ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ମର ଶରୀରକୁ ରଖାଯାଇଛି। ବହୁ ମନ୍ତ୍ରୀ, ବିଧାୟକ ଓ ରାଜନେତା ତାଙ୍କ ଅନ୍ତିମ ଦର୍ଶନ କରିବା ଶହ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ନିକଟରେ କରୋନା ସଂକ୍ରମିତ ହୋଇଥିଲେ ମହାରଥୀ। କୋଭିଡ୍‌ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨ ଦିନ ତଳେ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା।
୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲା ପିପିଲିର ଖୋରାପଡ଼ା ଗାଁରେ ଜନ୍ମିତ ମହାରଥୀ ନିଜର ନିଆରା କଥାବାର୍ତ୍ତା ଶୈଳୀ ପାଇଁ ବେଶ୍‌ ପରିଚିତ ଥିଲେ। ୧୯୭୭ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କଲେଜର ଛାତ୍ର ସଂସଦ ସଭାପତିରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ୧୯୮୫ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମେ ସେ ଜନତା ପାର୍ଟି ଟିକେଟରେ ବିଜୟୀ ହୋଇଥିବା ବେଳେ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ। ସେହିପରି ବିଜୁ ଜନତା ଦଳ ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ମହାରଥୀ ପଞ୍ଚାୟତରାଜ, ପାନୀୟ ଜଳ ଯୋଗାଣ, କୃଷି ଓ ମତ୍ସ୍ୟପାଳନ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।