ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପୂର୍ବତନ ଏମ୍ପି ତଥା ବର୍ଷିୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ଚର୍ଚ୍ଚା ଜାରି ରହିଛି । ଆଜି କୋଶଲବାଦୀ ସଙ୍ଗଠନ ପକ୍ଷରୁ ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସମ୍ମୁଖରେ ଅଭିନବ ପ୍ରତିବାଦ ଜଣାଇଥିଲେ । ଜିଲା ପ୍ରଶାସନକୁ ଚୌକି ଉପହାର ଦେବାକୁ କୋଶଲବାଦୀ ସଙ୍ଗଠକ ମାନେ ଆସିଥିଲେ।
ସେମାନେ ଜିଲା ଅଭିଯୋଗ ଶୁଣାଣି ଶିବିରକୁ ପଶି ଚୌକି ଦେବାକୁ ଉଦ୍ୟମ କଲାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲେ । ସେଠାରେ ଦୀର୍ଘ ସମୟ ଧରି କୋଶଲବାଦୀ ସଙ୍ଗଠକ ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ଏହା ପରେ ସେଠାରେ ଚୌକି ଛାଡି ଦେଇ କୋଶଲବାଦୀ ସଙ୍ଗଠକମାନେ ଫେରି ଯାଇଥିଲେ। ଛାଡ଼ି ଯାଇଥିବା ଚୌକିକୁ ଜବତ କରି ପୋଲିସ ଥାନାକୁ ନେଇଥିଲା।
କୋଶଲବାଦୀ ସଙ୍ଗଠନ ପ୍ରତିନିଧି ମାନେ କହିଥିଲେ, ବାଳଗୋପାଳଙ୍କ ଭଳି ଜଣେ ପୂର୍ବତନ ଏମ୍ପି ଓ ବିଶିଷ୍ଟ କୋଶଲବାଦୀ ସଂଗ୍ରାମୀଙ୍କୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବସିବା ପାଇଁ ଚୌକିଟିଏ ନ ଦେବା ଏବଂ ଠିଆ କରି ତାଙ୍କ ଅଭିଯୋଗ ଶୁଣିବା କେବଳ ତାଙ୍କୁ ଅପମାନ ନୁହେଁ ବରଂ ସମଗ୍ର ପଶ୍ଚିମ ଓଡିଶା ଓ କୋଶଳାଞ୍ଚଳର ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଛି। ଏହି ଘଟଣାକୁ ସେମାନେ ତୀବ୍ର ନିନ୍ଦା ଓ ପ୍ରତିବାଦ କରିଥିଲେ। ଏଣୁ ଯଥାଶୀଘ୍ର ଜିଲା ପ୍ରଶାସନ ଏହି
ଘଟଣାରେ ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରିଥିଲେ।
ଏହାସହିତ ଜିଲାର ସମସ୍ତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସୁଥିବା ଜିଲାର ବୟୋଜ୍ୟେଷ୍ଠ ନାଗରିକ, ଭିନ୍ନକ୍ଷମ, ପୀଡିତ ବ୍ୟକ୍ତି, ଚାଷୀ, ମୂଲିଆ ଏବଂ ଅନ୍ୟମାନଙ୍କ ପାଇଁ ବସିବା ବ୍ୟବସ୍ଥା କରି ସେମାନଙ୍କ ଅଭିଯୋଗ ଶୁଣାଣି କରିବାକୁ କୋଶଲ ସେବା ସଭାପତି କୌସ୍ତୁଭ ସାହୁ, ବିକାଶ ସା, ସିପୁନ୍ ଖମାରୀ, ସରୋଜ ପ୍ରଧାନ, ଯଦୁମଣି କୁଦେଇ, ଜିତୁ ନାଏକ ଓ ଯୋଗେନ୍ଦ୍ର କର୍ମୀ ଦାବି କରିଛନ୍ତି ।