ଲାଞ୍ଜିଗଡ଼,୧୪ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡୁ ଗ୍ରାମର ୪ ଜଣ ନାବାଳକ ବଜ୍ରପାତରେ ଆହତ ହୋଇଛନ୍ତି। ନାବାଳକମାନେ କୁନାକାଡୁ ଗ୍ରାମର ଡ୍ରିଞ୍ଜୁ ମାଝୀ (୧୦), ମାଣ୍ଡି ମାଝୀ (୮), ସେତ୍ରୁ ମାଝୀ (୮), ମନୁ ମାଝୀ (୮)।
ସୂଚନାନୁସାରେ, ୪ ଜଣ ନାବାଳକ ମଧ୍ୟାହ୍ନରେ ଗାଁ ନିକଟରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟେଇବାକୁ ଯାଇଥିଲେ। ଏହି ସମୟରେ ପ୍ରବଳ ଝଡ଼ତୋଫାନ ସହିତ ବଜ୍ରପାତ ହୋଇଥିଲା। ଏହି ନାବାଳକମାନେ ଆମ୍ବ ଗୋଟେଇବା ବେଳେ ବଜ୍ରପାତ ହୋଇଥିଲା ଏବଂ ନାବାଳକମାନେ ଥିବା ଆମ୍ବ ଗଛରେ ବଜ୍ରପାତ ହୋଇଥିଲା ଫଳରେ ୪ ନାବାଳକ ଅଚେତ ହୋଇପଡ଼ିଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କୁ ଇଞ୍ଜେକ୍ସନ୍ ଓ ସାଲାଇନ ଦିଆଯାଇଥିବା ବେଳେ ସେମାନେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଖବରପାଇ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ପିଲାମାନକୁ ଦେଖିବା ସହିତ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ପିଲାମାନେ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି।