ବିଶାଖାପାଟଣାରୁ ଗିରଫ ପରେ ଚୌଦ୍ୱାର ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦ

କଟକ ଅଫିସ,୭।୯: ଅନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦଙ୍କୁ ମଙ୍ଗଳବାର ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି। ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସୋମବାର ବିଶାଖାପାଟଣାରୁ ଗିରଫ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି।

ପ୍ରକାଶ ଯେ, ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ପ୍ରସାଦ ୱେଲଫେୟାର ଗ୍ରୁପ ଅଫ୍‌ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରମୁଖ ରାଜ୍ୟରେ ଶାଖା ଖୋଲି ଟଙ୍କା ଡବଲ ଓ ଜମି ଦେବାକୁ କହି ଅର୍ଥ ଆଦାୟ କରିଥିଲା। ୧୨୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିବା ପରେ ଲୋକଙ୍କୁ ଠକିଥିଲା କମ୍ପାନୀ। ଟଙ୍କା ଫେରାଇ ନ ଥିଲା। ଏନେଇ ଠକାମୀରେ ଶିକାର ହୋଇଥିବା ସମୀର କୁମାର ସାହୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ସୋମବାର ତଦନ୍ତକାରୀ ଟିମ ବିଶାଖାପାଟଣା ଯାଇ ଏମ୍‌. ପ୍ରସାଦଙ୍କ ଘରେ ଚଢ଼ଉ କରିଥିଲା। ତାଙ୍କ ଘରୁ ୪୫ ଲକ୍ଷ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ମଙ୍ଗଳବାର କୋର୍ଟରେ ହାଜର ପରେ ଏମ.ଭି ପ୍ରସାଦଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି। ମାତ୍ର ତାଙ୍କ ଜାମିନ ଆବେଦନ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ସୋମବାର ଜାମିନ ଆବେଦନ ପାଇଁ ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।