ପ୍ରାକ୍ତନ ବିଏସ୍‌ଏଫ୍‌ ଯବାନଙ୍କୁ ଗୁଳିକରି ହତ୍ୟା

ରାଉରକେଲା,୮।୯(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଅଧୀନ କଦମଡିହି ଅଞ୍ଚଳରେ ଜଣେ ପ୍ରାକ୍ତନ ବିଏସ୍‌ଏଫ୍‌ ଯବାନଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ହେଲେ ସୁଖଲାଲ ପୂର୍ତ୍ତି। ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ମାଓବାଦୀମାନେ ଗୋଏଲକେରା ଥାନା କଦମଡିହି ପଞ୍ଚାୟତ କାଶୀଯୋଡା ଗ୍ରାମକୁ ଯାଇ ସୁଖଲାଲଙ୍କ ଘର କବାଟ ଭାଙ୍ଗି ପଶିବା ସହ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଗୋଏଲକେରା ଓ ଚାଇଁବାସା ସଡ଼କ ଉପରେ ରଖି ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ଡ ସ୍ଥଳରେ ମାଓବାଦୀ ପୋଷ୍ଟର ପଡିଥିବା ଶୁକ୍ରବାର ସକାଳେ ଦେଖିବାକୁ ମିଳିଥିଲା।