ଲଢ଼ିବେନି ଦେବେନ୍ଦ୍ର, ଝିଅ ପାଇଁ ବାଟ ଛାଡ଼ିଲେ

ଆଳି,୨୦ା୨(ବନମାଳୀ ସେନାପତି): ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ଦେଖାଦେଲାଣି। ଆଳିର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା ଚଳିତ ଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ବଦଳରେ ଏଠାରେ କଂଗ୍ରେସର ମଙ୍ଗ ଧରିବା ସହ ତାଙ୍କ ଝିଅ ଡା. ଦେବସ୍ମିତା ଶର୍ମା ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି। ଅପରପକ୍ଷେ ଡା. ଦେବସ୍ମିତା ମଧ୍ୟ ନିର୍ବାଚନ ଲଢ଼ିବା ନିମନ୍ତେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଇସ୍ତଫା ଦେଇଛନ୍ତି। ଏ ନେଇ ଦେବେନ୍ଦ୍ର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବୟସାଧିକ ଓ ଶାରୀରିକ ଅସୁସ୍ଥତା କାରଣରୁ ସେ ନିର୍ବାଚନ ଲଢ଼ିବେ ନାହଁି। କିନ୍ତୁ ନିର୍ବାଚନମଣ୍ଡଳୀରେ ସେ ସକ୍ରିୟ ରହିବେ। ରାଜନୀତିକୁ ଯୁବପିଢ଼ିମାନଙ୍କ ଆସିବାର ଆବଶ୍ୟକତା ଥିବାବେଳେ ସେ ତାଙ୍କ ଝିଅଙ୍କୁ ନିର୍ବାଚନ ମଇଦାନକୁ ଆଣିଛନ୍ତି। ଆଳି, ରାଜକନିକାରେ କଂଗ୍ରେସର ସଙ୍ଗଠନ ସୁଦୃଢ଼ ଥିବାବେଳେ ତାଙ୍କ ପରିବାର ପ୍ରତି କଂଗ୍ରେସର ସମର୍ଥନ ରହିଛି। ଏ ନେଇ ଡା. ଦେବସ୍ମିତା ଶର୍ମାଙ୍କୁ ପଚାରିବାରେ ଜେଜେ ଡା. ଦିବାକର ଶର୍ମା ଡାକ୍ତର ହେବା ସହିତ ରାଜନୀତିରେ ପାଦ ଥାପି ବିଧାୟକ ହୋଇଥିଲେ। ତାଙ୍କ ପିତା ଦେବେନ୍ଦ୍ର ଶର୍ମା ମଧ୍ୟ କଂଗ୍ରେସ ଦଳର ବିଧାୟକ ହେବା ସହ ନିର୍ବାଚନମଣ୍ଡଳୀରେ ନିଜର ସଙ୍ଗଠନ ରଖିଛନ୍ତି। ତେଣୁ ସେ ଜେଜେ ଓ ପିତାଙ୍କ ପଦାଙ୍କ ଅନୁସରଣ କରି ଡାକ୍ତର ଭାବେ କଣ୍ଡିଆ ପ୍ରାଥମିକ ଚିକିତ୍ସାଳୟରେ ଚାକିରି କରିଥିଲେ। ଏବେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବା ନିମନ୍ତେ ଚାକିରିରୁ ଇସ୍ତଫାଦେବା ସହ କଂଗ୍ରେସ ପକ୍ଷରୁ ଟିକେଟ ନିମନ୍ତେ ଆଶାୟୀ ଅଛନ୍ତି। ଡା. ଦେବସ୍ମିତା ପାଠପଢ଼ା ସମୟରୁ କଂଗ୍ରେସ ରାଜନୀତିରେ ଜଡ଼ିତ ଥିଲେ। ୨୦୧୪ ନିର୍ବାଚନରେ ସେ ପିତାଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ। ଏପରିକି କଂଗ୍ରେସର ଅନେକ ସମାବେଶରେ ଦେବସ୍ମିତା ଜଡିତ ରହିଥିଲେ। ଝିଅକୁ ନିର୍ବଚାନମଣ୍ଡଳୀରେ ପ୍ରୋଜେକ୍ଟ କରିବା ପରେ ଏବେ ସେଠାରେ ରାଜନୀତି ଚର୍ଚ୍ଚା ଜୋର ଧରିଛି।