ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ବିଚାର

ସିଞ୍ଜୋ ଆବେ

ଜାପାନର ସବୁଠୁ ବେଶି ଦିନ ପ୍ରଧାନମନ୍ତ୍ରୀ ରହିଥିବା ସିଞ୍ଜୋ ଆବେଙ୍କୁ ୮ ଜୁଲାଇ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପୂର୍ବର ମାସେ ଭିତରେ ସେ ତାଙ୍କ ଆଞ୍ଚଳିକଭିତ୍ତିକ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ ବଢୁଥିବା ବିପଦ ସହ ରୁଷିଆର ୟୁକ୍ରେନ ଆକ୍ରମଣକୁ ତୁଳନା କରି ସେ ତାଙ୍କ ପ୍ରସଙ୍ଗକୁ ମଜଭୁତ କରିଥିଲେ। ୨୭ ଅକ୍ଟୋବର ୨୦୨୨ରେ ତାଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ କରାଯାଉଥିବା ପରିପ୍ରେକ୍ଷୀରେ ତାଙ୍କ ଲିଖିତ ନିବନ୍ଧକୁ ଏଠାରେ ଉପସ୍ଥାପନ କରାଗଲା।
ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ବୈଶ୍ୱିକ ନିରାପତ୍ତା ପରିବେଶକୁ ଅତ୍ୟଧିକ ପରିବର୍ତ୍ତନ କରିବା ସହ ଜାପାନର ସୁରକ୍ଷା ନୀତି ପ୍ରତି ଏକ ଗମ୍ଭୀର ଆହ୍ବାନ ସୃଷ୍ଟି କରିଛି। ଏକ ସ୍ବାଧୀନ ରାଷ୍ଟ୍ର ୟୁକ୍ରେନକୁ ଆକ୍ରମଣ କରିବା ସ୍ପଷ୍ଟ ଭାବେ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଅସହିଷ୍ଣୁତାର ପରିପ୍ରକାଶ। ଆମେରିକାର ବୁଦ୍ଧିଜୀବୀଙ୍କ ଭଳି ଅନେକ ବିଶେଷଜ୍ଞ ଆକଳନ କରିଥିଲେ ଯେ, ୟୁକ୍ରେନର ରାଜଧାନୀ କିଭ୍‌ର ଖୁବ୍‌ କମ୍‌ ଦିନରେ ପତନ ଘଟିବ; ତଥାପି ୟୁକ୍ରେନ ସରକାର ଏବଂ ତାହାର ନାଗରିକମାନେ ସେମାନଙ୍କ ମାତୃଭୂମିର ରକ୍ଷା ଲାଗି ସେମାନଙ୍କ ଲଢ଼େଇରେ ଦୃଢ ନିଶ୍ଚିତ ରହିଲେ। ବୃହତ୍‌ ଶକ୍ତି ରୁଷିଆ ବିରୋଧରେ ୟୁକ୍ରେନ ଦୃଢ଼ ହୋଇ ଠିଆ ହେଲା ଓ ଲଢ଼େଇ କଲା। ମାତୃଭୂମି ସୁରକ୍ଷାର ମୌଳିକ ସିଦ୍ଧାନ୍ତକୁ ଅନୁପାଳନ ପୂର୍ବକ ଏବଂ ୟୁକ୍ରେନକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ସାମରିକ ଓ ଆର୍ଥିକ ସହଯୋଗ ଏବଂ ରୁଷିଆ ଉପରେ ଆର୍ଥିକ କଟକଣା ଲାଗୁ କରାଯିବା ଫଳରେ ଖୁବ୍‌ଶୀଘ୍ର ଯୁଦ୍ଧର ସ୍ଥିତିରେ ବଡ଼ ପରିବର୍ତ୍ତନ ଆଣିଦେଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ କେବେ ଭାବି ଥିଲେ କି ଜାପାନ, ଆମେରିକା ଏବଂ ୟୁରୋପ ମଧ୍ୟରେ ଗଣତନ୍ତ୍ର ଏବଂ ଆଇନର ଶାସନର ମୌଳିକ ମୂଲ୍ୟବୋଧକୁ ନେଇ ଏକ ମେଣ୍ଟ ଗଢିଉଠିବ ଏବଂ ୟୁକ୍ରେନ୍‌କୁ ସହଯୋଗ କରିବାକୁ ସେମାନଙ୍କୁ ଏକାଠି କରିବ? ଗୋଟିଏ ଦେଶ ଏକାକୀ ତା’ ଅଞ୍ଚଳ, ନାଗରିକ ଓ ସମ୍ପତ୍ତିକୁ ରକ୍ଷା କରିବାରେ କେତେ ଚରମ କଠିନତାକୁ ସାମ୍ନା କରିବାକୁ ହୁଏ, ତାହା ରୁଷିଆ ଆକ୍ରମଣ ପ୍ରତିପାଦିତ କରିଛି। ଜାପାନର ନିରାପତ୍ତା ପ୍ରତି ଏଭଳି ସ୍ଥିତି ବିପଦ ଭାବେ ଉଭା ହୋଇଛି। ମୋ ପ୍ରଥମ ଶାସନ ସମୟରେ ୨୦୦୭ରେ ଭାରତର ପାର୍ଲାମେଣ୍ଟକୁ ସମ୍ବୋଧନ କରିଥିଲି। ଏହାର ଶୀର୍ଷକ ଥିଲା ‘ କନ୍‌ଫ୍ଲୁଏନ୍ସ ଅଫ୍‌ ଦି ଟୁ ସିଜ୍‌’। ଅର୍ଥାତ୍‌ ଦୁଇ ସାଗରର ସଙ୍ଗମ’। ମୁଁ ‘ଏସିଆ ପାସିଫିକ୍‌’ ବିଚାରଧାରାରୁ ଦୂରେଇ ଯାଇ ଏକ ନୂଆ ଭୂ-ରାଜନୈତିକ ବିଚାର ଆରମ୍ଭ କଲି, ଯାହା ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରକୁ ଗୋଟିଏ ‘ମୁକ୍ତ ସାଗର’ରୂପେ ପରିକଳ୍ପିତ କରିଥିଲା। ଏକ ସାମରିକ ସୁପରପାଓ୍ବାର ହେବା ଲାଗି ଚାଇନାର ଉଦ୍ୟମକୁ ବିଚାରକୁ ନେଇ ମୁଁ ମଧ୍ୟ ମୌଳିକ ମୂଲ୍ୟବୋଧର ଆଦାନପ୍ରଦାନ ସହ ଜାପାନ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଏକ ମେଣ୍ଟ ଗଢିବାକୁ ଏସିଆ ମହାଦେଶର ଦେଶଗୁଡ଼ିକଠାରୁ ସହଯୋଗ ଚାହଁୁଥିଲି। ଦୁର୍ଭାଗ୍ୟବଶତଃ, ସେତେବେଳେ ଆଗକୁ ବଢ଼ୁଥିବା ଉତ୍ତର କୋରିଆର ଆଣବିକ ବିକାଶ ଉପରେ ୬ଟି ଦେଶକୁ ନେଇ ହୋଇଥିବା ଆଲୋଚନାରେ ଚାଇନାର ସ୍ଥିତିିକୁ ବିଚାର କରି ଆମେରିକା ପ୍ରଥମରୁ ଏକ ସତର୍କତାମୂଳକ ସ୍ଥିିତି ଗ୍ରହଣ କରିଥିଲା। କିନ୍ତୁ ଭାରତ ତା’ର ଗୋଷ୍ଠୀ ନିରପେକ୍ଷ ଚିନ୍ତାଧାରାକୁ ସମ୍ମାନ ଦେଇ ଏହି ଆଲୋଚନାରୁ ଦୂରେଇ ରହିଥିଲା। ଏହାସତ୍ତ୍ୱେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଜନ୍‌ ହାଓ୍ବାର୍ଡଙ୍କ ସହଯୋଗ କ୍ରମେ ମୁଁ କ୍ୱାଡ୍‌ ବା ଚତୁର୍ଗୋଷ୍ଠୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା କରିବାରେ ସଫଳ ହୋଇଥିଲି। ତେବେ ମୋର ଦ୍ୱିତୀୟ ଶାସନ ପାଳିରେ ଔପଚାରିକ ଭାବେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ବିଚାର ଉପରେ ନାଇରୋବିଠାରେ ଅନୁଷ୍ଠିତ ଟୋକିଓ ଇଣ୍ଟରନ୍ୟାଶନାଲ କନ୍‌ଫରେନ୍ସ ଅନ୍‌ ଆଫ୍ରିକାନ୍‌ ଡେଭଲପ୍‌ମେଣ୍ଟ (ଟିଆଇସିଏଡି)ରେ ଘୋଷଣା କରିଥିଲି। ପରବର୍ତ୍ତୀ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ‘ପାସିଫିକ୍‌ କମାଣ୍ଡ୍‌’ର ନାମକୁ ‘ଇଣ୍ଡୋ-ପାସିଫିକ୍‌ କମାଣ୍ଡ’ ଭାବେ ବଦଳାଇ ଦେଲେ। ଏଥିସହିତ ଜାପାନ ଦ୍ୱାରା ଅନୁସୃତ ରଣନୀତି ସହ ଖାପଖୁଆଇଲା ଭଳି ତାହାର ସାମରିକ ଓ କୂଟନୈତିକ ରଣନୀତି ଆରମ୍ଭ କରିଥିଲା ଆମେରିକା। କ୍ୱାଡ୍‌ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଓ ସମ୍ମିଳନୀ ୟୋସିହିଦେ ସୁଗା ଓ ମୋ ପ୍ରଶସନ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ପରେ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନି ଆଲ୍‌ବାନିଜ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମେ ୨୦୨୨ରେ ଟୋକିଓରେ ଅନୁଷ୍ଠିତ ସମ୍ମିଳନୀରେ ମିଳିତ ଘୋଷଣାନାମା ଜାରି କରିଥିଲେ, ଯେଉଁଥିରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ନୀତି ସମ୍ପର୍କିତ ପ୍ରସଙ୍ଗ ପ୍ରତିଫଳିତ ହୋଇଥିଲା।
ଜାତିସଂଘର ଲ’ ଅଫ୍‌ ସି କନ୍‌ଭେନଶନରେ ଆମେ ଅନ୍ତର୍ଜାତୀୟ ଆଇନ ପ୍ରତି ପ୍ରତିବଦ୍ଧତା ଦେଖାଇଥିଲୁ। ପୂର୍ବ ଓ ଦକ୍ଷିଣ ଚାଇନା ସାଗର ପଟୁ ଏବଂ ସାମୁଦ୍ରିକ ବ୍ୟବସ୍ଥାଭିତ୍ତିକ ନିୟମ ପ୍ରତି ସୃଷ୍ଟି ହେଉଥିବା ଆହ୍ବାନକୁ ସମ୍ମୁଖୀନ ହେବା ଲାଗି ସାମୁଦ୍ରିକ ଆଇନକୁ ଯଥାସମ୍ଭବ ସମ୍ମାନ ଜଣାଇ ନାଭିଗେଶନ ଏବଂ ସାଗର ଉପରେ ବିମାନ ଚଳାଚଳର ସ୍ବାଧୀନତାକୁ ସିଦ୍ଧ କରିଥିଲୁ। ଏହାର ସ୍ଥିତାବସ୍ଥା ପ୍ରତି ବଳପୂର୍ବକ, ଉତ୍ତେଜନାମୂଳକ ଏବଂ ଏକପାଖିଆ ପଦକ୍ଷେପକୁ ଆମେ ବିରୋଧ କରିଥିଲୁ।
ଚାଇନା ପକ୍ଷରୁ ସୃଷ୍ଟି କରାଯାଉଥିବା ବିପଦକୁ ସାମ୍ନା କରିବା ଲାଗି ମୁଁ ‘କନ୍‌ଫ୍ଲୁଏନ୍ସ ଅଫ୍‌ ଦି ଟୁ ସିଜ୍‌’ ଆଣିଥିଲି। ପରବର୍ତ୍ତୀ ସମୟରେ ଫ୍ରାନ୍ସ, ବ୍ରିଟେନ୍‌, ଜର୍ମାନୀ ସେମାନଙ୍କ ନୌବହରଗୁଡ଼ିକୁ ଭାରତ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳକୁ ପଠାଇଥିବାରୁ ଏହା ଶକ୍ତିଶାଳୀ ହୋଇଥିଲା। ଏହା କହିବା ଅତିରଞ୍ଜିତ ହୋଇ ନ ପାରେ ଯେ, ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ବିଚାର ବୈଶ୍ୱିକ ପ୍ରତିରକ୍ଷା ନୀତିରେ ଏକ ନୂଆ ମୋଡ଼ ଆଣିଛି।
ତାଇଓ୍ବାନ ସମ୍ପୂର୍ଣ୍ଣ ଭାବେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରହିଛି। ଏବେ ଚାଇନା ସହ ଏହାର ଉପୁଜିଥିବା ତିକ୍ତତାକୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ ଅଧା ବିଶ୍ୱ ଯେଭଳି ସ୍ଥିତିରେ ଅଛନ୍ତି, ତାହା ସହିତ ଏହାକୁ ଦେଖାଯାଇପାରେ। ଚାଇନା ଓ ତାଇଓ୍ବାନ ମଧ୍ୟରେ ଉପୁଜିଥିବା ଉତ୍ତେଜନା ସହ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସହିତ ବହୁ ବିଷୟର ସାମଞ୍ଜସ୍ୟ ରହୁଛି। ପ୍ରଥମରେ ରୁଷିଆ ଏବଂ ଚାଇନା ଆଣବିକ ଶକ୍ତିସମ୍ପନ୍ନ ଏବଂ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଅଛନ୍ତି। ଦ୍ୱିତୀୟରେ ୟୁକ୍ରେନ୍‌ ଓ ତାଇଓ୍ବାନ୍‌ର କୌଣସି ସାମରିକ ମେଣ୍ଟ ନାହାନ୍ତି। କିନ୍ତୁ ୟୁକ୍ରେନ୍‌ ଓ ତାଇଓ୍ବାନ୍‌ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭେଦ ରହିଛି। ୟୁକ୍ରେନ୍‌ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ବାଧୀନ ଦେଶ ଭାବେ ସ୍ବୀକୃତ ଏବଂ ଜାତିସଂଘର ଏକ ସଦସ୍ୟ ମଧ୍ୟ। ସେଥିପାଇଁ ରୁଷିଆର ଆକ୍ରମଣ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଭାବେ ବିବେଚନା କରାଯାଇ ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ତାଇଓ୍ବାନ୍‌ ଜାତିସଂଘର ସଦସ୍ୟ ନ ଥିଲେ ହେଁ କେତେକ ରାଷ୍ଟ୍ର ଏହାକୁ ଏକ ସାର୍ବଭୌମ ଦେଶ ଭାବେ ମାନ୍ୟତା ଦେଇଛନ୍ତି। ଚାଇନା ଯଦି ତାଇଓ୍ବାନ୍‌କୁ ଦଖଲ କରେ, ତାହାର ନେତାମାନେ ଦାବି କରିବେ ଯେ ତାଇଓ୍ବାନ୍‌ ବେଜିଂର ଏକ ଅଂଶ। ଚାଇନାର ଆଞ୍ଚଳିକ ଅଖଣ୍ଡତାକୁ ନିଶ୍ଚିତ କରିବାକୁ ତାହା ସେମାନଙ୍କ ଏକ ଆଭ୍ୟନ୍ତରୀଣ ବ୍ୟାପାର। ୟୁକ୍ରେନ୍‌ ଯୁଦ୍ଧରେ ଯେପରି ରୁଷିଆ ଉପରେ ଆର୍ଥିକ କଟକଣା ଲଗାଯାଇଛି, ଅନୁରୂପ ଭାବେ ତାଇଓ୍ବାନ୍‌କୁ ସାହାଯ୍ୟ କରିବାକୁ ଅନ୍ୟ ଦେଶଗୁଡ଼ିକ ମିଳିତ ଭାବେ ଚାଇନା ଉପରେ ସେଭଳି କଟକଣା ଲଗାଇବେ କି ନାହିଁ ତାହା ଦେଖିବାକୁ ବାକି ରହିଛି। ବାଇଡେନ୍‌ ଜାପାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ତାଇଓ୍ବାନ୍‌କୁ ସୁରକ୍ଷା ଯୋଗାଇ ଦେବା ଲାଗି ତାଙ୍କ ପ୍ରଶାସନ ସାମରିକ ସହଯୋଗ ଦେବ। ଏବେ ଆମେରିକା ଯେଭଳି ଆଗକୁ ଆସି ତାଇଓ୍ବାନ୍‌କୁ ସମର୍ଥନ କରୁଛି, ଅତୀତରେ ଏଥିରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖା ଦେଇଥିଲା। କିନ୍ତୁ ଏବେ ଆମେରିକାର ପ୍ରତିବଦ୍ଧତା ଚାଇନାକୁ ସ୍ପଷ୍ଟ ବାର୍ତ୍ତା ଦେଇଛି।
ଏଭଳି ପରିପ୍ରେକ୍ଷୀରେ ଜାପାନର ଏକ ବଡ଼ ଭୂମିକା ରହିଛି। ଆମେରିକା ସହିତ ଆଗକୁ ସାମରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଚିତ। ତାହା ହୋଇପାରିଲେ ଏକ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦୃଷ୍ଟିଭଙ୍ଗୀ ଆଶାନୁରୂପ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri