ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀଙ୍କ ପରଲୋକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀ ପୁଷ୍ପଲତା ଜେନାଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହେଇଥିଲା। ୟୁନିଟ୍‌-୬ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେବା ପରେ ସେ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ସାମିଲ ରଖିଥିଲେ। ସେ ଜଣେ ମିଷ୍ଟଭାସୀ ଓ ପରୋପକାରୀ ମହିଳା ଥିଲେ। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ରାଜକିଶୋର ଦାସ, ଭୁବନେଶ୍ବର ସତ୍‌ସଙ୍ଗ ବିହାର ଅଧ୍ୟକ୍ଷ ଅଭୟ ପରିଡ଼ା ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ରବୀନ୍ଦ୍ର ନାଥ ବିଶ୍ୱାଳ, ଶରତ ବିଶ୍ୱାଳ, ବୋହୂ ଚିନ୍ମୟୀ, ଝିଅ ରୁଧିରାଣୀ, ଜ୍ବାଇଁ ମାନସ ରାଉତରାୟ, ଭଣଜା ନୀହାର ପଟ୍ଟନାୟକ, ପୁତୁରା ଶିବ ପ୍ରସାଦ ଜେନା, ନାତି ଦ୍ୟୁତିବଲ୍ଲଭ, ମନଦୀପ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ସର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ସତ୍ୟନାରାୟଣ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।