ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ ଗାଁ ଛତାମଖନା ଗସ୍ତ କରି ଗ୍ରାମବାସୀ, ଆତ୍ମୀୟ ସ୍ୱଜନ ଓ ବନ୍ଧୁବାନ୍ଧବଙ୍କ ସହ ‘ନୂଆଁଖାଇ ଜୁହାର ଭେଟ’ ହୋଇଛନ୍ତି।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ମିଶ୍ର କହିଛନ୍ତି ଯେ, ନୂଆଁଖାଇ ଆମ ଆଞ୍ଚଳିକ ଏକତା ଓ ସାମୂହିକ ଏକାତ୍ମତାର ପର୍ବ। ଏହି ଗଣପର୍ବ ଆମ ସମସ୍ତଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଓ ଦୂରତାକୁ ଦୂର କରି ଭାଇଚାରାକୁ ଅଧିକ ସୁଦୃଢ଼ କରିଥାଏ। ଚାଷୀ ମନରେ ହର୍ଷଉଲ୍ଲାସ ନରହିଲେ ସମାଜ, ରାଜ୍ୟ ଓ ଦେଶର ବିକାଶ ସମ୍ଭବ ନୁହେଁ ବୋଲି ସେ ମତବ୍ୟକ୍ତ କରିବା ସହ ଚାଷୀ ଯେପରି ନିଜ ଫସଲର ସଠିକ୍ ମୂଲ୍ୟ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ଓ ପ୍ରଶାସନ ସହୃଦୟତାର ସହ କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି।

ନରସିଂହ ବଲାଙ୍ଗୀରବାସୀଙ୍କ ସମେତ ସମଗ୍ର ରାଜ୍ୟବାସୀଙ୍କୁ ନୂଆଁଖାଇର ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଶାନ୍ତି କାମନା କରିଛନ୍ତି। ଏହି ଜୁହାର ଭେଟ କାର୍ଯ୍ୟକ୍ରମରେ କଂଗ୍ରେସ ଯୁବନେତା ଶୁଭ୍ରାଂଶୁ ଶେଖର ପଣ୍ଡା, ସଚ୍ଚିଦାନନ୍ଦ ମିଶ୍ର, ଶ୍ରୀହରି ମିଶ୍ର, ରାଜକିଶୋର ମିଶ୍ର, ଭଗି ହରପାଲ, ଗୋବର୍ଦ୍ଧନ ସେଠ, ବୁରୋଖାଇ ଶିକା, ଉପ କଲେତଙ୍କ ସମେତ ବହୁ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।

Share