ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ ଅଜିତ କୁମାର ସାହୁଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ଦିଲ୍ଲୀ ପଟିଆଲା କୋର୍ଟର ଓ୍ବାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ ନିଆଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।
ପୋଲିସ ସୂଚନାନୁସାରେ, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାରଙ୍କୁ ଜମି ଦେବାକୁ କହି ୫୦ଲକ୍ଷ ଟଙ୍କା ନେଇଥିଲେ ଅଜିତ। ଜମି ନ ମିଳିବାରୁ ସୁଜିତ ଟଙ୍କା ଫେରସ୍ତ କରିବାକୁ କହିଥିଲେ ମଧ୍ୟ ସେ ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ସୁଜିତ ଏନେଇ ଦିଲ୍ଲୀ ତୁଗଲକ ଥାନାରେ ୨୦୨୪ରେ ଅଭିଯୋଗ କରିଥିଲେ। ପୋଲିସ ମାମଲାର ତଦନ୍ତ କରି କୋର୍ଟକୁ ଫାଇନାଲ ରିପୋର୍ଟ ପଠାଇ ଦେଇଥିଲା।
ଦିଲ୍ଲୀ ପଟିଆଲା କୋର୍ଟ ଅଭିଯୁକ୍ତ ଅଜିତଙ୍କୁ ହାଜର ହେବାକୁ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଏପରିକି ତାଙ୍କ ଠିକଣାରେ ନୋଟିସ ଆସିଥିଲେ ମଧ୍ୟ ସେ ଗ୍ରହଣ କରି ନ ଥିଲେ। ଶେଷରେ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍ବିଡବ୍ଲ୍ୟୁ) ଜାରି କରିଥିଲେ। ଅଜିତ ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିରେ ରହୁଥିବାରୁ ତାଙ୍କୁ ଗିରଫ ପାଇଁ ନୟାପଲ୍ଲୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓ୍ବାରେଣ୍ଟ ପାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ନୂଆସାହିସ୍ଥିତ ଆପାର୍ଟମେଣ୍ଟରୁ ତାଙ୍କୁ ଗିରଫ କରିଥିଲା।