୧୦୧୯୦ ଡଙ୍ଗରିଆଙ୍କୁ ମିଳିବ ମାଗଣା ଚକ୍ଷୁ ଚିକିତ୍ସା

ରାୟଗଡ଼ା ଅଫିସ/ବିଷମକଟକ, ୧୭ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ଖଜୁରି ଏବଂ କାଡ୍ରାଗୁମ୍ମା ଗ୍ରାମରେ ଓଡ଼ିଶା ଆଦିବାସୀ ଚକ୍ଷୁରୋଗ ଗବେଷଣା ପ୍ରକଳ୍ପ(ଟ୍ରାଇବାଲ ଓଡ଼ିଶା ଆଇ ଡିଜିଜ୍‌ ଷ୍ଟଡି)ଡାଇଗ୍ନୋଷ୍ଟିକ ଆକ୍ସନ ରିସର୍ଚ୍ଚ ପ୍ରୋଜେକ୍ଟ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ମିଶ୍ର ଏହାର ଶୁଭାରମ୍ଭ କରିଛନ୍ତି। ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଏସ୍‌ସି ଏବଂ ଏସ୍‌ଟି ଅନୁସନ୍ଧାନ ତାଲିମ ପ୍ରତିଷ୍ଠାନ, ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ(ଓପିଲିପ୍‌) ଏବଂ ହାଇଦ୍ରାବାଦର ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଜିଲାର ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ(ପର୍ଟିକୁଲାର୍‌ଲି ଭଲ୍‌ନରେବଲ ଟ୍ରାଇବାଲ୍‌ ଗ୍ରୁପ୍‌) ମାନଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା, ଚିକିତ୍ସା, ଚଷମା ପ୍ରଦାନ ସହ ଅସ୍ତ୍ରୋପଚାର ବ୍ୟବସ୍ଥା କରାଯିବ। ଡଙ୍ଗରିଆ କନ୍ଧମାନେ ବସବାସ କରୁଥିବା ୯୯ ଗ୍ରାମର ୨୬୦୦ ପରିବାର ତଥା ୧୦୧୯୦ ଲୋକଙ୍କୁ ୩ ମାସ ମଧ୍ୟରେ ବିନା ମୂଲ୍ୟରେ ଚକ୍ଷୁ ପରୀକ୍ଷା କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ, ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ଓପିଲିପ୍‌ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି। କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ରାୟଗଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ପିଏ ଟୁକୁ ବାରିକ, ପାର୍ସାଲି ଓ ଚାଟିକଣା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ)ର ସ୍ବତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚକ୍ଷୁ ବିଶେଷଜ୍ଞ ଦେବାନନ୍ଦ ପାଢ଼ୀ, ଓପିଲିପ୍‌ର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀଙ୍କ ସମେତ ଖଜୁରିଗାଁ ଓ କାଡ୍ରାଗୁମା ଗ୍ରାମବାସୀ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଖଜୁରି ଏବଂ କାଡ୍ରାଗୁମା ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ଡଙ୍ଗରିଆଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିବା ଚାଟିକଣା ଓପିଲିପ୍‌ର ପ୍ରକଳ୍ପ ପରିଚାଳକ ସୂଚନା ଦେଇଛନ୍ତି।