ଭାଜପାର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ,୬ା୭: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ଭାଜପା ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘଦିନରୁ ସେ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବାବେଳେ ଶନିବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରାଥମିକ ଚିକିତ୍ସାରୁ ତାଙ୍କ ଫୁସ୍‌ଫୁସ୍‌ରେ ପାଣି ଭର୍ତ୍ତି ହୋଇଯାଇଥିବା ସହିତ ହାର୍ଟର ଗତି କମ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ରାଧାରାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଆଡ଼କୁ ଗତି କରିବାରୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ରବିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସ୍ବାମୀ ସୁଧାଂଶୁ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।
ରାଧାରାଣୀ ୨୦୧୪ ନିର୍ବାଚନରେ ବ୍ରଜରାଜନଗର ଆସନରୁ ଭାଜପା ଟିକେଟରେ ବିଧାନସଭାକୁ ନିିର୍ବାଚିତ ହୋଇଥିଲେ। ହେଲେ ଗତ ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ। ସେ ଭାଜପା ଜିଲା ସଭାନେତ୍ରୀ ସହିତ ଦଳୀୟ ସଂଗଠନର ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଦଳକୁ ମଜଭୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଅପରପକ୍ଷେ ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇବା ପରେ ବ୍ରଜରାଜନଗରର ଜନସାଧାରଣ, ଦଳୀୟ ସମର୍ଥକ ଏବଂ କର୍ମକର୍ତ୍ତା ଆଶୁ ଆରୋଗ୍ୟ କାମନା କରିଛନ୍ତି।