ଚିକିଟି,୧୪ା୯(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ରବିବାର ଏକ ଅଘଟଣ ଘଟିଛି। ୪ ସାଙ୍ଗ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉ ଥିବାବେଳେ ବୁଡିଯାଇ ଜଣେ ନିଖୋଜ ଅଛନ୍ତି। ସେ ହେଲେ ଚିକିଟି ବ୍ଲକ କେ. ନୂଆଗାଁ ପଞ୍ଚାୟତ ଲିଆଖାଇ ଗ୍ରାମର ଅମିତ ପ୍ରଧାନ (୧୮)। ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ତାଙ୍କ ପତ୍ତା ମିଳିନାହିଁ।
ଲିଆଖାଇ ଗ୍ରାମର ଅମିତ, ରାଜେଶ ପ୍ରଧାନ(୧୯), ଆଶିଷ ପ୍ରଧାନ(୧୮), ଦୀପକ ପ୍ରଧାନ(୨୨) ସାଙ୍ଗ ହୋଇ ବସ୍ ଯୋଗେ ସୁନାପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ସମୁଦ୍ର ଭିତରେ ସେମାନେ ଗାଧୋଇବାର ମଜା ନେଉଥିବାବେଳେ ଜୁଆର ଆସିବାରୁ ରାଜେଶ, ଦୀପକ, ଆଶିଷ ଉଦ୍ଧାର ପାଇଯାଇଥିଲେ। ହେଲେ ଅମିତ ଆଉ ଫେରି ନ ଥିଲେ। ୩ ସାଙ୍ଗ ସେଠାକାର ବ୍ଲୁ ଫାର୍ଗର ହୋମଗାର୍ଡଙ୍କୁ ଏହା କହିଥିଲେ।
ଖବରପାଇ ବ୍ରହ୍ମପୁର ଦମକଳ ବାହିନୀ ଓ ମେରାଇନ ଥାନା ପୋଲିସ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଅମିତଙ୍କ ପତ୍ତା ମିଳିନି। ସ୍ଥାନୀୟ ଲୋକେ କହିଛନ୍ତି, ପୂର୍ବରୁ ବନସଂରକ୍ଷଣ ସମିତି ଜରିଆରେ ବେଳାଭୂମିରେ ହୋମଗାର୍ଡ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନ କେହି ହୋମ୍ଗାର୍ଡ ନାହାନ୍ତି। କେତେଜଣ ଲୋକ ବେଆଇନ ଭାବେ ଟିକସ ଆଦାୟ କରୁଥିଲେ ବି ବେଳାଭୂମି ସଫେଇ ହେଉନାହିଁ। ସେଠାରେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗ କରିଛନ୍ତି।


