ଏକତରଫା ପ୍ରେମକୁ ନେଇ ପରିବାରର ୪ଜଣଙ୍କୁ ଆକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୨୪।୫: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ସାପଡ଼ାର ଗୋଟିଏ ପରିବାରର ୪ଜଣଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଗିିରଫ ଅଭିଯୁକ୍ତ ହେଲେ ଶିବ ଭଇଁସାଲ(୨୦)। ଏ ନେଇ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ଗତ ରବିବାର ବନହରପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୬୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ମୁତାବକ, ମହିଳାଙ୍କ ସାନଝିଅଙ୍କୁ ଅଭିଯୁକ୍ତ ଯୁବକ ଏକତରଫା ଭଲ ପାଉଥିଲେ। ଏହାର ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ଜଣଙ୍କ ତାଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। ଏଥିରେ ପରିବାର ଲୋକେ ବିରୋଧ କରିବାରୁ ଯୁବକ ଜଣଙ୍କ ମହିଳାଙ୍କ ଘରକୁ ଆସି ପ୍ରଥମେ ତାଙ୍କ ବଡଝିଅଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ମହିଳାଙ୍କ ସ୍ବାମୀ ଘରେ ନ ଥିଲେ। ଏହାକୁ ମହିଳା ଓ ତାଙ୍କ ସାନ ଝିଅ ବିରୋଧ କରିଥିଲେ । ଫଳରେ ଯୁବକ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ମହିଳା ଓ ତାଙ୍କର ଦୁଇ ଝିଅଙ୍କୁ ମାଡ ମାରିବାରୁ ୩ଜଣ ଆହତ ହୋଇଥିଲେ। ମହିଳାଙ୍କ ସ୍ବାମୀ ଘରକୁ ଆସି ଘଟଣା ସମ୍ପର୍କରେ ଜାଣି ଯୁବକଙ୍କ ଘରକୁ ପଚାରିବା ପାଇଁ ଯାଇଥିଲେ। ହେଲେ ଯୁବକ ଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।