୧୪୪ରେ ପହଞ୍ଚିଲା ପୋଷ୍ୟ ବିଦ୍ୟାଳୟ

ଭୁବନେଶ୍ୱର, ୪ା୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ଆରମ୍ଭ ହୋଇଥିବା ‘ସ୍କୁଲ ଆଡ୍‌ପଶନ କାର୍ଯ୍ୟକ୍ରମ’କୁ ସମଗ୍ର ରାଜ୍ୟରୁ ବିପୁଳ ସମର୍ଥନ ମିଳିଛି। ରାଜ୍ୟର ବହୁ ବିଶିଷ୍ଟ ଏବଂ ଜଣାଶୁଣା ବ୍ୟକ୍ତିଙ୍କ ସହ ବିଭିନ୍ନ ବର୍ଗର ଜନସାଧାରଣ ଏଥିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪୪ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟଭାବେ ଗ୍ରହଣ କରାଯାଇଛି। ୧୩ ମନ୍ତ୍ରୀ, ବିଧାୟକ ଏବଂ ଏମ୍‌ପି ୨୯ ସ୍କୁଲକୁ ପୋଷ୍ୟ ଗ୍ରହଣ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଜାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କୃଷିମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ଟୁକୁନୀ ସାହୁ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ସଭା ସଦସ୍ୟ ସୁବାସ ଚନ୍ଦ୍ର ସିଂ ଏବଂ ସୁଜିତ କୁମାର, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିଜେ ପଢିଥିବା ଏବଂ ସ୍ମୃତି ଜଡ଼ିତ ଥିବା ବିଦ୍ୟାଳୟକୁ ପୋଷ୍ୟ ନେଇଛନ୍ତି। ଅନୁରୂପ ଭାବେ ୫୩ ବରିଷ୍ଠ ଆଇଏଏସ୍‌ ଅଫିସର ୫୯, ୨୬ ଓଏଏସ୍‌ ଅଫିସର ୩୧, ୪ ଆଇପିଏସ୍‌ ଅଫିସର ଏବଂ ୨ ଆଇଏଫ୍‌ଏସ୍‌ ଅଫିସର ୬ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି। ଏମାନଙ୍କ ବ୍ୟତୀତ ବ୍ୟବସାୟୀ, କର୍ପୋରେଟ୍‌ ଅଧିକାରୀ, ଖବରଦାତା, ସାମାଜିକ କର୍ମୀ ଏବଂ ସାଧାରଣ ଜନତା ଏହି ଅଭିନବ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ କେବଳ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ନୁହନ୍ତି, ବରଂ ସାଧାରଣବର୍ଗର ଲୋକଙ୍କଠାରୁ ମଧ୍ୟ ଆକୁଣ୍ଠ ସମର୍ଥନ ମିଳିଛି। ବିଦ୍ୟାଳୟ ସହ ଥିବା ଭାବଗତ ବନ୍ଧନକୁ ଆହୁରି ସୁଦୃଢ଼ କରି ନିଜ ନିଜର ସ୍କୁଲ ପାଇଁ କିଛି କରିବାକୁ ଏହି ଆନ୍ଦୋଳନରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। କେବଳ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନୁହେଁ, ଛାତ୍ରୀଛାତ୍ରଙ୍କୁ ମାନସିକସ୍ତରରେ ସମର୍ଥନ ଯୋଗାଇଦେବା, ସେମାନଙ୍କୁ ଶିକ୍ଷାଦାନ କରିବା, ଦୃଢ଼ ନେତୃତ୍ୱ ମାଧ୍ୟମରେ ପିଲାଙ୍କ ସର୍ବାଙ୍ଗୀନ ବିକାଶ କରିବା ଏବଂ ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପୁରାତନ ଛାତ୍ରୀଛାତ୍ର, ବିଶିଷ୍ଟ ବ୍ୟକ୍ତି ଏବଂ ସାଧାରଣ ଲୋକେ ଆଗେଇ ଆସିଛନ୍ତି।