ଦିଲ୍ଲୀ-ୟୁପି-ହରିୟାଣାରେ ଆସିବ ଚତୁର୍ଥ ଲହର, ୪ ମାସ ଧରି ରଚିବ ତାଣ୍ଡବ…

ନୂଆଦିଲ୍ଲୀ, ୨୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏଭଳି ପରିସ୍ଥିତିରେ କରୋନାର ଚତୁର୍ଥ ଲହର ଆସିବା ଆତଙ୍କ ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଉତ୍ତରପ୍ରଦେଶ(ୟୁପି), ହରିୟାଣା ଏବଂ ଦିଲ୍ଲୀରେ ଏହି ବିପଦ ସର୍ବାଧିକ ରହିଛି । କିନ୍ତୁ ଏହା ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି।

ଏଥି ସହିତ, କାନପୁର ଆଇଆଇଟିର ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଲୋକମାନେ ସେମାନଙ୍କର ବୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ନକରନ୍ତି ଏବଂ କରୋନାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ନାହିଁ, ତେବେ ଜୁନ ମାସରେ କରୋନାର ଚତୁର୍ଥ ଲହର ଆସିପାରେ।

ଚତୁର୍ଥ ଲହରର ପ୍ରଭାବ ୪ ମାସ ଧରି ରହିିବ। କାନପୁର ଆଇଆଇଟିର ବିଶେଷଜ୍ଞଙ୍କ ଅନୁଯାୟୀ, ଜୁନ ମାସରେ ଦେଶର ଚତୁର୍ଥ ଲହର ଆସିବ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବେ। କରୋନାର ଚତୁର୍ଥ ଲହର ଜୁନ ରୁ ଆରମ୍ଭ ହୋଇ ସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ ଚାଲିପାରେ। ଏହାର ଶୀର୍ଷ ଅଗଷ୍ଟ ମାସରେ ଆସିପାରେ। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ କରୋନାର ଚତୁର୍ଥ ଲହରରେ ଅଧିକ ବିପଦରେ ପଡ଼ିବାର ଆଶଙ୍କା ରହିଛି। ବିଶେଷ କଥା ହେଉଛି କରୋନାର ଚତୁର୍ଥ ଲହର କେବଳ ଓମିକ୍ରନ ଏବଂ ଏହାର ଉପ-ଭାରିଆଣ୍ଟ୍‌ ବିଏ.୧ ଏବଂ ବିଏ.୨ ଯୋଗୁ ବ୍ୟାପିବ।

ଏହା ବ୍ୟତୀତ, କରୋନାର ବାକି ଷ୍ଟ୍ରେନ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆଇଆଇଟି କାନପୁରର ଏହି ଗବେଷଣା ରିପୋର୍ଟେ ମେଡ୍‌ରାକ୍ସଭି ପତ୍ରିକାରେ ପ୍ରକାଶିତ ହୋଇଛି। ଆଇଆଇଟି କାନପୁରର ବିଶେଷଜ୍ଞମାନେ ମହାମାରୀର ତୃତୀୟ ଲହରକୁ ସଠିକ ଭାବରେ ଗଣନା କରିଥିଲେ। ସେମାନଙ୍କର ନୂତନ ତଥ୍ୟ ଅନୁଯାୟୀ, ଜୁନ ୨୨ ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ, ଚତୁର୍ଥ ଲହର ଆସିବ। ଯେଉଁଥିରେ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share