ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା ଜେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ହସ୍ପିଟାଲକୁ ନିଆଯାଇଥିଲା। ଇମ୍ରାନଙ୍କୁ ହସ୍ପିଟାଲକୁ ନେବା ପରେ ଏହାର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ରାନ ଖାନ୍‌ଙ୍କୁ ମେଡିକାଲ ଯାଞ୍ଚ ଓ ଚିକିତ୍ସା ପାଇଁ ଜେଲ୍‌ରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରିପୋର୍ଟ ଅନୁସାରେ, ହସ୍ପିଟାଲର ଏକ ଅଂଶକୁ ସବ୍-ଜେଲ୍ ଘୋଷଣା କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ଏହା ଦ୍ୱାରା ଇମ୍ରାନଙ୍କ ସୁରକ୍ଷା ଓ ନଜରଦାରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇପାରିବ । ଇମ୍ରାନ ଖାନ୍‌ଙ୍କ ଓକିଲ ଖାଲିଦ ୟୁସୁଫ ଚୌଧୁରୀ ସୋସିଆଲ ମିଡିଆରେ ତାଙ୍କ ହସ୍ପିଟାଲ ସ୍ଥାନାନ୍ତର ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଇମ୍ରାନଙ୍କ ଚିକିତ୍ସା ପାଇଁ ମାର୍ଚ୍ଚ ୨୭, ୨୦୨୬ରୁ ଚାଲିଥିବା ପ୍ରୟାସ ଏବେ ସଫଳ ହୋଇଛି।

ଏହା ପୂର୍ବରୁ ଇମ୍ରାନଙ୍କ ଭଉଣୀ ଅଲିମା ଖାନ୍ ଓ ସମ୍ପର୍କୀୟ ଭାଇ କାସିମ ଖାନ୍ ଅଦିଆଲା ଜେଲ୍‌ରେ ପହଞ୍ଚିଥିଲେ। କିନ୍ତୁ ସୁରକ୍ଷା କାରଣ ଦର୍ଶାଇ ପୋଲିସ ସେମାନଙ୍କୁ ଜେଲ୍ ଭିତରକୁ ଯିବାକୁ ଅନୁମତି ଦେଇନଥିଲା। ସୁପ୍ରିମକୋର୍ଟ ଦୁଇ ଦିନ ପୂର୍ବରୁ ଇମ୍ରାନ ଖାନ୍‌ଙ୍କୁ ମେଡିକାଲ ଯାଞ୍ଚ ଓ ଆବଶ୍ୟକ ଚିକିତ୍ସା ପାଇଁ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ପଠାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ସ୍ବରାଷ୍ଟ୍ର ମନ୍ତ୍ରୀମୋହସିନ ନକଭିଙ୍କ ମଧ୍ୟରେ ମଧ୍ୟ ଇମ୍ରାନଙ୍କୁ ହସ୍ପିଟାଲକୁ ନେବା ନେଇ ଆଲୋଚନା ହୋଇଥିଲା। ସୁରକ୍ଷା ଏଜେନ୍ସି ଓ ପ୍ରଶାସନ ପକ୍ଷରୁ ହସ୍ପିଟାଲରେ ଆବଶ୍ୟକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା।

 

Dharitri – Odisha’s No.1 Odia Daily

Share