରାଗିଲା ଭଳିଆ କହିଲି, ‘ତୁ ଛୋଟ ପିଲା, ଏମାନଙ୍କ ଚାଲବାଜି ଜାଣିପାରୁନୁ। ତୋ ବୋଉ ସାଙ୍ଗରେ କିଣାକିଣି କରି ଟ୍ରେନିଂ ନେ। ନ ହେଲେ ଜୀବନରେ ଠକି ହେଇଯିବୁ।’
ପରିବାସବୁ ଦେଖି ପତ୍ନୀ ବିରକ୍ତ ହେବାରୁ କହିଲି,‘ଆର ପାଳି ହାଟକୁ ଗଲେ ସେ ପିଲାକୁ କହିବି।’
ତିନିପାଳି ପରେ ହାଟ ବାହାରେ ପିଲାଟିକୁ ଦେଖି ପଚାରିଲି,‘ବାବୁରେ ଆଜି ପରିବା ଆଣିନୁ କି? ମତେ ଚିହ୍ନିପାରୁଛୁ?’ ପିଲାଟି ତାଚ୍ଛଲ୍ୟ ହସଟେ ହସି କହିଲା, ‘ଆପଣଙ୍କୁ କ’ଣ ଭୁଲିହେବ, ଆଜ୍ଞା? ଦି ଚାରିଟା ମାଗଣା ଲଙ୍କା ନେବାପାଇଁ ମତେ ଦଶ ମିନିଟ ଧରି ମାଗଣା ଟିଉଶନ କରିଥିଲେ ନା?’ରାଗିଯାଇ ପାଟିକଲି, ‘କ’ଣ ଏମିତି କଥାବର୍ତ୍ତା କରୁଛୁ?’ଏଥର ଧୀର ଭାବରେ ପିଲାଟି କହିଲା,‘ବହୁତ ବଡ ବଡ କଥା କହୁଥିଲେ ନା ଆମ ଭଳିଆ ପିଲାଙ୍କୁ ଉତ୍ସାହିତ କରିବା ଉଚିତ ବୋଲି? ସେଦିନ ଆପଣଙ୍କୁ ପରିବା ବିକି କୋଡ଼ିଏ ଟଙ୍କା ଲାଭ ପାଇଥିବି କି ନାହିଁ, ଆପଣ କିନ୍ତୁ ପାଞ୍ଚ ଟଙ୍କାର ଲଙ୍କା ମାଗଣା ନେଇ ମୋର ଲାଭ ଖାଇଗଲେ। କି ବେଳାରେ ଆପଣଙ୍କ ହାତରେ ଅନୁକୂଳ ହେଇଥିଲା ଯେ ଆପଣଙ୍କ ପରେ ଆସିଥିବା ଅନ୍ୟ ଗରାଖମାନେ ମଧ୍ୟ ଜୋର କରି ମାଗଣାରେ ଲେମ୍ବୁ, ଲଙ୍କା, ଧନିଆପତ୍ର ନେଇଚାଲିଲେ। ଏମିତିକି ଓଜନରେ ଗଡେଇ ଗଡେଇ ଅଧିକ ପରିବା ମଧ୍ୟ ନେଇଗଲେ। ପରିବା ଶେଷ ହେଲା ବେଳକୁ ଅଧେ ପଇସା କାଟିଦେଇ ସବୁତକ ପରିବା ନେଇଥିବା ଗରାଖ ଭାରି ଖୁସି ହେଇ କହିଲେ ଯେ, କୋଉ ଗରାଖ ଈଶ୍ବରଙ୍କ ହାତରେ ଅନୁକୂଳ କରିଥିଲୁ ଯେ ଆଜି ତୋର ସବୁ ପରିବା ଏତେ ଶୀଘ୍ର ସରିଗଲା। ଆପଣ ହେଉଛନ୍ତି ସେଇ ଗରାଖେଶ୍ବର। ଦି’ହଜାର ଟଙ୍କାର ପରିବା ବିକିବା ପାଇଁ ଦୁଇଶହ ଟଙ୍କାର ଲଙ୍କା ଲେମ୍ବୁ ଆଦି ମାଗଣା ଦେବାକୁ ପଡ଼ିଲା। ସେଦିନ ରାତିରେ ହିସାବ କଲାବେଳକୁ ଦେଖିଲି ଲାଭ ହେଇଛି ଦେଢଶହ ଟଙ୍କା। କୁହନ୍ତୁ ତ ଏତିକି ଟଙ୍କା ପାଇଁ କିଏ ଗୋଟେ ପାଳି ନିକିମା ହେଇ ଏତେ ପରିଶ୍ରମ କରିବ? ରୋଜଗାର ପାଇଁ ବହୁତ ବାଟ ଅଛି, ସେ ଯେମିତି ବାଟ ହେଉ ପଛେ। ବୁଝିଲେ ଆଜ୍ଞା, ଆପଣ ଲକ୍ଷେ ଟଙ୍କାର ଟିଭି, ଦଶ ଲକ୍ଷ ଟଙ୍କାର ଗାଡ଼ି କିଣିବେ। ସେଥିରେ କମ୍ପାନୀ କେତେ ଲାଭ ନେଇଗଲା, ଆପଣଙ୍କର କିଛି ଯାଏନି ଆସେନି। ମଲ୍‌ରୁ ଜିନିଷ କିଣିଲେ ସେଠି ପାଞ୍ଚ ଗ୍ରାମ ଅଧିକ ସଉଦା ପାଇଁ ମଧ୍ୟ ପଇସା ଦେବେ। ବାର ପଇସା ଅଧିକ ବିଲ୍‌ ହେଇଥିଲେ ବି ସେତକ ଦେବାକୁ ମନା କରିପାରିବେନି। କିନ୍ତୁ ମୋ ଭଳି ଛୋଟ ବେପାରୀଙ୍କ ଲାଭ ଆପଣ ସହି ପାରନ୍ତିନି। ବଡ ବ୍ୟବସାୟୀଙ୍କ ପରି ଆପଣଙ୍କଠାରୁ ପାଉଥିବା ଲାଭରେ ଆମେ କୋଠା ଉପରେ କୋଠା ତିଆରି କରୁନୁ, ବରଂ ବଞ୍ଚିବା ପାଇଁ ବାଟ ଖୋଜୁ। ଆମର ଲାଭ ଠିକ୍‌ ଥିଲେ ଆମେ ଆପେଆପେ ଲଙ୍କା ଲେମ୍ବୁ ମୋଫତରେ ପକେଇଦବୁ। କିନ୍ତୁ ଆପଣମାନେ ମାଗଣା ନେବାର ମନୋବୃତ୍ତି ଛାଡ଼ିବା ଉଚିତ। କେବଳ ଆପଣମାନେ ହିଁ ସବୁତକ ଲାଭ ଖାଉଥିବେ ବୋଲି ଭାବିଲେ ଅନ୍ୟମାନେ ବଞ୍ଚିବେ କେମିତି? ଯାଆନ୍ତୁ, ମୋ ଜାଗାରେ ଆଜି ମୋ ଭାଇକୁ ବସେଇ ଦେଇଛି। ମୁଁ ଅନ୍ୟ ଗୋଟେ ବେପାର ଆରମ୍ଭ କରିଛି।”
ଏତେକଥା ଶୁଣି ଉଦାସ ହୃଦୟରେ ଅନ୍ୟମନସ୍କ ଭାବରେ ପରିବା କିଣି ଫେରିବା ବେଳକୁ ଝିଅ ପଚାରିଲା, ‘ଲଙ୍କା ଆଜି ମାଗଣା ଆଣିଲନି?’ ତାକୁ ଚାହିଁ ହସି କହିଲି ,‘ନା, ଦଶ ଟଙ୍କା ଦେଇ କିଣିଛି।’

ହରେକୃଷ୍ଣ ଦାସ
ଅଧ୍ୟାପକ, ଇଂରାଜୀ ବିଭାଗ,
ନିଆଳି କଲେଜ, କଟକ
ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri