କପ୍‌୩୧ ଚିଠା ଚୁକ୍ତିନାମାରେ ନାହିଁ ଜୀବାଶ୍ମ ଇନ୍ଧନ

ଆଣ୍ଟାଲ୍ୟା,୨୩ା୧୧: ତର୍କିର ଆଣ୍ଟାଲ୍ୟାଠାରେ ୨ ସପ୍ତାହ ଧରି ଚାଲିଥିବା କପ୍‌୩୧ ସମ୍ମିଳନୀର ସହଅଧ୍ୟକ୍ଷ ତଥା ସେଠାକାର ପରିବେଶ ମନ୍ତ୍ରୀ ମୁରାତ କୁରୁମ ଶନିବାର ରାତି ୩ଟାରେ ଏକ ଚିଠା ଚୁକ୍ତିନାମା ପ୍ରକାଶ କରିଛନ୍ତି। ସମ୍ମିଳନୀର ଶେଷ ବୈଠକରେ ଉକ୍ତ ଚିଠା ଉପସ୍ଥାପନ ହେବା ପୂର୍ବରୁ ଏହା ଉପରେ କୌଣସି ପ୍ରତିବାଦ ବା ପରିବର୍ତ୍ତନ ପାଇଁ ନିବେଦନ କରିବାକୁ କୁରୁମ୍‌ ଆଲୋଚନାକାରୀଙ୍କୁ ମାତ୍ର ୩ ଘଣ୍ଟା ସମୟ ଦେଇଥିଲେ। ଚିଠା ଚୁକ୍ତିନାମା ଗୃହୀତ ହେବା ପାଇଁ ପ୍ରାୟତଃ ସର୍ବସମ୍ମତ ସହମତି ଆବଶ୍ୟକ କରୁଥିବାବେଳେ ଅନେକ ଦେଶ ଏହା ଉପରେ ଗମ୍ଭୀର ପ୍ରତିବାଦ ଉଠାଇଥିଲେ। ଅଙ୍ଗାରକାମ୍ଳ ପ୍ରଦୂଷଣକୁ ଧରି ଗଚ୍ଛିତ କରି ରଖିବା ପ୍ରଯୁକ୍ତି ବିଦ୍ୟାକୁ ପ୍ରସ୍ତାବରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭାବେ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଉପରେ ଜୋର୍‌ଦାର ବିତର୍କ ହେବା ସହ ତୈଳ ଶିଳ୍ପଗୁଡ଼ିକ ସମର୍ଥନ ଜଣାଇଛନ୍ତି। ରାତି ୩ଟାରେ ଚିଠା ଚୁକ୍ତିନାମା ପ୍ରକାଶ ପାଇଥିବାରୁ ଏହା ଉପରେ ଆଲୋଚନାକାରୀ ଓ ଆକ୍ଟିଭିଷ୍ଟମାନେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇପାରି ନାହାନ୍ତି। ଗତ ଶୁକ୍ରବାର ଶେଷହେବାକୁ ଥିବା ଏହି ସମ୍ମିଳନୀ ଏବେ ନିର୍ଦ୍ଧାରିତ ସମୟ ଅତିକ୍ରମ କରିସାରିଛି। ଆଲୋଚନାକାରୀମାନେ ଆଣ୍ଟାଲ୍ୟାରୁ ପ୍ରସ୍ଥାନ କରୁଥିବାରୁ ଉକ୍ତ ଚିଠା ଚୁକ୍ତିନାମାକୁ ଗୃହୀତ କରାଇବା ପାଇଁ ଯଥେଷ୍ଟ ପ୍ରତିନିଧି ରହି ନ ପାରନ୍ତି ବୋଲି ଆୟୋଜକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେହିପରି ତୈଳ ଉତ୍ପାଦନ ଉପରେ ସୀମା ନିର୍ଦ୍ଧାରଣ କରା ନ ଯିବା, ଉତ୍ତାପ ବୃଦ୍ଧିକୁ ସୀମିତ କରିବା ଲକ୍ଷ୍ୟ ହାସଲରେ ବିଫଳତାକୁ ସ୍ବୀକାର ନ କରିବା ଏବଂ ଜଳବାୟୁ ପରିବର୍ତ୍ତନ ସହ ଖାପଖୁଆଇ ଚଳିବା ପାଇଁ ଦେଶଗୁଡ଼ିକୁ ଆର୍ଥତ୍କ ସହାୟତା ନ ମିଳିବା ଆଦି କାରଣରୁ ଚୂଡ଼ାନ୍ତ ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବେ ବିରୋଧ କରିବ ବୋଲି ପାନାମା କହିଛି। ଆଲୋଚନାକୁ ଏକ ପେଟ୍ରୋଲିୟମ ମାଫିଆ ବନ୍ଧକ ରଖିଥିବାରୁ ଏଥିରେ ସଂସ୍କାର ଆଣିବା ଆବଶ୍ୟକ ବୋଲି ପାନାମା ପରିବେଶ ମନ୍ତ୍ରୀ ଜୁଆନ କାର୍ଲୋସ ନାଭାରୋ କହିଛନ୍ତି। ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କପ୍‌ ଚୂଡ଼ାନ୍ତ ଆଲୋଚନାରେ ଜୀବାଶ୍ମ ଇନ୍ଧନ ସମ୍ପର୍କରେ ଉଲ୍ଲେଖ କରାଯାଉ ନାହିଁ ବୋଲି ଥିଙ୍କ୍‌ଟ୍ୟାଙ୍କ ଇ୩ଜିର ଆଲ୍‌ଡେନ୍‌ ମେୟେର କହିଛନ୍ତି। ତେବେ ୨୦୨୩ରେ ଦୁବାଇରେ ଜୀବାଶ୍ମ ଇନ୍ଧନଠାରୁ ଦୂରେଇବା ଉପରେ ସହମ୍ମତି ପ୍ରକାଶ ପାଇଥିଲା। ୩ ବର୍ଷ ପୂର୍ବେ ଆମେ ଯେଉଁଥିରେ ସହମ୍ମତ ହୋଇଥିଲୁ ଏବଂ ସେଥିପ୍ରତି ଗମ୍ଭୀର ଥିଲୁ ବୋଲି କୌଣସି ସଙ୍କେତ ନ ଦେଇ ଯଦି ଏଠାରୁ ଚାଲିଯିବୁ, ତେବେ ଏହା ବାସ୍ତବରେ ପ୍ରତିବନ୍ଧକ ହେବ ବୋଲି ଆଲ୍‌ଡେନ୍‌ କହିଛନ୍ତି।

Dharitri – Odisha’s No.1 Odia Daily

Share