ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ ସ୍ଥାନୀୟ ପ୍ରଶାସନ ଏବଂ ଶୀତ ମହୋତ୍ସବ କମିଟି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଏଥିରେ ପୂର୍ବତନ ଉପବାଚସ୍ପତି ମହୋତ୍ସବରେ ଯୋଗଦେବାକୁ ସହମତି ପ୍ରକାଶ କରିବା ସହ କମିଟିକୁ ଏହାର ସୁପରିଚାଳନା ଓ ଜିଲା ପ୍ରଶାସନ ପକ୍ଷରୁ ମହୋତ୍ସବ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲାପାଳଙ୍କୁ ନିବେଦନ କରିବାକୁ ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ପରାମର୍ଶ ଦେଇଛନ୍ତି।
କମିଟିର ସମ୍ପାଦକଙ୍କ ସମେତ ତହସିଲଦାର ତଥା କମିଟିର କୋଷାଧ୍ୟକ୍ଷ ଧୀରୋଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ହୋଟେଲ ସଂଘର ସଭାପତି ଗିରିଶ ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପତିତପାବନ ରାଉତ ପ୍ରମୁଖ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ ସହ ମଞ୍ଚରେ ଅତିଥି ଭାବେ ଯୋଗଦେବାକୁ ନିବେଦନ କରିଥିଲେ।


