ଶାନ୍ତି ପ୍ରୟାସର ଆହ୍ବାନ

ଚେତନତା ଅଭାବରୁ କୋର୍ଟ କଚେରି, ଥାନାର ଭୟ ଦେଖାଇ କିଛି ଖଳପ୍ରକୃତିର ବ୍ୟକ୍ତି ସାଧାରଣ ଜନତାଙ୍କୁ ଭୟଭୀତ କରନ୍ତି ଏବଂ ପରେ ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡ଼ାଇବା ନୀତିରେ ମଧ୍ୟସ୍ଥି ହୋଇ ସେମାନଙ୍କର ସର୍ବସ୍ବ ଲୁଟନ୍ତି। ଫଳରେ ସବୁଦିନ ପାଇଁ ସେମାନେ ଭୟରେ ସେମାନଙ୍କ ପାଦତଳେ ରହିଥା’ନ୍ତି ଏବଂ କାଳକ୍ରମେ ସେହିପରି ନୀଚ ବ୍ୟକ୍ତିମାନେ ଅର୍ଥ ଓ ବାହୁବଳରେ ବଳୀୟାନ୍‌ ହୋଇ ରାଜନୀତିରେ ପ୍ରବେଶ କରି ଚଞ୍ଚକତାର ସହିତ ସବୁଦିନ ପାଇଁ ନେତା ଭାବରେ ନିଜକୁ ଉପସ୍ଥାପିତ କରି ଅୟସ କରନ୍ତି, ଯାହା ଏବେ ବି ଭାରତରେ ଭିନ୍ନ ରୂପରେ ବିଦ୍ୟମାନ ଏବଂ ତା’ର ବିକଶିତ ରୂପ ସାରା ବିଶ୍ୱରେ ମହାମାରୀ ଭଳି ମାଡ଼ିଚାଲିଛି, ଯାହା ବିଚାରଯୋଗ୍ୟ।
ଯେତେବେଳେ ଦେଶ-ଦେଶ ଭିତରେ ବିବାଦ ଉପୁଜେ, ସେତେବେଳେ କିଛି ଦେଶର ରାଜନେତା ନିଜର ବାହାଦୁରି ଦେଖାଇ ପ୍ରଚାର କରନ୍ତି ଯେପରି ମୋ ମଧ୍ୟସ୍ଥି ଯୋଗୁ ସେମାନେ ଯୁଦ୍ଧ ନ କରି ନିଜ ଭିତରେ ମିଳାମିଶା କରିଦେଲେ,ତେଣୁ ମୁଁ ବହୁତ କରିତ୍‌କର୍ମା। ଉଦାହରଣ ସ୍ବରୂପ, ଜୁନ୍‌ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ପାଇଁ ନିଜର ମଧ୍ୟସ୍ଥତାକୁ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିଥିଲେ, ମାତ୍ର ଭାରତର ସ୍ପଷ୍ଟ ବାର୍ତ୍ତା ଥିଲା ଯେ, ‘ଏହି ଯୁଦ୍ଧବିରତି ୧୯୭୨ ସିମ୍‌ଲା ଚୁକ୍ତିନାମା ଅନୁସାରେ ସିଧାସଳଖ ସାମରିକ ବୁଝାମଣା ଦ୍ୱାରା ହୋଇଥିଲା, ଭାରତ କେବେ ବି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ଗ୍ରହଣ କରିନାହିଁ ବା କରିବ ନାହିଁ।’ ଏହାପରେ ଟ୍ରମ୍ପ୍‌ଙ୍କ ମିଛ ଘୋଷଣା ଧରାପଡ଼ିଥିଲା ଏବଂ ସେ ନିଜର ବକ୍ତବ୍ୟ ବଦଳାଇଥିଲେ। ଆଜିକାଲି ସମାନ ଧରଣର କାର୍ଯ୍ୟ ସାରା ବିଶ୍ୱରେ କିଛି ରାଷ୍ଟ୍ରମୁଖ୍ୟ କରିଆସୁଛନ୍ତି, ଫଳରେ ଭବିଷ୍ୟତରେ ଦେଶ-ଦେଶ ମଧ୍ୟରେ ଅବିଶ୍ୱାସ ଓ ହିଂସାର ବାତାବରଣ ସୃଷ୍ଟି ହେବ, ଏହା ନିଃସନ୍ଦେହ। ବର୍ତ୍ତମାନର ଇରାନ୍‌-ଇସ୍ରାଏଲ୍‌, ଇସ୍ରାଏଲ୍‌-ହମାସ୍‌, ରୁଷ୍‌-ୟୁକ୍ରେନ୍‌ ଏବଂ ଭାରତ-ପାକିସ୍ତାନ ଭଳି ଯୁଦ୍ଧ ଦ୍ୱାରା ବିଶ୍ୱରେ ବିଶ୍ୱସନୀୟତା ଓ ସାର୍ବଜନୀନ ଭାବରେ ଗୃହୀତ ମଧ୍ୟସ୍ଥତାକାରୀଙ୍କ ସମ୍ପୂର୍ଣ୍ଣ ଅଭାବ ପରିଲକ୍ଷିତ ହୁଏ ଏବଂ ମିଳିତ ଜାତିସଂଘ ବୋଲି ଗୋଟିଏ ବିଶ୍ୱ ସଂଗଠନ ଥିବାପରି ମନେହୁଏ ନାହିଁ, ଯାହାର ଫଳସ୍ବରୂପ ଲକ୍ଷଲକ୍ଷ ନିରୀହ ଜନତା ଯୁଦ୍ଧ ଦ୍ୱାରା ପ୍ରାଣ ହରାଉଛନ୍ତି।
ଇତିହାସର ୧୯୭୦ ଦଶକକୁ ଫେରିଯିବା। ଶୀତଳ ଯୁଦ୍ଧ ସମୟରେ ସୋଭିଏଟ୍‌ ୟୁନିୟନକୁ ରୋକିବା ପାଇଁ ମାଓ ଜେ ଡୋଙ୍ଗଙ୍କ ସହ ହେନ୍‌ରି କିସିଞ୍ଜରଙ୍କ ଗୁପ୍ତ କୂଟନୀତି ବିଶ୍ୱସନୀୟ କାର୍ଯ୍ୟ କରିଥିଲା ଓ ବିଶ୍ୱ ମେଣ୍ଟକୁ ପୁନଃ ଆକୃତି ଦେବା ପାଇଁ ବାସ୍ତବବାଦୀ ରାଜନୀତି ବ୍ୟବହାର କରିଥିଲେ। ସେହିପରି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ ଡି. ରୁଜ୍‌ଭେଲ୍ଟ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମୁଖ୍ୟ ନେତୃତ୍ୱ ଦେଇଥିଲେ। ଯୁଦ୍ଧ ପରେ ବ୍ରିଟେନ୍‌ର ଚର୍ଚ୍ଚିଲ ଏବଂ ସୋଭିଏଟ୍‌ ୟୁନିଅନର ଷ୍ଟାଲିନ୍‌ଙ୍କ ସହ ମିଶି ମିଳିତ ଜାତିସଂଘ ଗଠନର ପ୍ରମୁଖ ପ୍ରବନ୍ଧକ ଥିଲେ। ଯାହା ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଭବିଷ୍ୟତ ଯୁଦ୍ଧ ରୋକିବା ଏବଂ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଗଠିତ ହୋଇଥିଲା। ଏହାଥିଲା ପ୍ରକୃତ ରାଜନୈତିକ ବ୍ୟକ୍ତିଙ୍କ ସମାଜର ମଙ୍ଗଳ ପାଇଁ ସୁସ୍ଥ ଆଚାର ଓ ବିଚାର। ସେହିପରି ଆମେରିକାର ରାଷ୍ଟ୍ରପତି ଜିମି କାର୍ଟର, ୧୯୭୮ ମସିହାରେ କ୍ୟାମ୍ପ୍‌ ଡେଭିଡ୍‌ ଚୁକ୍ତିନାମାରେ ମଧ୍ୟସ୍ଥତା କରିଥିଲେ, ଯାହା ଦ୍ୱାରା ଇସ୍ରାଏଲ ଓ ମିଶର ମଧ୍ୟରେ ଏକ ଐତିହାସିକ ଶାନ୍ତିଚୁକ୍ତି ହେଇଥିଲା।
୨୦୨୫ ମଧ୍ୟଭାଗରେ ବିକାଶୋନ୍ମୁଖୀ ବିଶ୍ୱରେ ଇସ୍ରାଏଲ ଏବଂ ଇରାନ୍‌ ପରସ୍ପରକୁ କ୍ଷେପଣାସ୍ତ୍ର ବିନିମୟ କରୁଛନ୍ତି, ଟ୍ରମ୍ପ୍‌ ନିଆଁରେ ଘିଅ ଢାଳି ନିଜର ସ୍ବାର୍ଥ ହାସଲ ଲାଗି ଇରାନ୍‌ ଉପରେ ବଙ୍କର ବିଧ୍ୱଂସୀ ବୋମା ପକାଇ ଇରାନ୍‌କୁ ନଷ୍ଟ କରିଚାଲିଛନ୍ତି ଯେପରି କିଛି ବର୍ଷ ପୂର୍ବେ ଇରାକ ଶିକାର ହୋଇଥିଲା। ଫଳରେ ବିଖଣ୍ଡିତ ବିଶ୍ୱକୁ ସୁଯୋଗବାଦୀ ମଧ୍ୟସ୍ଥତା ସମ୍ପୂର୍ଣ୍ଣ ବିଫଳ ଏବଂ ଶାନ୍ତି ସ୍ଥାପନକାରୀଙ୍କ ଅଭାବ ଯୋଗୁଁ ସମାଧାନ ସୂତ୍ର ବହୁ ଦୂରରେ। ଅନେକ ରାଷ୍ଟ୍ର ଧର୍ମ ନାମରେ ମାନବ ବିଧ୍ୱଂସକାରୀ ଅସ୍ତ୍ର ଓ ସଙ୍ଗଠନକୁ ପ୍ରସ୍ତୁତ କରି ମାନବ ସଭ୍ୟତାକୁ ନଷ୍ଟ କରିବାକୁ ବ୍ୟସ୍ତ। ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଉତ୍ତେଜନା ରହୁଛି। କିସିଞ୍ଜରଙ୍କ ଶଟଲ କୂଟନୀତି ଓ ଅନୱର ସାହ ଏବଂ ମେନାଚେମ ବେଗିନଙ୍କ ମଧ୍ୟରେ ବହୁଦିନର ଶାନ୍ତି ମିଳାମିଶା ଆଜିର ତଥାକଥିତ ଶାନ୍ତି ସ୍ଥାପନକାରୀମାନଙ୍କ ଛଦ୍ମବେଶର ଡିଲ୍‌ ମେକର ଭାବରେ ବହୁଦୂରରେ। ସର୍ବିଆ-କୋସୋଭୋର ବିଭେଦ ମଧ୍ୟରେ ଟ୍ରମ୍ପ୍‌ଙ୍କ ଛଦ୍ମବେଶୀ ମଧ୍ୟସ୍ଥତା ଏକ କାଚଘର ପରି ଗୋଟିଏ ସପ୍ତାହ ଭିତରେ ଭାଙ୍ଗି ପଡ଼ିଥିଲାଏବଂ ରୁଷର ଭ୍ଲାଦିମିର ପୁଟିନଙ୍କ ମସ-ଗା-ତେହେରାନ ଚୁକ୍ତି ତାଙ୍କୁ ପଶ୍ଚିମ ଏସିଆରେ ଦଲାଲ ଭାବରେ ବିବେଚନା କରେ, ସେ ମଧ୍ୟ ଇରାନକୁ ଡ୍ରୋନ ଏବଂ କୌଶଳଗତ ପରାମର୍ଶଦାତା ଯୋଗାଣରେ ଏତେ ବ୍ୟସ୍ତ ଯେ, ଇସ୍ରାଏଲ ଏହାକୁ ଗମ୍ଭୀରତାର ସହିତ ନେଇପାରିନାହିଁ। ଚାଇନାର ‘ବେଲ୍ଟ ଆଣ୍ଡ୍‌ ରୋଡ଼’ ପ୍ରୋଜେକ୍ଟ ପାଇଁ କଶ୍ମୀର ଉପରେ ତାହାର ନୀରବତା ଓ ଅପରେଶନ ବୁନୟାନ ମାର୍ସୁସ ପାଇଁ ପାକିସ୍ତାନକୁ ସାମରିକ ସହାୟତା ଯୋଗାଣ ଅବିଶ୍ୱାସର ଏକ ଜ୍ୱଳନ୍ତ ଉଦାହରଣ। ୟୁକ୍ରେନ୍‌ର ଗଚ୍ଛିତ ପ୍ରାକୃତିକ ସମ୍ପଦ ଉପରେ ଆମେରିକାର ଲୋଲୁପଦୃଷ୍ଟି କେବେବି ଆମେରିକାକୁ ରୁଷ-ୟୁକ୍ରେନ୍‌ର ମଧ୍ୟସ୍ଥି କରାଇ ଦେବନାହିଁ।
ଭାରତ ସ୍ବାଧୀନତା ସମୟରେ ବ୍ରିଟେନ୍‌ର ଚର୍ଚ୍ଚିଲଙ୍କ ଚାଲ୍‌ ଯୋଗୁ ଓ ସେତେବେଳର ନେତାମାନଙ୍କର ଅଦୂରଦର୍ଶିତା ହେଉ ବା ସମୟର ଅସ୍ଥିର ଅବସ୍ଥା ହେଉ ଅଖଣ୍ଡ ଭାରତକୁ ଧର୍ମ ନାଁରେ ବିଖଣ୍ଡିତ କରିବାର ଫଳ ସ୍ବରୂପ ଭାରତ ଓ ପାକିସ୍ତାନ ଏବଂ ପରେ ବାଂଲାଦେଶର ସୃଷ୍ଟି। ଏହା ଏପରି ଏକ ସୃଷ୍ଟି ଯେ, ଯେତେଦିନ ପର୍ଯ୍ୟନ୍ତ ଦେଶଗୁଡ଼ିକର ସାଧାରଣ ଜନତା ସଚେତନ ହୋଇ ନଥିବେ, ସେତେଦିନ ପର୍ଯ୍ୟନ୍ତ ଧର୍ମର ଦ୍ୱାହିଦେଇ ଉଭୟଦେଶ ମଧ୍ୟରେ ବିବାଦ ଲାଗି ରହିବ। କିଛି ଦେଶ ଓ ବ୍ୟକ୍ତି ଏହାର ସୁଯୋଗରେ ସାଧାରଣ ଲୋକଙ୍କ ଧନଜୀବନ ନଷ୍ଟ କରିଚାଲିଥିବେ, କେତେବେଳେ ଚାଇନା ତ କେତେବେଳେ ଆମେରିକା ସ୍ବାର୍ଥ ପାଇଁ ମଧ୍ୟସ୍ଥି ହେବାକୁ ଆଗେଇ ଆସିବେ, ଠିକ୍‌ ଯେପରି ବିଲେଇ କଳିରେ ମାଙ୍କଡ଼ ମଧ୍ୟସ୍ଥି। ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱକୁ ଜଣେ ଶାନ୍ତି ନିର୍ମାତାଙ୍କ ନିତାନ୍ତ ଆବଶ୍ୟକତା ଅଛି, ଜଣେ ଲୋକପ୍ରିୟ, କ୍ଷମତା-ଲୋଭୀ ସୁଯୋଗବାଦୀ, ବିସ୍ତାରବାଦୀ, ପରସ ଅପହରଣକାରୀ ନୁହେଁ ବରଂ ଜଣେ କାର୍ଟରଙ୍କ ନୈତିକ କର୍ତ୍ତୃତ୍ୱ ଏବଂ ଜଣେ କିସିଞ୍ଜରଙ୍କ ପରି ବୁଦ୍ଧିମାନ୍‌ ରାଷ୍ଟ୍ରନୀତିଜ୍ଞଙ୍କ ଆବଶ୍ୟକତା ଅଛି। ଯେପର୍ଯ୍ୟନ୍ତ ଏପରି ବ୍ୟକ୍ତିତ୍ୱ ଆସିବେ ନାହିଁ, ସେପର୍ଯ୍ୟନ୍ତ ବିଶ୍ୱରେ ରକ୍ତର ହୋଲି ଚାଲିଥିବ, ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରିବ ଏବଂ ବିନାଶରେ ଅଙ୍କୁରୋଦ୍‌ଗମ ହୋଇ ବଢ଼ି ଚାଲୁଥିବା ଏକ ଅସ୍ତ୍ରଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ। ଅନେକ ଦେଶକୁ ଚିରଶୃଙ୍ଖଳ ମଧ୍ୟରେ ରଖି କିଛି ନୀଚ ରାଷ୍ଟ୍ରଙ୍କର ନୀଚ ବ୍ୟକ୍ତି ବିଶ୍ୱବ୍ୟାପୀ ରକ୍ତନଦୀ ବୁହାଇ ଖୁସିରେ ଅୟସ କରିଚାଲିବେ, ଠିକ୍‌ ଯେପରି ଖଳପ୍ରକୃତିର ବ୍ୟକ୍ତି କରନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଭଳି ଶାନ୍ତିକାମୀ ମାନବ ସମ୍ବଳ ରାଷ୍ଟ୍ରରୁ ପୁଣି ଥରେ ବିଶ୍ୱରେ ଶାନ୍ତିର ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ ହେବାର ପ୍ରକୃଷ୍ଟ ସମୟ ଆସିଯାଇଛି, ଅନ୍ୟଥା ନିଃସନ୍ଦେହରେ ବିଶ୍ୱଶାନ୍ତିର ସୂଚନା ବହୁ ଦୂରରେ ଏବଂ ମାନବ ସଭ୍ୟତାର ଅନ୍ତ ସନ୍ନିକଟ।

ଡ. ବିମଳ ଷଡ଼ଙ୍ଗୀ
ସଂସାଧନ ବ୍ୟକ୍ତି, ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ୱର, ଭାରତ ସରକାର
ମୋ: ୯୪୩୭୧୨୩୮୯୨


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri